କୁଳାଧିପତି ଡାକିଲେ କୁଳପତି ସମ୍ମିଳନୀ

ବିଶ୍ୱବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାର ହେବ ସମୀକ୍ଷା

ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ଆସିବ ସଂସ୍କାର। ନିର୍ଦ୍ଧାରିତ ସମୟରେ ପରୀକ୍ଷା ଶେଷ କରିବା, ଫଳ ପ୍ରକାଶ, ସାର୍ଟିଫିକେଟ୍‌ ପ୍ରଦାନ ପରି ବିଷୟ ଉପରେ ପୁଣିଥରେ ହେବ ମାନସମନ୍ଥନ। ନୂତନ ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟ କୁଳାଧିପତି ସତ୍ୟ ପାଲ ମଲିକ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମଥର ଲାଗି ସରକାରୀ ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କୁ ନେଇ ବୈଠକ ଡାକିଛନ୍ତି। ମେ’ ୨୨ରେ ରାଜଭବନରେ ଅନୁଷ୍ଠିତ ହେବ କୁଳପତି ସମ୍ମିଳନୀ। ପୂର୍ବତନ ରାଜ୍ୟପାଳ ତଥା କୁଳାଧିପତି ଏସ୍‌.ସି. ଜମିରଙ୍କ ସମୟରେ ନିଆଯାଇଥିବା ନିଷ୍ପତ୍ତି କିଭଳି କାର୍ଯ୍ୟକାରୀ ହୋଇଛି ତାହାକୁ ନେଇ ମାନସମନ୍ଥନ କରାଯିବ। ଏଥିରେ ରାଜ୍ୟ ସରକାରଙ୍କ ୬ଟି ବିଭାଗର ମନ୍ତ୍ରୀ ଓ ସଚିବମାନେ ସାମିଲ ହେବାର କାର୍ଯ୍ୟକ୍ରମ ରହିଥିବା ନେଇ ରାଜଭବନ ପକ୍ଷରୁ ସୂଚନା ମିଳିଛି। ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖାଲି ପଡ଼ିଥିବା ପଦବି ଏପର୍ଯ୍ୟନ୍ତ ପୂରଣ ହୋଇ ନାହିଁ। ଗତବର୍ଷ ରାଜଭବନରେ ୩ ଥର କୁଳପତିମାନଙ୍କ ସମ୍ମିଳନୀ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ବି ସରକାରୀ ବିଶ୍ୱବିଦ୍ୟାଳୟର ଟିଚିଂ ଓ ନନ୍‌-ଟିଚିଂ ପଦବି ପୂରଣ ହୋଇପାରି ନାହିଁ। ବିଭାଗ ବିଭାଗ ମଧ୍ୟରେ ସମନ୍ଵୟ ଅଭାବରୁ ପଦବି ପୂୂରଣରେ ବିଳମ୍ବ ହେଉଛି। କେଉଁ କାରଣ ଲାଗି ପଦବିଗୁଡ଼ିକ ପୂରଣ ହେଉ ନାହିଁ ତାହାକୁ ନେଇ କୁଳାଧିପତି ଶ୍ରୀ ମଲିକ ମାନସମନ୍ଥନ କରିପାରନ୍ତି। କ୍ୟାମ୍ପସ ଶୃଙ୍ଖଳା ଆଲୋଚନାର ପ୍ରମୁଖ ବିଷୟ ପାଲଟିବ। ରେଭେନ୍ସା, ଉତ୍କଳ, ସମ୍ବଲପୁର, ବ୍ରହ୍ମପୁର ସମେତ ଅନ୍ୟ ବିଶ୍ୱବିଦ୍ୟାଳୟରେ ବାରମ୍ବାର ଛାତ୍ର ଅଶାନ୍ତି ହେଉଛି। ଛାତ୍ର ସଂସଦ ନିର୍ବାଚନ ନ ଥିବା ବେଳେ ମଧ୍ୟ ବିଶୃଙ୍ଖଳା ସୃଷ୍ଟି ହେଉଛି। ଆଗକୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବା ସହ ଛାତ୍ର ସଂସଦ ନିର୍ବାଚନ ହେବାକୁ ଥିବାରୁ ସେଥିପ୍ର୍ରତି ସମ୍ମିଳନୀରେ ଦୃଷ୍ଟି ଦିଆଯିବ। ଶୈକ୍ଷିକ ପରିବେଶ କିଭଳି ଜାରି ରହିବ ସେଥିପ୍ରତି ପ୍ରାଧାନ୍ୟ ଦିଆଯାଇପାରେ।

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ପାଇଁ ଜମି ଚିହ୍ନଟ, ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ଓ ୪୦ ଏକର ଜମି ଗାଏବ, ରେଭେନ୍ସା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସର ଅଗ୍ରଗତି ନେଇ ସମ୍ମିଳନୀରେ ଆଲୋଚନା ହେବ। ଏହାବ୍ୟତୀତ ସମସ୍ତ ବିଶ୍ୱବିଦ୍ୟାଳୟରେ କ୍ରୀଡ଼ା କମ୍ପଲେକ୍ସ ନିର୍ମାଣ, ଗବେଷଣାକୁ ପ୍ରାଧାନ୍ୟ, କ୍ୟାମ୍ପସରେ ଉତ୍କର୍ଷ କେନ୍ଦ୍ର ସ୍ଥାପନ, ପ୍ଲେସମେଣ୍ଟ ସେଲ୍‌ର କାର୍ଯ୍ୟକାରିତା, ଅଭିଯୋଗର ଶୁଣାଣି ଓ ସମାଧାନ ପଦ୍ଧତିର କ୍ରିୟାଶୀଳତା, ବିଭିନ୍ନ ଅନୁଦାନର ସୁବିନିଯୋଗ ଓ ଧାର୍ଯ୍ୟ ସମୟରେ ବିନିଯୋଗ ପ୍ରମାଣପତ୍ର ପ୍ରଦାନ ବିଷୟରେ ଆଲୋଚନା ହେବାର ଅଛି। ରାଜ୍ୟପାଳ ଶ୍ରୀ ପାଲଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଅର୍ଥ, କୃଷି ଓ କୃଷକ ସଶକ୍ତୀକରଣ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଭାଷା, ସାହିତ୍ୟ ଓ ସଂସ୍କୃତି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ଓ ସଚିବମାନେ ଯୋଗଦେବେ। ଆବଶ୍ୟକ ତଥ୍ୟ ଓ ସୂଚନା ସହ କୁଳପତି, ବିଭାଗୀୟ ଅଧିକାରୀମାନେ ସମ୍ମିଳନୀରେ ଯୋଗଦେବାକୁ ରାଜଭବନ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ଯେ ପୂର୍ବରୁ ରାଜ୍ୟପାଳ କେତେକ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ରାଜଭବନ ଡକାଇ ଅଲଗା ଅଲଗା ଭାବେ ବିଶ୍ୱବିଦ୍ୟାଳୟର କାର୍ଯ୍ୟ ଓ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ।

ସମ୍ବନ୍ଧିତ ଖବର