କଟକ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ର‌ାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଆଜି ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଛି। ରାଜ୍ୟ ପରିବହନ ଆୟୁକ୍ତ ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରର ଅନୁଷ୍ଠିତ ବୈଠକରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସମେତ ପୁରୀ, କଟକ ଓ ଭୁବନେଶ୍ବର ଆଞ୍ଚଳିକ ପରିବହନ ଅଧିକାରୀ, ବସ୍ ମାଲିକ ସଂଘର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ପ୍ରତିବର୍ଷ ଭଳି ଚଳିତ ଥର ମଧ୍ୟ ରଥଯାତ୍ରା, ବାହୁଡା ଯାତ୍ରା ଓ ସୁନାବେଶ ପାଇଁ ଅନ୍ୟ ରୁଟ୍‌ ଗାଡିଗୁଡିକୁ ପୁରୀ ପାଇଁ ସ୍ୱତନ୍ତ୍ର ପରମିଟ୍ ପ୍ରଦାନ କରାଯିବ। ଆଗ୍ରହୀ ବସ୍ ମାଲିକମାନେ ଏଥିପାଇଁ ଆବେଦନ କରିପାରିବେ। ଏସ୍‌ଟିଏ ମଖ୍ୟାଳୟରେ ସିଙ୍ଗିଲ୍‌ ୱିଣ୍ଡୋ ବ୍ୟବସ୍ଥାରେ ଏହାକୁ ଅନୁମୋଦନ ମିଳିବ। ବିଶେଷ କରି କଟକ-ଭୁବନେଶ୍ବରରୁ କିଭଳି ଅଧିକ ସଂଖ୍ୟକ ବସ୍ ପୁରୀକୁ ଚଳାଚଳ କରିବ ତା ଉପରେ ଗୁରୁତ୍ୱ ଦିଆଯିବ। ନିର୍ଦ୍ଧାରିତ ବସ୍ ଭଡା ଠାରୁ କୌଣସି ବସ୍ ଅଧିକ ଭଡା ଦାବି କରିବାର ଅଭିଯୋଗ ଆସିଲେ ସେମାନଙ୍କ ବିରୋଧ‌ରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମାଳତୀପାଟପୁର କିମ୍ବା ତାଳବଣିଆରୁ ବଡଦାଣ୍ଡକୁ ଯାଉଥିବା ଅଟୋ କିମ୍ବା ଅନ୍ୟଗାଡିଗୁଡିକ ଉପରେ ନଜର ରଖାଯିବ। ଅଧିକ ଭଡା ନେଉଥିବାର ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବସ୍ ରହଣି ସ୍ଥାନମାନଙ୍କରେ ଅସ୍ଥାୟୀ ବିଶ୍ରାମାଗାର ସହ ପ୍ରଶାସନ ତରଫରୁ ଖାଦ୍ୟ, ପାନୀୟ ଜଳ ବଣ୍ଟନର ବ୍ୟବସ୍ଥା କରାଯିବ। ରାସ୍ତାଘାଟ ଆଲୋକୀକରଣକୁ ସୁନିଶ୍ଚିତ କରାଯିବ।

Advertisment

ରଥଯାତ୍ରା, ବାହୁଡା ଓ ସୁନାବେଶ ପାଇଁ ସ୍ବତନ୍ତ୍ର ପରମିଟ୍‌
ମାଳତୀପାଟପୁର, ତାଳବଣିଆରେ ଅସ୍ଥାୟୀ ବିଶ୍ରାମାଗାର ସହିତ ସ୍ବତନ୍ତ୍ର ସୁବିଧା

ବସ୍‌ରେ ପର୍ଯ୍ୟାପ୍ତ ପରିମାଣରେ ଓଆରଏସ୍‌ ଓ ଫାଷ୍ଟ୍‌ଏଡ୍‌ ରଖାଯିବ। ସେ ସବୁ ଏସ୍‌ଟିଏ ପକ୍ଷରୁ ଯୋଗାଇ ଦିଆଯିବ। ରଥଯାତ୍ରା ସମୟରେ ସ୍ପେଶାଲ ପରମିଟ୍‌ ପାଇଥିବା ବସ୍‌ଗୁଡିକୁ ବସ୍ ଷ୍ଟପ୍ ଗୁଡିକରେ ଯାତ୍ରୀମାନଙ୍କୁ ଯେମିତି କେହି ହଇରାଣ ନ କରନ୍ତି ସେଥିପ୍ରତି ପୁଲିସର ସହାୟତା ନିଆଯିବ। ପୁରୀର ତାଳବଣିଆରେ ସିସିଟିଭି ଲଗାଯିବ। ରାଜ୍ୟ ବାହାରର ଯାତ୍ରୀବାହୀ ଗାଡିଗୁଡିକ ମାଳତୀପାଟପୁରରେ ରହିବ। ଯାତ୍ରୀ ଓ ଯାତ୍ରୀବାହୀ ଗାଡିମାନଙ୍କ ସୁବିଧା ପାଇଁ ରଥଯାତ୍ରା ସମୟରେ ପୁରି ଆରଟିଓଙ୍କ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ବ୍ୟବସ୍ଥା କରାଯାଇଛି। ଗାଡି ମରାମତି ପାଇଁ ବିଭିନ୍ନ କମ୍ପାନିଙ୍କ ସହଯୋଗରେ ଏହି ବ୍ୟବସ୍ଥା କରାଯିବ। ଶୃଙ୍ଖଳିତ ଟ୍ରାଫିକ୍‌ ବ୍ୟବସ୍ଥା ଉପରେ ଧ୍ୟାନ ଦିଆଯିବ। ଜାତୀୟ ରାଜପଥର ଗହଳି ଆଶଙ୍କା ଥିବା ସ୍ଥାନ ବିଶେଷ କରି ପଳାଶୁଣି, ହଂସପାଳ ଭଳି ସ୍ଥାନରେ ସ୍ୱତନ୍ତ୍ର ଟିମ୍ ଦାୟିତ୍ୱରେ ରହିବ। ସମସ୍ତ ବିଭାଗ, ଗାଡି ମାଲିକ ଓ କର୍ମଚାରୀଙ୍କ ସହଯୋଗରେ ଜନସାଧାରଣଙ୍କୁ ସେବା ପ୍ରଦାନ କରିବା ପାଇଁ ସମସ୍ତ ପଦକ୍ଷପ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ରଥଯାତ୍ରା ସମୟରେ ବେପରୁଆ ଗାଡି ଚାଳନା ରୋକିବାକୁ ପଦକ୍ଷେପ ନିଆଯିବ। ଆଲୋଚନା ଶେଷରେ ଯୁଗ୍ମ ପରିବହନ କମିଶନର ପ୍ରଦୀପ କୁମାର ମହାନ୍ତି ଧନ୍ୟବାଦ ଦେଇଥିଲେ।