ନାଗରିକ କମିଟି ବୈଠକ: ଏମ୍ସ ପାଇଁ ସୁନ୍ଦରଗଡ଼ରେ ତେଜୁଛି ସ୍ବର, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି

ସୁନ୍ଦରଗଡ଼: ସୁନ୍ଦରଗଡ଼ ଏନଟିପିସି ହସ୍ପିଟାଲରେ ରାଜ୍ୟର ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ନେଇ ଉଭୟ କେନ୍ଦ୍ର ଓ ରାଜ୍ୟର ଆଭିମୁଖ୍ୟ ଏଯାଏ ସ୍ପଷ୍ଟ ନୁହେଁ। ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ପଛୁଆ ଥିବା ଏହି ଅଞ୍ଚଳରେ ଏକ ନୂଆ ଆଶା ନେଇ ଆସିବାକୁ ଥିବା ଏମ୍ସର ପଥ ଓଗାଳିବାକୁ ଚେଷ୍ଟା କରାଯାଉଥିବା ଅଭିଯୋଗ ହୋଇଛି, ଯାହା ସୁନ୍ଦରଗଡ଼ ସମେତ ସମଗ୍ର ପଶ୍ଚିମ ଓଡ଼ିଶା ପାଇଁ ଅସନ୍ତୋଷର କାରଣ ହୋଇଛି। ଏସ୍ଥିତିରେ ଏମ୍ସ ପ୍ରତିଷ୍ଠା ପାଇଁ ସମ୍ବଲପୁର ଓ ସୁନ୍ଦରଗଡ଼ରେ ସ୍ବର ତେଜିୟାନ ହେବାରେ ଲାଗିଛି।

ଅଗଷ୍ଟ ୭ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ ସୁନ୍ଦରଗଡ଼ ବନ୍ଦ ଡାକରା ଦେଇଥିବା ବେଳେ ସୁନ୍ଦରଗଡ଼ ନାଗରିକ କମିଟି ଆନ୍ଦୋଳନର ସ୍ବରକୁ ଆହୁରି ବ୍ୟାପକ ଓ ଦୃଢ଼ କରିବାକୁ ପାଦ ବଢ଼ାଇଛି। ଏହିକ୍ରମରେ ଗୁରୁବାର ସ୍ଥାନୀୟ ପୂର୍ତ୍ତ ଡାକବଙ୍ଗଳାରେ ଅନୁଷ୍ଠିତ କମିଟିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏମ୍ସ ପାଇଁ ଦଳମତ ନିର୍ବିଶେଷରେ ସମସ୍ତ ରାଜନୈତିକ ଦଳ, ବୁଦ୍ଧିଜୀବୀ, ଶ୍ରମିକ, ଯୁବ, ଛାତ୍ର ସଂଗଠନ, ସାମାଜିକ ସଂଗଠନ ଏକଜୁଟ ହୋଇ ଲଢ଼େଇ କରିବାକୁ ଆହ୍ବାନ ଦିଆଯାଇଛି। ନାଗରିକ କମିଟି ସଭାପତି ଅଶୋକ କୁମାର ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଏମ୍ସ ପ୍ରତିଷ୍ଠା ପ୍ରସଙ୍ଗରେ ବିଶଦ ଆଲୋଚନା କରି ଏଥିରେ ମୁଖ୍ୟମନ୍ତ୍ରୀ ନିଜେ ହସ୍ତକ୍ଷେପ କରନ୍ତୁ ବୋଲି ଦାବି ହୋଇଛି।

ରାଜ୍ୟ ସରକାର ଏ ସଂକ୍ରାନ୍ତରେ କେନ୍ଦ୍ରକୁ ପ୍ରସ୍ତାବ ଦେଇଥିବାରୁ ଆସନ୍ତା ବିଧାନସଭା ଅଧିବେଶନରେ ସୁନ୍ଦରଗଡ଼ଠାରେ ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ନେଇ ଏକ ସଂକଳ୍ପ ଗୃହୀତ କରିବା ପାଇଁ ଅନୁରୋଧ କରାଯାଇଛି। ଏହି ଅବସରରେ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ମାନ୍ୟତା, ଝାରସୁଗୁଡ଼ା ଠାରୁ ଅମ୍ବିକାପୁର ଭାୟା ସୁନ୍ଦରଗଡ଼ ରେଳ ପଥ ନିର୍ମାଣ, ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରେ ନିର୍ମାଣାଧୀନ ବିଜୁଳିବନ୍ଧ କାମ ତୁରନ୍ତ ଶେଷ କରିବାକୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର