ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଗହଣରେ ଆରମ୍ଭ ହୋଇଛି ରଥଟଣା। ଭକ୍ତ ଓ ଭଗବାନଙ୍କ ମହାମିଳନରେ ଭାବମୟ ହୋଇ ପଡ଼ିଛି ବଡ଼ଦାଣ୍ଡ। ପରମ୍ପରା ଅନୁଯାୟୀ ରବିବାର ଦିନ କାଳିଆ ସାଆନ୍ତ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ଧରି ଶ୍ରୀମନ୍ଦିରରୁ ପହଣ୍ଡିରେ ଆସି ରଥାରୂଢ଼ ହୋଇଥିଲେ। ଆଜି ଅପରାହ୍ନ ୨ଟା ୩୦ ମିନିଟ୍ରେ ରଥଟଣା ଆରମ୍ଭ ହୋଇଥିଲା । ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ରଥକୁ ଭକ୍ତମାନେ ଟାଣି ଟାଣି ନେଇ ମାଉସୀ ମା’ ମନ୍ଦିର ପାଖରେ ପହଞ୍ଚାଇଥିଲେ। ଏହାପରେ ସନ୍ଧ୍ୟା ୫ଟାରେ ଦେବୀ ସୁଭଦ୍ରା ମାଉସୀ ଘରକୁ ବାହାରିଥିଲେ। ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣିଥିଲେ। ପରମ୍ପରା ଅନୁଯାୟୀ ସୁଭଦ୍ରାଙ୍କ ରଥ ଅଧାବାଟ; ଟାଉନ୍ ଥାନା ସମ୍ମୁଖରେ ଅଟକି ଥିଲା। ଆସନ୍ତାକାଲି ମହାପ୍ରଭୁ ଜଗନ୍ନାଥଙ୍କ ରଥ ଗଡ଼ିବ। ଆଗେ ଆଗେ ଦେବୀ ସୁଭଦ୍ରା ଓ ପଛରେ ପ୍ରଭୁ ଜଗନ୍ନାଥ ମାଉସୀ ମା’ ମନ୍ଦିର ଅଭିମୁଖେ ଯାତ୍ରା କରିବେ।
ମାଉସୀ ମା’ ମନ୍ଦିର ନିକଟରେ ପ୍ରଭୁ ବଳଭଦ୍ର
ଅଧାବାଟରେ ଅଟକିଲେ ଭଉଣୀ ସୁଭଦ୍ରା
ରଥ ଟାଣିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
ଆଜି ଗଡ଼ିବ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ
ଅନ୍ୟପକ୍ଷରେ, ଘୋଷଯାତ୍ରାରେ ବାରିପଦା ଶ୍ରୀଜଗନ୍ନାଥ ମନ୍ଦିରଠାରୁ ଅମ୍ବିକା ମନ୍ଦିର ପର୍ଯ୍ୟନ୍ତ ପାଦ ପକାଇବାକୁ ଜାଗା ନଥିଲା। ମୟୂରଭଞ୍ଜ ସହ କେନ୍ଦୁଝର, ବାଲେଶ୍ବର ସମେତ ପଡ଼ୋଶୀ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାରର ୨ ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତ ରଥ ଟାଣିଥିଲେ। ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଳଭଦ୍ର ଓ ସୁଭଦ୍ରାଙ୍କ ରଥ ଟାଣିଥିଲେ। ସାଂସଦ ନବଚରଣ ମାଝୀ, ରାଜ୍ୟସଭା ସାଂସଦ ମମତା ମହାନ୍ତ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ୱର ଟୁଡୁ, ବାରିପଦା ବିଧାୟକ ପ୍ରକାଶ ସୋରେନ, ସାରସକଣ ବିଧାୟକ ଭାଦବ ହାଁସଦା ପ୍ରମୁଖ ସାମିଲ ହୋଇଥିଲେ। ହରିବୋଲ ଓ ହୁଳହୁଳିରେ ବଡ଼ଦାଣ୍ଡ କମ୍ପି ଉଠିଥିଲା। ରଥଟଣା ସମୟରେ ବିଭିନ୍ନ ସଂକୀର୍ତ୍ତନ ଦଳଙ୍କ କୀର୍ତ୍ତନ ଏବଂ ନୃତ୍ୟଶିଳ୍ପୀଙ୍କ ନୃତ୍ୟ ଭକ୍ତମାନଙ୍କ ମନ ମୋହିଥିଲା। ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ, ଏସ୍ପି ଏସ୍ ସୁଶ୍ରୀ, ବାରିପଦା ଉପଜିଲ୍ଲାପାଳ ଈଶ୍ବର ଚନ୍ଦ୍ର ନାୟକ, ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଓ ଉପନଗରପାଳ ସୀମା ଦାସ ପ୍ରମୁଖ ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ।