କୋଣାର୍କ ଉତ୍ସବ ନେଇ ମାନସ ମନ୍ଥନ, କଳାକାର ଚୟନ ପାଇଁ ବସିଲା ବୈଠକ

ଭୁବନେଶ୍ବର : କରୋନା ମନୋରଂଜନ ଶିଳ୍ପରେ ବ୍ରେକ୍‌ ଦେଇଛି। ସାଂସ୍କୃତିକ ମଣ୍ଡପରେ ତାଲା ଝୁଲୁଛି। ଫଳରେ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ କ୍ୟାଲେଣ୍ଡରରେ ଥିବା ବହୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ଚଳିତ ବର୍ଷ ବାଦ୍‌ ପଡ଼ିଛି। ତେବେ ରାଜ୍ୟର ସବୁଠୁ ଲୋକପ୍ରିୟ ଓ ବୃହତ୍‌ ଶାସ୍ତ୍ରୀୟ ନୃତ୍ୟ ଉତ୍ସବ ‘କୋଣାର୍କ ଉତ୍ସବ’କୁ ନେଇ ଆଶା ଛାଡ଼ିନି ପର୍ଯ୍ୟଟନ ବିଭାଗ। ଯଦିଓ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ ହୋଇନାହିଁ, କିନ୍ତୁ କାର୍ଯ୍ୟକ୍ରମ ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ କରିଛି ପର୍ଯ୍ୟଟନ ବିଭାଗ।

ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏନେଇ ୨ ଥର ‌ବୈଠକ ବସିସାରିଲାଣି। ପ୍ରଥମ ବୈଠକ ୧୬ ଜୁଲାଇରେ ହୋଇଥିବା ବେଳେ ଦ୍ବିତୀୟ ବୈଠକ ଗତ ୧୮ ତାରିଖରେ ହୋଇଥିଲା। ଉଭୟ ବୈଠକରେ କଳାକାର ଚୟନ ନେଇ ଆଲୋଚନା ହୋଇଛି। ଏନେଇ ପର୍ଯ୍ୟଟନ ନିର୍ଦେଶକ ସଚ୍ଚିନ ରାମଚନ୍ଦ୍ର ଯାଦବ କହିଛନ୍ତି, ପର୍ଯ୍ୟଟନ ବିଭାଗ ପକ୍ଷରୁ ଗଠନ ହୋଇଥିବା କଳାକାର ଚୟନ କମିଟିକୁ ନେଇ ବୈଠକ ହୋଇଛି। ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ପର୍ଯ୍ୟଟନ ସଚିବ, ନିର୍ଦେଶକ, ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ, ନିର୍ଦେଶକ, ଓଡ଼ିଶୀ ନୃତ୍ୟଶିଳ୍ପୀ ଅରୁଣା ମହାନ୍ତି, ସୁଜାତା ମହାପାତ୍ର, ନୃତ୍ୟ ସୀମକ୍ଷିକା ଲୀଲା ଭେଙ୍କଟରମଣଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି। ସେ କହିଛନ୍ତି, ଡିସେମ୍ବର ବେଳକୁ ସ୍ଥିତି କ’ଣ ହେବ ତାହା ଜଣାନାହିଁ। ତେଣୁ କାର୍ଯ୍ୟକ୍ରମ କିଭଳି ଆୟୋଜନ ହେବ ସେନେଇ ନିଷ୍ପତ୍ତି ହୋଇନାହିଁ। ଯଦି ଟିକା ଆସିଯିବ ତେବେ ମଞ୍ଚରେ ପରିବେଷଣ ହୋଇପାରିବ। ଯଦି ଟିକା ନବାହାରେ ତେବେ ବିକଳ୍ପ କଥା ଚିନ୍ତା କରାଯିବ। ମାତ୍ର ଯଦି ସ୍ଥିତି ସୁଧୁରିଯାଏ ଏବଂ ଆମେ ଆଗରୁ ପ୍ରସ୍ତୁତ ହୋଇନଥିବୁ ତେବେ ସମସ୍ୟା ସୃଷ୍ଟି ହେବ। ତେଣୁ ବାଧ୍ୟ ହୋଇ ଆମେ ବୈଠକରେ କଳାକାର ଚୟନ ନେଇ ଆଲୋଚନା କରୁଛୁ। କଳାକାର ଚୟନ ଚୂଡ଼ାନ୍ତ ହୋଇନଥିଲେ ହେଁ ପ୍ରାଥମିକ ପର୍ଯ୍ୟାୟରେ କିଛି କଳାକାରଙ୍କୁ ନିଆଯାଇଛି ବୋଲି ସେ କହିଛନ୍ତି।

୧୯୮୯ ମସିହାରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର କୋଣାର୍କ ଉତ୍ସବର ଶୁଭାରମ୍ଭ କରିଥିବା ବ‌େଳେ ଏହା ଫେବ୍ରୁଆରିରେ ଆୟୋଜନ ହେଉଥିଲା। ପ୍ରାରମ୍ଭରୁ ଏହା ୭ଦିନ ହେଉଥିଲା। ତେବେ ୧୯୯୧ ମସିହାରେ ଗଲ୍ଫ ୱାର ଯୋଗୁଁ ଏହା ସ୍ଥଗିତ ରଖାଯାଇଥିଲା। ଏହା ବ୍ୟତୀତ ୧୯୯୨ ମସିହାରୁ ଏହା ଡିସେମ୍ବରରେ ଲଗାତାର ହୋଇ ଆସୁଛି। ୨୦୧୨ ମସିହା ପର୍ଯ୍ୟନ୍ତ ଓଡ଼ିଶୀ ଗବେଷଣା କେନ୍ଦ୍ର ଆୟୋଜକ ରହିଥିବା ବ‌େଳେ ପର୍ଯ୍ୟଟନ ବିଭାଗ ଆତିଥ୍ୟ ସେବା ଯୋଗାଇ ଦେଉଥିଲା। ତେବେ ୨୦୧୩ ମସିହା ପରଠୁ ପର୍ଯ୍ୟଟନ ବିଭାଗ ଏହି ଉତ୍ସବର ଆୟୋଜନ କରି ଆସୁଛି।

ସମ୍ବନ୍ଧିତ ଖବର