କାମଚଳା ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ କରି ଡିପିସି ମାଧ୍ୟମରେ ନିଯୁକ୍ତି ହେଉ
୬୨ ବର୍ଷ ପରେ ପ୍ରଫେସରମାନଙ୍କୁ ପ୍ରଶାସନିକ ପଦପଦବି ଦିଆ ନଯାଉ

Advertisment

କଟକ :ଏସ୍‌ସିବି ମେଡ଼ିକାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଓଡ଼ିଶା ମେଡ଼ିକାଲ କଲେଜ ଟିଚର୍ସ ଆସୋସିଏସନ(ଓମଟା)ର କେନ୍ଦ୍ରୀୟ କାର୍ଯ୍ୟନିର୍ବାହୀ କମିଟି ବୈଠକ ଅନୁଷ୍ଠିତ ହୋଇଛି। ସଭାପତି ଡାକ୍ତର ଆଶିଷ କୁମାର ବାରିକ, ସମ୍ପାଦକ ଡାକ୍ତର କାଳୀପ୍ରସନ୍ନ ସ୍ୱାଇଁଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ରାଜ୍ୟର ବିଭିନ୍ନ ମେଡ଼ିକାଲ କଲେଜ ଓ ହସ୍ପିଟାଲର ବରିଷ୍ଠ ଡାକ୍ତରମାନେ ଉଭୟ ଭର୍ଚୁଆଲ ଓ ପ୍ରତ୍ୟକ୍ଷ ଭାବେ ଉପସ୍ଥିତ ଥିଲେ। ଡାକ୍ତରଙ୍କ ଅବସର ବୟସ ସୀମାକୁ ୬୫ରୁ ଅଧିକ ବୃଦ୍ଧି କରାନଯିବା, ସ୍ବାସ୍ଥ୍ୟବିଭାଗରେ କାମଚଳା ନିଯୁକ୍ତି ବ୍ୟବସ୍ଥାକୁ ଉଚ୍ଛେଦ କରି ଡିପିସି ମାଧ୍ୟମରେ ନିଯୁକ୍ତି ଓ ୬୨ବର୍ଷ ପରେ ପ୍ରଫେସରମାନଙ୍କୁ ପ୍ରଶାସନିକ ପଦ ପଦବି ଦିଆ ନଯିବାକୁ ବୈଠକରେ ଆଲୋଚନା କରାଯିବା ସହିତ ଓମ୍‌ଟା ପକ୍ଷରୁ ସରକାରଙ୍କ ନିକଟରେ ଦାବି ରଖାଯାଇଛି। ଏ ସଂକ୍ରାନ୍ତରେ ଏକ ସ୍ମାରକପତ୍ର ରାଜ୍ୟ ସରକାରଙ୍କ ଅତିରିକ୍ତ ସ୍ୱାସ୍ଥ୍ୟ ସଚିବଙ୍କୁ ମଧ୍ୟ ପ୍ରଦାନ କରାଯାଇଛି ।

ଡାକ୍ତରମାନଙ୍କ ଅବସର ବୟସସୀମାକୁ ୬୫ରୁ ଅଧିକ ବୃଦ୍ଧି କରାନଯାଉ ବୋଲି ଓମ୍‌ଟା ଦୃଢଭାବେ ଦାବି କରିଛି। ନ୍ୟାସନାଲ ମେଡିକାଲ କାଉନସିଲ(ଏନଏମସି)ର ନିୟମାବଳୀ ଅନୁଯାୟୀ ଡାକ୍ତରମାନଙ୍କୁ ପଦୋନ୍ନତି ପ୍ରଦାନ କରାଯାଉ । ୬୨ବର୍ଷ ପରେ ପ୍ରଫେସରମାନଙ୍କୁ ପ୍ରଶାସନିକ ପଦପଦବି ଦିଆ ନଯାଉ। କେବଳ ସେମାନଙ୍କ ଅଭିଜ୍ଞତାକୁ ରୋଗୀ ସେବାରେ ଓ ପିଲାଙ୍କ ପାଠପଢାରେ ବିନିଯୋଗ କରାଯାଉ। ଅବସର ବୟସ ସୀମା ଅଧିକ ରହିଥିବାରୁ ସ୍ବେଚ୍ଛାକୃତ ଅବସର ପାଇଁ ଯେଉଁମାନେ ଚାହିୁଁଛନ୍ତି ବା ଆବେଦନ କରୁଛନ୍ତି ତାହାକୁ ଗ୍ରହଣ କରାଯାଉ। ବର୍ତ୍ତମାନ ସ୍ବାସ୍ଥ୍ୟବିଭାଗରେ ଯେଉଁ କାମଚଳା ବ୍ୟବସ୍ଥା ଲାଗୁ କରାଯାଇଛି ତାର ପରିବର୍ତ୍ତନ କରାଯାଉ। ଅର୍ଥାତ୍‌ କାମଚଳା ଡିଏମ୍‌ଇଟି, ଅତିରିକ୍ତ ଡିଏମ୍‌ଇଟି, ଅଧ୍ୟକ୍ଷ ଓ ଅଧୀକ୍ଷକ ବଦଳରେ ସ୍ଥା‌ୟୀ ନିଯୁକ୍ତି ସହିତ ଡିପିସି ମାଧ୍ୟମରେ ତାଙ୍କର ନିଯୁକ୍ତି କରାଯାଉ ବୋଲି ଦାବି କରାଯାଇଛି। ଚୁକ୍ତି ଭିତ୍ତିକ ନିଯୁକ୍ତିରୁ ଦୂରେଇ ରହି ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ଦିଆଯାଉ। ନିୟମିତ ଡିପିସି କରାଯାଇ ନିଯୁକ୍ତି ପ୍ରକ୍ରିୟାକୁ ସ୍ବାଭାବିକ କରିବା ଓ ବର୍ଷରେ ଡିସେମ୍ବର ସୁଦ୍ଧା ଡିପିସି କରି ଆସନ୍ତା ବର୍ଷକୁ ଖାଲିପଡୁଥିବା ପଦ ପୂରଣ ଦିଗରେ ଧ୍ୟାନ ଦିଆଯାଉ, ବଦଳି ବ୍ୟବସ୍ଥାରେ ସ୍ବଚ୍ଛତା ଅଣାଯାଉ ଭଳି ବିଭିନ୍ନ ଦାବି ସରକାରଙ୍କ ନିକଟରେ ଉପସ୍ଥାପନ କରାଯାଇଛି। ଏଭଳି ବିଭିନ୍ନ ପ୍ରସଙ୍ଗରେ ୧୪ଟି ପ୍ରସ୍ତାବ ଗ୍ରହଣ କରିଛି ଓମ୍‌ଟା।

ଓମ୍‌ଟା କଟକ ଶାଖା ଉପସଭାପତି ପ୍ରଫେସର ଡାକ୍ତର ବିଭୂତି ଭଷଣ ନାୟକ, ଯୁଗ୍ମ ସଂପାଦକ ଡାକ୍ତର ସମୀର ସ୍ବାଇଁ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। ଏଥିସହ ପ୍ରଫେସର ଡାକ୍ତର ତୃପ୍ତିରେଖା ସ୍ବାଇଁ, ପ୍ରଫେସର ଡାକ୍ତର ଲିଟି ମହାନ୍ତି, ପ୍ରଫେସର ଡାକ୍ତର ଅର୍ପିତା ପ୍ରିