ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ଆରମ୍ଭ, ରତ୍ନଭଣ୍ଡାର ନେଇ ହୋଇପାରେ ଆଲୋଚନା!

ବୈଠକରେ ଆର୍ଥିକ ବର୍ଷ ୨୦୧୮-୧୯ ପାଇଁ ହେବ ବଜେଟ୍‌ ଉପସ୍ଥାପନ

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବୁଧବାର ସନ୍ଧ୍ୟାରେ ଆରମ୍ଭ ହୋଇ ଯାଇଛି। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆର୍ଥିକ ବର୍ଷ ୨୦୧୮-୧୯ ଉପରେ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ ହେବ। ପୂର୍ବରୁ ଗତ ମାର୍ଚ୍ଚ ୨୧ରେ ପରିଚଳନା କମିଟି ଆଗାମୀ ଆର୍ଥିକ ବର୍ଷ ପାଇଁ ୧୮୫ କୋଟି ଟଙ୍କାର ବଜେଟ ପ୍ରସ୍ତାବ ରଖିିଥିଲା। ବଜେଟ୍‌ ଉପସ୍ଥାପନ ହେବା ପରେ ଆସନ୍ତା ଆର୍ଥିକ ବର୍ଷରେ କେଉଁ କାମ ପାଇଁ କେତେ ଟଙ୍କା ଖର୍ଚ୍ଚ ତାହା ଜଣାପଡ଼ିବ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବୈଠକରେ ବ୍ରହ୍ମ ବିଭ୍ରାଟ, ବିପି ଦାସ କମିଶନ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହୋଇପାରେ। ସେହିପରି ବୈଠକରେ ରତ୍ନଭଣ୍ଡାର ନେଇ ମଧ୍ୟ ଆଲୋଚନା ହେବ।

ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲିବା ନେଇ ମଙ୍ଗଳବାର ରାଜ୍ୟ ସରକାରଙ୍କ ଆଇନ ବିଭାଗ ଅନୁମତି ଦେଇଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନାଙ୍କ ସୂଚନା ଅନୁସାରେ ରତ୍ନଭଣ୍ଡାର ଖୋଲିବା ନେଇ ପୂର୍ବରୁ ରାଜ୍ୟ ସରକାରଙ୍କ ଆଇନ ବିଭାଗକୁ ଅନୁମତି ମଗାଯାଇଥିଲା। ରାଜ୍ୟ ସରକାର ସର୍ତ୍ତମୂଳକ ଅନୁମତି ଦେଇଛନ୍ତି। ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ଏକ କମିଟି ଗଠନ କରାଯିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ଆଜିର ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ଓ ମାର୍ଚ୍ଚ ୨୯ରେ ଛତିଶା ନିଯୋଗର ବୈଠକରେ ହେବାକୁ ଥିବା ନିଷ୍ପତ୍ତି ପରେ ରତ୍ନଭଣ୍ଡାର ଯାଞ୍ଚ କିଭଳି ହେବ, ସେ ନେଇ ରୂପରେଖ ପ୍ରସ୍ତୁତ କରାଯିବ।

ରତ୍ନଭଣ୍ଡାର ଯାଞ୍ଚ ନେଇ କିଛି ଦିନ ହେବ ରାଜ୍ୟରେ ଯୋରଦାର ଆଲୋଚନା ହେଉଛି। ଏ ନେଇ ଗତ ମାର୍ଚ୍ଚ ୨୨ରେ ହାଇକୋର୍ଟରୁ ନିର୍ଦ୍ଦେଶ ମଳିବା ପରେ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ରତ୍ନଭଣ୍ଡାରକୁ ପ୍ରତ୍ନତତ୍ତ୍ୱ ବିଭାଗ, କୋର କମିଟି ସଦସ୍ୟ ଓ ସେବାୟତ ପ୍ରବେଶ କରିବେ। ସେମାନେ ଧୋତି ଓ ଗାମୁଛା ବ୍ୟତୀତ ଦେହରେ କୌଣସି ଅଳଙ୍କାର, ମୁଦି କିମ୍ବା ପ୍ରସାଧନ ସାମଗ୍ରୀ ପିନ୍ଧି ପାରିବେ ନାହିଁ। କେବଳ ଚଷମା ବ୍ୟବହାରକୁ ଅନୁମତି ଦିଆଯିବ। ସେହିଭଳି ଖଣି ଅଞ୍ଚଳରେ ବ୍ୟବହାର ହେଉଥିବା ଏଲଇଡି ଲାଇଟ ମୁଣ୍ଡରେ ଲଗାଇବାକୁ ବ୍ୟବସ୍ଥା କରାଯିବ। ସେହିଭଳି ସୁରକ୍ଷା ଦୃଷ୍ଟିରୁ ଆଗରୁ ସତର୍କ ପ୍ରତି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯିବ। ଏହି ସମୟରେ ବାହାରେ ଆମ୍ବୁଲାନ୍ସ, ଡାକ୍ତର ଓ ସ୍ନେକ ହେଲ୍ପଲାଇନ ଉପଲବ୍ଧ ରହିବ।

ସମ୍ବନ୍ଧିତ ଖବର