ରାଜ୍ୟରେ କରୋନା ଭୟ : ସ୍କୁଲ୍‌ରେ ସଭା ସମିତି ମନା

ଆଜିଠୁ ପ୍ରାର୍ଥନା ବେଳେ ସଚେତନ କରାଯିବ, ପ୍ରତି ସ୍କୁଲରେ ବଣ୍ଟାଯିବ ପ୍ରଚାରପତ୍ର

ଭୁବନେଶ୍ବର : ବିଶ୍ବରେ ବ୍ୟାପି ଚାଲିଛି କରୋନା ଭୂତାଣୁ। ଗୋଟିଏ ପରେ ଗୋଟିଏ ଦେଶକୁ ଡେଉଁଛି। ଇତିମଧ୍ୟରେ ୮୦ରୁ ଅଧିକ ଦେଶକୁ ଏହି ଭୂତାଣୁ ବ୍ୟାପିଥିବା ବେଳେ ଭାରତରେ ୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ‌ହୋଇଛନ୍ତି। ଏପର୍ଯ୍ୟନ୍ତ ଦେଶରେ କେହି ମୃତ୍ୟୁବରଣ କରି ନ ଥିଲେ ମଧ୍ୟ ସତର୍କତା ଅବଲମ୍ବନ କରିବାକୁ ସମସ୍ତ ରାଜ୍ୟକୁ କୁହାଯାଇଛି। ବିଶେଷକରି ଛାତ୍ରଛାତ୍ରୀଙ୍କୁ କିଭଳି ଏହି ଭୂତାଣୁ ଆକ୍ରମଣରୁ ରକ୍ଷା କରାଯାଇପାରିବ ସେନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଓ ସିବିଏସ୍‌ଇ ପକ୍ଷରୁ ବ୍ୟାପକ ସଚେତନତା କରାଯାଉଛି। ବିହିତ ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ କର୍ତୃପକ୍ଷ(ଓପେସା) ପକ୍ଷରୁ ଆଜି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ), ଜିଲ୍ଲା ପ୍ରକଳ୍ପ ସଂଯୋଜକ(ଡିପିସି) ଓ ବ୍ଳକ ଶିକ୍ଷା ଅଧିକାରୀ(ବିଇଓ)ଙ୍କୁ ଚିଠି ଲେଖାଯାଇଛି। କରୋନା ଭୂତାଣୁ ପ୍ରତିରୋଧ ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ନିର୍ଦେଶ ଦିଆଯାଇଛି।

ଚିଠିରେ ଉଲ୍ଲେଖ କରାଯାଇଛି ଯେ ଦେଶର କେତେକ ଅଞ୍ଚଳରେ କରୋନା ଭୂତାଣୁ ଚିହ୍ନଟ ହୋଇଛି। ତେଣୁ ଓଡ଼ିଶାରେ ଏହି ଭୂତାଣୁ କିଭଳି ନ ବ୍ୟାପିବ ସେଥିପାଇଁ ରାଜ୍ୟ ସରକାର ଏକାଧିକ ପଦକ୍ଷେପ ଗ୍ରହଣ କରିଛନ୍ତି। ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି। ନିୟମିତ ଭାବେ ହାତ ଧୋଇବା, କାଶିବା/ଛିଙ୍କିବା ସମୟରେ ମୁହଁରେ କପଡ଼ା/ରୁମାଲ ବ୍ୟବହାର କରିବା, ଗୋଟିଏ ସ୍ଥାନରେ ଏକତ୍ର ନ ହେବା, କ୍ୟାମ୍ପସରେ ସଭା ସମିତି କରିବା ଉପରେ ବି କଟକଣା ଜାରି ହୋଇଛି। ଏହାଦ୍ବାରା କେବଳ ଯେ କରୋନା ଭୂତାଣୁ ଉପରେ ରୋକ ଲଗାଯାଇପାରିବ ତାହା ନୁହେଁ, ବରଂ ଅନ୍ୟାନ୍ୟ ଫ୍ଲୁ/ ମଣିଷରୁ ମଣିଷଙ୍କୁ ଡେଉଁଥିବା ରୋଗ ଉପରେ ବି ରୋକ ଲଗାଯାଇପାରିବ।

ଆହୁରି କୁହାଯାଇଛି ଯେ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ବିଦ୍ୟାଳୟର ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀ ଏନେଇ ପିଲାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବେ। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ବାରା ସ୍କୁଲଗୁଡ଼ିକ ପାଇଁ ଜାରି ହୋଇଥିବା ପରାମର୍ଶ(ଆଡଭାଇଜରି)ଗୁଡ଼ିକୁ ଲାଗୁ କରିବାକୁ ନିର୍ଦେଶ ଦିଆଯାଇଛି। ଏଥିସହ ଯେତେଶୀଘ୍ର ସମ୍ଭବ ମନ୍ତ୍ରଣାଳୟର ପରାମର୍ଶକୁ ସମସ୍ତ ବିଦ୍ୟାଳୟକୁ ପଠାଇବା ଦିଗରେ ପଦକ୍ଷେପ ନେବାକୁ ଅଧିକାରୀଙ୍କୁ କୁହାଯାଇଛି। ପ୍ରତିଦିନ ସକାଳେ ବିଦ୍ୟାଳୟରେ ହେଉଥିବା ପ୍ରାର୍ଥନା ବେଳେ ଏନେଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବାକୁ ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀଙ୍କୁ ପରାମର୍ଶ ଦିଆଯାଇଛି। ଏଥିସହ ସ୍କୁଲ ଆଡଭାଇଜରିର ପ୍ରଚାରପତ୍ର ପ୍ରକାଶ କରି ପ୍ରତି ବିଦ୍ୟାଳୟକୁ ଅତି କମ୍‌ରେ ୫ଟି କପି ପଠାଇବାକୁ ଡିଇଓ, ଡିପିସି ଓ ବିଇଓମାନଙ୍କୁ କୁହାଯାଇଛି।

ସମ୍ବନ୍ଧିତ ଖବର