ଭୁବନେଶ୍ବର: ପ୍ରଚଣ୍ଡ ଗ୍ରୀଷ୍ମରେ ବିଦ୍ୟୁତ କାଟକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ଉକ୍ତ ବୈଠକରେ ବିଦ୍ୟୁତ ଯୋଗାଣ  ସମସ୍ୟା ନେଇ ଆଲୋଚନା ହୋଇଛି।  ବିଶେଷ କରି କାଳବୈଶାଖୀ ପରେ ପୁନରୁଦ୍ଧାର କାର୍ଯ୍ୟ କିପରି ଶୀଘ୍ର ହୋଇ ପାରିବ ଏବଂ ଯେଉଁଠି ବିଦ୍ୟୁତ ସମସ୍ୟା ହେଉଛି ତାକୁ ତୁରନ୍ତ ସମାଧାନ କରିବା ପାଇଁ ଡିସକମ୍(ବିଦ୍ୟୁତ ବିତରଣ କମ୍ପାନି)ମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଛନ୍ତି।

Advertisment

ଏହି ବୈଠକରେ ମୁଖ୍ୟ ସଚିବ  କଣ୍ଟ୍ରୋଲ ରୁମକୁ ଗୁରୁତ୍ଵ ଦେଇ ବିଦ୍ୟୁତ ଯୋଗାଇବା ଲାଗି କହିଛନ୍ତି। ବିଦ୍ୟୁତ କାଟ ସମସ୍ୟାକୁ ଦୂର କରିବା ତତ୍କାଳ ପଦକ୍ଷେପ ନେବାକୁ ଶକ୍ତି ବିଭାଗ ଓ ବିତରଣ କମ୍ପାନିଙ୍କୁ କହିଛନ୍ତି। ଉଭୟଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରି ବିଦ୍ୟୁତ୍ ଯୋଗାଇବାକୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ନିର୍ଦେଶ ଦେଇଛନ୍ତି। ସବଷ୍ଟେସନ ଓ ଷ୍ଟେସନ ସହ ଯୋଗାଯୋଗ କରି ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାଛଡ଼ା ସବଷ୍ଟେସନଗୁଡ଼ିକୁ ଆସୁଥିବା ଗ୍ର‌ାହକଙ୍କ କଲ ରିସିଭ କରିବା ଲାଗି ମଧ୍ୟ ତାଗିଦ କରିଛନ୍ତି।  ଏହାଛଡ଼ା ବିଦ୍ୟୁତ କାଟ ନେଇ ସୋସିଆଲ ମିଡିଆରେ ଆସୁଥିବା ଅଭିଯୋଗକୁ ଗୁରୁତ୍ବର ସହ ନେଇ ଯଥା ଶୀଘ୍ର ସମାଧାନ କରିବା ସହ ଲୋକଙ୍କ କଲ ଆସିଲେ ଆଟେଣ୍ଡ କରିବାକୁ ଓ ପୁନରୁଦ୍ଧାର କାର୍ଯ୍ୟ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଛନ୍ତି।

ଗୁରୁବାର କାଳବୈଶାଖୀ ପରେ ରାଜଧାନୀ ସମେତ ବିଭିନ୍ନ ଜିଲ୍ଲାରେ ବହୁ ଅଞ୍ଚଳ ଦୀର୍ଘ ସମୟ ପର୍ଯ୍ୟନ୍ତ ଅନ୍ଧାରରେ ରହିଥିଲା। ସାମାଜିକ ଗଣମାଧ୍ୟମରେ ଶକ୍ତି ବିଭାଗକୁ ‌ଜୋରଦାର ଟ୍ରୋଲ୍ କରାଯାଇଥିଲା। ସ୍ଥିତି ଏତେ ଗମ୍ଭୀର ହୋଇଥିଲା ଯେ ନିଜେ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ମଧ୍ୟ ଅସହାୟ ପ୍ରକାଶ କରି ଟୁଇଟ୍ କରିବାକୁ ବାଧ୍ୟ ହୋଇଥିଲେ। ଶ୍ରୀ ଜେନା ଲେଖିଥିଲେ ଯେ କାଳବୈଶାଖୀ ପରେ ଯଦି ପୁନରୁଦ୍ଧାର କରିବାକୁ ଏତେ ସମୟ ଲାଗୁଛି ତେବେ ବାତ୍ୟା ହେଲେ କ’ଣ ହେବ? ଲୋକ ଏହିଭଳି ଧିମା କାର୍ଯ୍ୟକୁ ଗ୍ରହଣ କରିପାରୁନାହାନ୍ତି। ତୁରନ୍ତ ପୁନରୁଦ୍ଧାର କାମ ସାରି ଲାଇନ୍ ଦେବାକୁ ସେ ଟୁଇଟ୍‌ରେ ଟାଟା ପାୱାରକୁ ତାଗିଦ୍ କରିଥିଲେ। ହେଲେ ସ୍ଥିତି ବିଶେଷ ନସୁଧୁରିବାରୁ ଏବଂ ଗ୍ରାମାଞ୍ଚଳରେ ସାଂଘାତିକ ସ୍ଥିତି ଦେଖାଦେଇଥିବାରୁ ମୁଖ୍ୟ ସଚିବ ସୋମବାର ଟାଟା ପାୱାରର ୪ଟି ବିତରଣ କମ୍ପାନିର ମୁଖ୍ୟଙ୍କ ‌ବୈଠକ ଡକାଇଥିଲେ। ରାଜ୍ୟରେ ବିପର୍ଯ୍ୟସ୍ତ ବିଦ୍ୟୁତ ସେବା କିପରି ସୁଧୁରିବ ସେନେଇ ସମୀକ୍ଷା କରିବାକୁ ମୁଖ୍ୟ ସଚିବ ଅଣ୍ଟା ଭିଡ଼ିଛନ୍ତି। ମୁଖ୍ୟସଚିବଙ୍କର ଦୀର୍ଘ ବର୍ଷର ଏସ୍‌ଆର୍‌ସି ଓ ଶକ୍ତି ସଚିବର ଅନୁଭୂତି ଥିବାରୁ ମୁଖ୍ୟ ସଚିବ ବିଦ୍ୟୁତ ‌ଯୋଗାଣ ସମସ୍ୟାର କି ସମାଧାନ କରୁଛନ୍ତି ତାହା ଉପରେ ସମ‌ସ୍ତଙ୍କ ନଜର ରହିଥିଲା।