ଶ୍ରୀନଅରକୁ ରାଜପ୍ରସାଦ ବିଜେ, ରଥଯାତ୍ରାରେ ଗଜପତି କରିବେ ଛେରାପହଁରା

ପୁରୀ: ଅଣସର ସେବାର ଅନ୍ୟତମ ପ୍ରମୁଖ ‘ରାଜପ୍ରସାଦ ବିଜେ’ ନୀତି ଆଜି ସମ୍ପନ୍ନ ହୋଇଛି। ଶ୍ରୀବିଗ୍ରହଙ୍କ ରାଜପ୍ରସାଦ ଆଜି ଶ୍ରୀନଅରକୁ ବିଜେ କରାଯାଇଛି। ଦଇତାପତି, ପତିମହାପାତ୍ର ସେବକ, ଖୁଣ୍ଟିଆ ମେକାପ, ଦେଉଳକରଣ, ତଢ଼ଉକରଣ ପ୍ରମୁଖ ଶୋଭାଯାତ୍ରା ସହକାରେ ‘ରାଜପ୍ରସାଦ’ ଶ୍ରୀନଅରକୁ ନେଇ ଗଜପତି ମହାରାଜାଙ୍କୁ ମହାପ୍ରଭୁଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଅବଗତ କରାଇଛନ୍ତି। ମହାପ୍ରଭୁ ସୁସ୍ଥ ଅନୁଭବ କରୁଥିବାବେଳେ ଅଣସରକାଳୀନ ଗୁପ୍ତନୀତି ସୁରୁଖୁରରେ ସମ୍ପନ୍ନ ହୋଇଥିବା ସୂଚନା ଦେଇଛନ୍ତି। ଆଜି ଶ୍ରୀମନ୍ଦିରରୁ ରାଜନଅରକୁ ବିଜେ ସମୟରେ ବଡ଼ଦାଣ୍ଡ ଚନ୍ଦନର ସୁବାସିତ ବାସ୍ନାରେ ମହକି ଉଠିଥିଲା।

ଆଜି ପ୍ରଥମ ଭୋଗମଣ୍ଡପ ପରେ ଅପରାହ୍ନରେ ରାଜନଅରକୁ ରାଜପ୍ରସାଦ(ଶ୍ରୀଅଙ୍ଗ ଲାଗି ଚନ୍ଦନ) ବିଜେ କରାଯାଇଥିଲା। ଦଇତାପତି ସେବକମାନେ ପାଟବସ୍ତ୍ର ପରିଧାନ କରି ରାଜପ୍ରସାଦକୁ ଏକ ରୁପା ଥାଳିରେ ରଖି ଶୋଭାଯାତ୍ରା ସହକାରେ ରାଜନଅରକୁ ନେଇଥିଲେ। କରାଳ, ଚନ୍ଦନ ଆଦି ରାଜନଅରକୁ ବିଜେ କରାଯାଇଥିଲା। ବୈଜୟନ୍ତୀ, ବିଜେ କାହାଳୀ ସହ ଦଇତାପତି ସେବକ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଶ୍ରୀନଅରରେ ପହଞ୍ଚିବା ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ସମସ୍ତଙ୍କୁ ସ୍ୱାଗତ କରିଥିଲେ। ରାଜପ୍ରସାଦକୁ ମୁଣ୍ଡରେ ମାରି ଆଶୀର୍ବାଦ ନେଇଥିଲେ। ଦଇତାପତି ସେବକମାନେ ମହାପ୍ରଭୁଙ୍କ ସୁସ୍ଥତା ଖବର ପ୍ରଦାନ କରିବା ସହ ଗୋପନ ସେବା ସମ୍ୱନ୍ଧରେ ମଧ୍ୟ ଗଜପତିଙ୍କୁ ଅବଗତ କରିଥିଲେ। ମହାପ୍ରଭୁଙ୍କ ସେବା ଠିକ୍ ଚାଲିଥିବା ଗଜପତି ମହାରାଜଙ୍କୁ ଖବର ଦିଆଯାଇଥିଲା। ଏହି ଖବର ପାଇବା ପରେ ଅଣସର ସେବାରେ ନିୟୋଜିତ ଦଇତାପତି ଓ ପତିମହାପାତ୍ର ସେବାୟତଙ୍କୁ ଶାଢ଼ୀ ବନ୍ଧାଇ ଗଜପତି ସମ୍ମାନିତ କରିଥିଲେ।

ଗଜପତି ହେଉଛନ୍ତି ମହାପ୍ରଭୁଙ୍କ ପ୍ରଥମ ସେବକ। ଶ୍ରୀନଅରରେ ପାଟ୍ଟଶାଣୀ ଏହି ଦଇତାପତି ସେବକଙ୍କୁ ଶାଢ଼ୀ ବାନ୍ଧିଥିଲେ। ପରେ ରଥଯାତ୍ରା ଓ ଶ୍ରୀମନ୍ଦିର ସମ୍ପର୍କିତ ବିଷୟବସ୍ତୁ ଉପରେ ଆଲୋଚନା ହୋଇଥିଲା। ଆଜି ଏହି ରାଜପ୍ରସାଦ ବିଜେ ଶୋଭାଯାତ୍ରାରେ ବରିଷ୍ଠ ଦଇତାପତି ବିଶ୍ବାବସୁ ବିନାୟକ ଦାସମହାପାତ୍ର, ଦଇତାପତି ନିଯୋଗ ସଭାପତି ରବୀନ୍ଦ୍ର ଦାସମହାପାତ୍ର, ବିଦ୍ୟାପତି ନବକିଶୋର ପତିମହାପାତ୍ର, ଗଣେଶ ଦାସମହାପାତ୍ର, କାର୍ତ୍ତିକ ଦାସମହାପାତ୍ର ପ୍ରମୁଖ ସାମିଲ୍‌ ହୋଇଥିଲେ।

ସୂଚନାଯୋଗ୍ୟ, ସ୍ନାନବେଦିରେ ୧୦୮ ଗରା ଅଧିବାସ ଜଳରେ ସ୍ନାନ ପରେ ମହାପ୍ରଭୁ ଜ୍ୱରରେ ପଡ଼ିଥିଲେ। ଏଥିପାଇଁ ମହାପ୍ରଭୁ ରତ୍ନବେଦି ଛାଡ଼ି ଅଣସର ପିଣ୍ଡିରେ ଅବସ୍ଥାନ କରୁଛନ୍ତି। ମହାପ୍ରଭୁଙ୍କ ସୁସ୍ଥତା ପାଇଁ ସ୍ନାନଯାତ୍ରାଠାରୁ ଶ୍ରୀମନ୍ଦିର ଅଣସର ପିଣ୍ଡିରେ ଦଇତପତିମାନଙ୍କ ଦ୍ୱାରା ଗୁପ୍ତ ସେବା ଚାଲିଛି। ନୂତନ ବିଗ୍ରହଙ୍କୁ ଦଶମୂଳ ସମର୍ପଣ, ପ୍ରଥମ ତୁଳସୀ ଲାଗି ହେବା ପରେ ଶ୍ରୀନଅରକୁ ପରମ୍ପରା ଆଧାରରେ ଗଜପତିଙ୍କ ଉଦ୍ଦେଶ୍ୟରେ ରାଜପ୍ରସାଦ ବିଜେ କରାଯାଇଥିଲା। ପରମ୍ପରା ମୁତାବକ ଶ୍ରୀଜିଉଙ୍କ ଶ୍ରୀଅଙ୍ଗପ୍ରସାଦ ନେଇ ଦଇତାପତି, ବିଦ୍ୟାପତି ସେବକମାନେ ଶ୍ରୀନଅରକୁ ଯାଉଥିବାରୁ ଏହାକୁ ରାଜପ୍ରସାଦ ବିଜେ କୁହାଯାଏ। ରାଜପ୍ରସାଦ ବିଜେ ପୂର୍ବରୁ ଆଜି ଭୋରରେ ମହାପ୍ରଭୁଙ୍କୁ ତୁଳସୀ ଲାଗି ହୋଇ ଚନ୍ଦନ ସର୍ବାଙ୍ଗ ହୋଇଥିଲା।

ସମ୍ବନ୍ଧିତ ଖବର