ଖାଲିଥିବା ବିଭିନ୍ନ ପଦବି ପାଇଁ ନିଯୁକ୍ତି ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ; ଦରଖାସ୍ତ ଏବଂ ପରୀକ୍ଷା ଫି’ ଛାଡ଼

୨୦୨୧ରୁ ୨୦୨୩ ବର୍ଷ ନିମନ୍ତେ ବୟସ ସୀମା ୩୮କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଅଧିନ ବିଭିନ୍ନ କ୍ୟାଡରରେ ଖାଲିଥିବା ପଦବି ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ବନ୍ଧରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ସେ ନିର୍ଦ୍ଦେଶ ଦେଇଛନ୍ତି। ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର ବିଭିନ୍ନ ସରକାରୀ ପଦବି ନିମନ୍ତେ କମିସନମାନଙ୍କ ମାଧ୍ୟମରେ ହେଉଥିବା ଚୟନ ଓ ନିଯୁକ୍ତି ପ୍ରକ୍ରିୟା ସମ୍ବନ୍ଧିତ ବିଷୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ ।

ବର୍ତ୍ତମାନ ପର୍ଯ୍ୟନ୍ତ ଏ ଦିଗରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଚୟନ ପ୍ରକ୍ରିୟା ତ୍ବରାନ୍ବିତ କରିବା ନିମନ୍ତେ ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିସନ, ଷ୍ଟାପ୍ ସିଲେକ୍‌ସନ୍ କମିସନ, ସବ-ଅଡିନେଟ୍ ଷ୍ଟାପ୍ ସିଲେକ୍‌ସନ୍ କମିସନ, ପୁଲିସ୍ ରିକୁମେଣ୍ଟ ବୋର୍ଡ ଆଦିଙ୍କୁ ପରାମର୍ଶ ଦେଇଥିଲେ । ଯେଉଁ ପଦବିମାନଙ୍କ ପାଇଁ ପରୀକ୍ଷା ଓ ମୂଲ୍ୟାୟନ ସରିଛି ସେସବୁର ଚୟନ ତାଲିକା ନିଯୁକ୍ତି ନିମନ୍ତେ ତୁରନ୍ତ ସଂପୃକ୍ତ ବିଭାଗମାନଙ୍କୁ ସୁପାରିଶ କରିବା ପାଇଁ ମଧ୍ୟ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ ।

ବୈଠକର ଆଲୋଚନାରୁ ଜଣାପଡ଼ିଥିଲା ଯେ କୋଭିଡ୍‌-ପରବର୍ତ୍ତୀ ସ୍ଥିତିରେ ରାଜ୍ୟ ସରକାର ବିଭିନ୍ନ ପଦବି ନିମନ୍ତେ ଦରଖାସ୍ତ ଓ ପରୀକ୍ଷା ଫିସ୍ ଛାଡ କରିଛନ୍ତି । ୨୦୨୧, ୨୦୨୨ ଏବଂ ୨୦୨୩ ଏହି ତିନି ବର୍ଷ ପାଇଁ ସରକାରୀ ଚାକିରି ପ୍ରବେଶ ବୟସ ସୀମା ମଧ୍ୟ ୩ ୨ରୁ ୩୮କୁ ବୃଦ୍ଧି କରିଛନ୍ତି । ତଦନୁଯାୟୀ ସଂରକ୍ଷିତ ଶ୍ରେଣୀ ଅନ୍ତର୍ଭୁକ୍ତ ବର୍ଗମାନଙ୍କ ପାଇଁ ମଧ୍ୟ ନିୟମ ଅନୁସାରେ ବୟସସୀମା କୋହଳ କରାଯାଇଛି ।

ସମୀକ୍ଷାରୁ ଜଣାପଡିଥିଲା ଯେ ୨୦୨୧-୨୨ ଏବଂ ଚଳିତ ୨୦୨୨-୨୩ ବର୍ଷରେ ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିସନ ମାଧ୍ୟମରେ ୨୮୪୮ ପଦବି, ଓଡ଼ିଶା ଷ୍ଟାଫ୍ ସିଲେସନ୍ କମିସନ ମାଧ୍ୟମରେ ୨୫୫୫ ପଦବି ଏବଂ ସବ୍-ଅଡିନେଟ୍ ଷ୍ଟାଫ୍ ସିଲେନ୍ସନ୍ କମିସନ ମାଧ୍ୟମରେ ୧୦୩୫୫ ପଦବି ପାଇଁ ପାର୍ଥ ଚୟନ କରାଯାଇଛି । ସେମାନଙ୍କୁ ମଧ୍ୟ ସରକାରୀ ବିଭାଗମାନେ ପର୍ଯ୍ୟାୟକ୍ରମେ ନିଯୁକ୍ତି ଦେଉଛନ୍ତି ।

