ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ ପୁରୀର ଐତିହ୍ୟ ଓ ସଂସ୍କୃତିରେ ଅନେକ ପରିବର୍ତ୍ତନ ଆସିବ ବୋଲି କହିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ। ପୁରୀ ଐତିହ୍ୟ କରିଡ଼ର୍ ନେଇ ଭୁବନେଶ୍ୱରରେ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଗଜପତି ମହାରାଜ ଏହି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି କି ଆଗାମୀ ଦିନରେ ଶ୍ରୀକ୍ଷେତ୍ରର ଐତିହ୍ୟ, ସଂସ୍କୃତି, ମହିମା ଓ ପରଂପରାର ବିକାଶ ଦିଗରେ କାମ କରାଯିବ। ଦେଶ ବିଦେଶରେ ପୁରୀର ସୁନାମ ହେବା ଦିଗରେ ପ୍ରଚାର କରାଯିବ। ଐତିହ୍ୟ କରିଡର କାର୍ଯ୍ୟ ହାତକୁ ନେଇଥିବା କମ୍ପାନି ସେ ଦିଗରେ କାମ କରୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ଐତିହ୍ୟ କରିଡର୍ ନେଇ ଆଜି ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଐତିହ୍ୟ କରିଡର ନକ୍ସା ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ଚୂଡ଼ାନ୍ତ ରୂପରେଖ ନେବ। ଏବେ ଇ-ମେଲ୍ଯୋଗେ ଲୋକମାନେ ମତାମତ ଦେଉଛନ୍ତି। ଆମେ ଏଥିରେ ୪ଟି ଦିଗ ପ୍ରତି ଧ୍ୟାନ ଦେଉଛୁ।
ଶ୍ରୀମନ୍ଦିର ପ୍ରଶାସକ କହିଛନ୍ତି, ପ୍ରଥମତଃ ଶ୍ରୀମନ୍ଦିର ଚାରିପାର୍ଶ୍ୱରେ ଥିବା ସାହିକୁ ଯାତାୟତ ସୁବିଧା କରାଯିବ। ଏଥି ପାଇଁ ମାଇକ୍ରୋ ପ୍ଲାନିଂ କରାଯିବ। ଦ୍ୱିତୀୟତଃ ରଥଯାତ୍ରା ପରଂପରା ପୂର୍ବ ଭଳି ଜାରି ରହିବ ଏବଂ ରଥଖଳା ପୂର୍ବଭଳି ବ୍ୟବସ୍ଥିତ ରହିବ। ଚନ୍ଦନ ଯାତ୍ରା ପରି ଦେବଦେବୀଙ୍କ ବାହାର ଯାତ୍ରା ପ୍ରତି ମଧ୍ୟ ଦୃଷ୍ଟି ଦିଆଯିବ। ଶ୍ରୀମନ୍ଦିର ଭିତରକୁ ଯିବାବେଳେ ହାତ ଓ ପାଦ ଧୂଆ ବ୍ୟବସ୍ଥା କରାଯିବ। ଗଜପତିଙ୍କ ଦ୍ୱାରା ପ୍ରସ୍ତାବିତ ନାମ ସଂକୀର୍ତ୍ତନ ଓ ଯଜ୍ଞ ପାଇଁ ସ୍ୱତନ୍ତ୍ର ଜାଗା ରହିବ। ସେହିଭଳି ଏକକାଳୀନ ୫ ହଜାର ଭକ୍ତ ମହାପ୍ରସାଦ ଖାଇବା ପାଇଁ ସ୍ଥାନ ରଖାଯିବ।
ଅନ୍ୟପଟେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ନେଇ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଅସନ୍ତୋଷ ଦେଖାଯାଇଛନ୍ତି। ସେ ନିଜର ପ୍ରତିକ୍ରିୟାରେ କହିଛନ୍ତି, ମନ୍ଦିର ଚତୁଃପାର୍ଶ୍ୱରେ ଯେଉଁ ନିର୍ମାଣ କାମ ଚାଲିଛି, ଏଥିରେ ଉତ୍କଳୀୟ କଳା କୌଶଳ ରହୁ ନାହିଁ। ମୋତେ ପରାମର୍ଶ ମଗାଗଲେ, ମୁଁ କହିବି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି, ରଘୁନାଥ ମହାପାତ୍ରଙ୍କ ପରାମର୍ଶରେ ସବୁ କରାଯିବ।