ଶିକ୍ଷା ବିକାଶ ସମିତିର ଶିକ୍ଷା ପରିଷଦ ବୈଠକ: ଜାତୀୟ ଶିକ୍ଷାନୀତି ଆଧାରିତ ବାର୍ଷିକ ଶୈକ୍ଷିକ ଯୋଜନା ପ୍ରସ୍ତୁତ

ଭୁବନେଶ୍ବର: ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି ଓଡ଼ିଶାର ୨୦୨୨-୨୩ ଶିକ୍ଷା ବର୍ଷ ନିମନ୍ତେ ଦୁଇ ଦିନିଆ ଶିକ୍ଷା ପରିଷଦ ବୈଠକ କଟକର କେଶବ ଧାମଠାରେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷା ବିକାଶ ସମିତିର ସଭାପତି ଡକ୍ଟର କିଶୋର ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାରା ପ୍ରାନ୍ତରୁ ୧୨୩ ଜଣ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଆଗାମୀ ଶିକ୍ଷା ବର୍ଷ ପାଇଁ ପାଠ୍ୟକ୍ରମ ଓ ବିଭିନ୍ନ କାର୍ଯ୍ୟକ୍ରମର ସିଦ୍ଧାନ୍ତ ଗ୍ରହଣ କରିଥିଲେ। ଶିକ୍ଷା ବିକାଶ ସମିତିର ସଂଗଠନ ମନ୍ତ୍ରୀ ରମାକାନ୍ତ ମହାନ୍ତ ଉଦଘାଟକ ଭାବରେ ଯୋଗ ଦେଇ ନୂତନ ଶିକ୍ଷାନୀତିକୁ ସଫଳତାର ସହ କାର୍ଯ୍ୟକାରୀ କରିବାରେ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଭୂମିକା ଉପରେ ମାର୍ଗଦର୍ଶନ କରିଥିଲେ।

ଶିକ୍ଷା ବିକାଶ ସମିତିର ପ୍ରାନ୍ତ ନିରୀକ୍ଷକ ତଥା ଶିକ୍ଷା ପରିଷଦର ପ୍ରାନ୍ତ ସଂଯୋଜକ ପ୍ରସନ୍ନ କୁମାର ବିଶ୍ବାଳଙ୍କ ସଂଯୋଜନାରେ ସହପ୍ରାନ୍ତ ସଂଯୋଜକ ଖଗେଶ୍ବର ଦାସ ଓ ସମସ୍ତ ପୂର୍ଣ୍ଣକାଳୀନ କାର୍ଯ୍ୟକର୍ତ୍ତାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା। ଏଥିରେ ଜାତୀୟ ଶିକ୍ଷାନୀତି ଆଧାରିତ ବାର୍ଷିକ ଶୈକ୍ଷିକ ଯୋଜନା, ପାଠ୍ୟଖସଡା , ପରୀକ୍ଷା ଯୋଜନା, ସମାଜ କୈନ୍ଦ୍ରିତ ଓ ବିଦ୍ୟାଳୟ କୈନ୍ଦ୍ରିତ କାର୍ଯ୍ୟଯୋଜନା ପ୍ରସ୍ତୁତ କରାଯାଇଥିଲା। ଓଡ଼ିଶାର ଦୁଇଜଣ ବରିଷ୍ଠ କାର୍ଯ୍ୟକର୍ତ୍ତା ଗୋବିନ୍ଦ ଚନ୍ଦ୍ର ମହାନ୍ତ ବିଦ୍ୟାଭାରତୀର ଅଖିଳ ଭାରତୀୟ ସଂଗଠନ ମନ୍ତ୍ରୀ ଓ ଶିକ୍ଷାବିତ୍ ଡକ୍ଟର ବସନ୍ତ କୁମାର ପଣ୍ଡା ଉପାଧ୍ୟକ୍ଷ ଭାବରେ ନୂତନ ଦାୟିତ୍ୱ ଗ୍ରହଣ କରିଥିବାରୁ ଶିକ୍ଷା ପରିଷଦ ତରଫରୁ ଅଭିନନ୍ଦନ ଓ ସ୍ବାଗତ ଜ୍ଞାପନ କରାଯାଇଥିଲା। ସଂଗଠନ ମନ୍ତ୍ରୀ ରମାକାନ୍ତ ମହାନ୍ତଙ୍କ ପ୍ରତ୍ଯକ୍ଷ ତତ୍ବାବଧାନରେ କାର୍ଯ୍ୟକ୍ରମ ସମାପନ ହୋଇଥିଲା।

ସମ୍ବନ୍ଧିତ ଖବର