କାନ୍ଦୁଛନ୍ତି ହସର ରାଣୀ ମୀରା : ‌ମୋ ଦୁଃଖଠୁ କରୋନା ଏତେ ଯନ୍ତ୍ରଣାଦାୟକ ନୁହେଁ

ଭୁବନେଶ୍ବର : ତାଙ୍କ ପାଟିରୁ କୌତୁକିଆ ସଂଳାପ ଶୁଣି ହସିହସି ଗଡ଼ିଯାଉଥିଲେ ରସଗ୍ରାହୀ ଦର୍ଶକ। ମଞ୍ଚ ଉପରେ ତାଙ୍କ ଘୁଙ୍ଗୁର ପିନ୍ଧା ନୃତ୍ୟ ଉପଭୋଗ କରିବାକୁ ଚାହିଁ ରହୁଥିଲା ବହୁ ଉନ୍ମାଦିତ ନେତ୍ର। ସିନେ ପରଦା ହେଉ ଅବା ରଙ୍ଗମଞ୍ଚ; ଦିନେ ପରଦା ପଛରେ ରହି କିରିକିରି ହସାଉଥିବା ମୀରା ମହାନ୍ତି ଆଜି କିନ୍ତୁ କଇଁକଇଁ କାନ୍ଦୁଛନ୍ତି। ପ୍ରଲୁବ୍ଧ ଯୌବନ ଖସିଯିବା ପରେ ସେ ଅଭିନେତ୍ରୀରୁ ପାଲଟି ଯାଇଛନ୍ତି ଜଣେ ଅଲୋଡ଼ା ମଣିଷ। ଦୁର୍ଭାଗ୍ୟ ଏହି ଯେ ସରକାରଙ୍କ ପ୍ରଦତ୍ତ ପେନସନ୍ ବି ପାଇ ପାରିନାହାନ୍ତି। ଅବଶ୍ୟ ନିଜ ଅବହେଳା ପାଇଁ ସେ ସରକାରଙ୍କ ପ୍ରଦତ୍ତ ପେନସନ୍‌ ପାଇପାରିନାହାନ୍ତି ବୋଲି ସ୍ବୀକାର କରିଛନ୍ତି। ମାତ୍ର ସିନେ କଳାକାର ସଂଘ ଓ ହରି ଭାଇ କମେଡି କ୍ଲବ ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଆସୁଛି। ଆଜି ଯେବେ କରୋନା ସହ ସମଗ୍ର ବିଶ୍ବ ଯୁଦ୍ଧକୁ ଓହ୍ଲାଇଛି, ମୀରା କହିଛନ୍ତି, ମୁଁ ତ ଏବେ ବି ଦାରିଦ୍ରୢ ସହ ଲଢ଼ୁଛି। ଫୁରସତ୍‌ କାଇଁ ଯେ କରୋନା କଥା ଚିନ୍ତା କରିବି।

ମଞ୍ଚରେ ତାଙ୍କର ଲାସ୍ୟମୟୀ ଅଙ୍ଗଭଙ୍ଗୀ ଓ ନୃତ୍ୟ ତାଙ୍କୁ ‘ନବ କୁମାରୀ’ରୁ ସଜେଇ ଦେଇଥିଲା ମୀରା। ‘ଯାଯାବର’ରେ ଜୟୀଙ୍କ ସାଙ୍ଗେ ମନ୍ଦାର ଭୂମିକାରେ ତାଙ୍କର ଅଭିନୟ ହେଉ ଅବା ‘ପ୍ରତିଧ୍ବନୀ’ରେ ନିତ୍ୟାନନ୍ଦ ମିଶ୍ରଙ୍କ ସହ ତାଙ୍କର କୌତୁକିଆ ଅଭିନୟ ପାଇଁ ସେ ବେଶ ସୁନାମ ସାଉଁଟିଥିଲେ। ତ୍ରିନାଥ ମେଳା, ସୁବର୍ଣ୍ଣ ସୀତା, ସମ୍ପୂର୍ଣ୍ଣ ରାମାୟଣ‌ ଭଳି କିଛି ସିନେମାରେ ମଧ୍ୟ ଛୋଟମୋଟ ଭୂମିକାରେ ଅଭିନୟ କରିଥିଲେ। କିନ୍ତୁ ପରଦାରେ ସେ ଦୀର୍ଘସ୍ଥାୟୀ ହୋଇପାରିଲେ ନାହିଁ। ମାତ୍ର ଯେତେବେଳେ ମଞ୍ଚ ନାଟକ ଦେଖିବାକୁ ଟିକେଟ୍‌ ବ୍ଲାକ ହେଉଥିଲା, ମଞ୍ଚ ଜଗତର ସେ ଥିଲେ ଏକ ପରିଚିତ ନାଁ। ଷାଠିଏ ଦଶକରେ କଟକର କଳାଶ୍ରୀ ଥିଏଟର୍‌, ଜନତା ରଙ୍ଗମଞ୍ଚ, ପୁରୀର ଅନ୍ନପୂର୍ଣ୍ଣା ଏ ଗ୍ରୁପ୍‌ ଓ ଭୁବନେଶ୍ବରର ଏକାମ୍ର ଥିଏଟର୍‌ରେ ଜୀବନର ମୂଲ୍ୟବାନ ସମୟକୁ ଲୋଟାଇ ଦେଇଥିଲେ ହେଁ ପରିଣତ ବୟସରେ ଆଜି ସେ ଅପରିଚିତା।

ଅନ୍ୟମାନଙ୍କ ଭଳି ସେ ମଧ୍ୟ ସୁନ୍ଦର ସଂସାରର ସ୍ବପ୍ନ ଦେଖିଥିଲେ। ମଞ୍ଚ ଦୁନିଆର ଜଣେ ଜଣାଶୁଣା ମଣିଷଙ୍କର ହାତ ଧରିଥିଲେ। ବେଦିରେ ବସି ବାହା ହୋଇନଥିଲେ ହେଁ ବିଶ୍ବାସର ବନ୍ଧନରେ ବାନ୍ଧି ହୋଇଥିଲେ। ସେଇ ବିଶ୍ବାସର ସମ୍ପର୍କରୁ ଜନ୍ମ ନେଇଥିଲା ପୁଅ ଦିଲ୍ଲୀପ। ମାତ୍ର ସେଇ ନିଜ ଲୋକ ତାଙ୍କୁ ଧୋକ୍କା ଦେଇ ଚାଲିଗଲା। ତେଣୁ କଷ୍ଟେମଷ୍ଟେ ପୁଅ ଦିଲ୍ଲୀପକୁ ମଣିଷ କଲେ। ହେଲେ ୧୯୯୯ ମହାବାତ୍ୟା ସମୟରେ ତାଙ୍କ ରୋଜଗାରିଆ ପୁଅକୁ ଏକ ସରକାରୀ ଗାଡ଼ି ଚାପିଦେବାରୁ ତା’ର ପ୍ରାଣବାୟୁ ଉଡ଼ିଗଲା। ସରକାରୀ ଜାଗାରେ କରିଥିବା ଝୁମ୍ପୁଡ଼ିଟା ବି ବାତ୍ୟାରେ ଭାଙ୍ଗି ଯାଇଥିଲା। ତେଣୁ ବିଧବା ବୋହୂ ଓ ନାତୁଣୀର ବୋଝ ପଡ଼ିଥିଲା ମୀରାଙ୍କ ଉପରେ। ପୁଅକୁ ବିଏମ୍‌ସି ଗାଡ଼ି ଚାପି ଦେଇଥିବାରୁ ବୋହୂକୁ ବିଏମସି ମେଡିକାଲ୍‌ରେ ଛୋଟ ଅସ୍ଥାୟୀ ଚାକିରିଟିଏ ମିଳିଛି। ମାତ୍ର ମୀରାଙ୍କ ତିନି ପ୍ରାଣୀ ପରିବାର ସାଙ୍ଗକୁ ତାଙ୍କୁ ଆବୋରି ବସିଥିବା ଡାଇବେଟିସ୍‌, ଫାଇଲେରିଆ, ଉଚ୍ଚ ରକ୍ତଚାପ ପାଇଁ ବୋହୂର ଦରମା ଗଣ୍ଡାକ ବି ଅଣ୍ଟୁ ନାହିଁ। ସ୍ଥିତି ଏମିତି ହେଇଥିଲା, ପର ଘରେ ପାଇଟି କରିବାକୁ ବି ବାଧ୍ୟ ହେଇଥିଲେ ମୀରା। ଏବେ ବି ପୁରଣା ଭୁବନେଶ୍ବରରେ ଏକ ଝୁମ୍ପୁଡ଼ି ଘରେ ତାଙ୍କ ଦିନ ବିତୁଛି। ବୟସ ୭୦ ଛୁଇଁଲାଣି। ମଧୁମେହ ଯୋଗୁଁ ପାଦର ଆଙ୍ଗୁଠି କଟା ହେଇସାରିଲାରି। ଆଇନା ସାମ୍ନାରେ ଛିଡ଼ା ହେଲେ ମୁଣ୍ଡରେ ଆଙ୍ଗୁଳି ଲମ୍ବର ରୁକ୍ଷ ଚୁଟି ଓ ମୁହଁରେ ମଉଳି ଆସିଥିବା ତାଙ୍କ ଲୋଚାକୋଚା ଚମ ତାଙ୍କୁ ଉପହାସ କରୁଛି। ମାତ୍ର ସେ ନାଚାର। ନା କହିପାରୁଛନ୍ତି ନା ସହିପାରୁଛନ୍ତି।

ରାତି ଗାଢ଼ ହେଲେ ଏବେ ବି ତାଙ୍କର ମନେ ପଡ଼େ ସେଇ ଷାଠିଏ ଦଶକର କଥା। ମନ ଭିତ‌ରେ ସେଦିନର ଚିତ୍ର ନାଚୁନାଚୁ ନିଗିଡ଼ି ଆସେ ଅମାନିଆ ଲୁହଧାର। ‌ବୋଧ ଦେବାକୁ ସିନା ଲୁହତକ ତକିଆ ପିଇଯାଏ, କିନ୍ତୁ ଉପହାସ କରି ପଚାରେ ଏ ଲୋକମାନଙ୍କୁ ମଜା ଦେଇ ତୁ କ’ଣ ପାଇଲୁ?

ସମ୍ବନ୍ଧିତ ଖବର