ଏତଦ୍‌ବ୍ୟତୀତ ବର୍ତ୍ତମାନ ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିସନ ୫୮୯୩ ଗୁପ-ଏ ଓ ଗ୍ରୁପ୍‌-ବି (ଦରମା ସ୍ତର-୧୦ରୁ ଅଧିକ ) ପଦବି ପାଇଁ ଚୟନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଷ୍ଟାପ୍ ସିଲେସନ୍ କମିସନ ୨୩୭୬ ଗ୍ରୁପ୍‌-ବି(ଦରମାସ୍ତର-୯) ଏବଂ ଗ୍ରୁପ୍‌-ସି ପଦବି ପାଇଁ ମଧ୍ୟ ଚୟନ ପ୍ରକ୍ରିୟା ତ୍ବରାନ୍ବିତ କରିଛନ୍ତି । ଏମାନେ ସମସ୍ତେ ଷ୍ଟେଟ୍ କ୍ୟାଡର୍ ଅନ୍ତର୍ଭୁକ୍ତ ହେବେ । ସେହିପରି ସବ୍-ଅଡିନେଟ୍ ଷ୍ଟାପ୍ ସିଲେକ୍‌ସନ୍ କମିସନ ଜିଲ୍ଲା-କ୍ୟାଡର ଅନ୍ତର୍ଭୁକ୍ତ ଗ୍ରୁପ୍‌-ବି ଏବଂ ଗ୍ରୁପ୍‌-ସି ପଦବୀ ପାଇଁ ମଧ୍ୟ ବିଜ୍ଞାପନ, ପରୀକ୍ଷା ଓ ଚୟନ ପ୍ରକ୍ରିୟା ଚାଲୁ ରଖୁଛନ୍ତି । ଏହିସବୁ ପଦବିରେ ଚୟନ ଓ ନିଯୁକ୍ତି ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଛି ।

। ମୁଖ୍ୟତଃ ବେଶି ସଂଖ୍ୟାରେ କୁନିଅର ଇଞ୍ଜିନିୟର, ଷ୍ଟେନୋଗ୍ରାଫର, ଅବକାରୀ ଏସ୍.ଆଇ, ଡାଟା ଏଣ୍ଡି ଅପରେଟର, ବ୍ଲକ୍ ସାମାଜିକ ସୁରକ୍ଷା ଅଫିସର, ଅଡିଟର, ଆର. ଆଇ, ଅମିନ, ଫରେଷ୍ଟ ଗାର୍ଡ, ଅବକାରୀ କନେଷ୍ଟବଳ, ନର୍ସ ଅଫିସର, ପ୍ରାଣୀ-ଧନ ନିରୀକ୍ଷକମାନଙ୍କୁ ଚୟନ କରାଯିବ । ଏହାଛଡ଼ା ଓଡ଼ିଶା ସିଭିଲ୍ ସର୍ଭିସେସ୍ ଅନ୍ତର୍ଭୁକ୍ତ ବିଭିନ୍ନ ପଦବି, ମେଡିକାଲ୍ କଲେଜ୍ ପାଇଁ ଅତିରିକ୍ତ – ପ୍ରଫେସର, କୃଷି ଅଧିକାରୀ, ସ୍ନାତକଭୋର ଶିକ୍ଷକ, ଭୁତତ୍ତ୍ବବିତ୍, ବିଭିନ୍ନ ସରକରୀ ମହାବିଦ୍ୟାଳୟ ନିମନ୍ତେ ଅତିରିକ୍ତ-ପ୍ରଫେସର ଆଦି ପଦବୀ ପାଇଁ ଚୟନ ଓ ନିଯୁକ୍ତି ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଛି ।

ପୋଲିସ୍‌ ମହାନିର୍ଦ୍ଦେଶକ ସୁନିଲ୍ କୁମାର ବଂଶଲ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ, ପ୍ରମୁଖ ଶାସନ ସଚିବ ଓ ସବ୍ଅଡିନେଟ ଷ୍ଟାପ୍ ସିଲେକସନ୍ କମିଶନ ଅଧ୍ୟକ୍ଷ ଶାଶ୍ବତ ମିଶ୍ର, ଷ୍ଟାପ୍ ସିଲେକସନ୍ କମିସନ ଅଧ୍ୟକ୍ଷ ଅଭୟ, ପବ୍ଲିକ୍ ସର୍ଭିସ୍ କମିସନ ସେକ୍ରେଟେରୀ ପ୍ରମୋଦ ମିଶ୍ରଙ୍କ ସମେତ ସଂପୃକ୍ତ କମିସନମାନଙ୍କର ସେକ୍ରେଟେରୀ ଓ ବିଭାଗୀୟ ବରିଷ୍ଠ ଅଧୁକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ସମ୍ବନ୍ଧିତ ଖବର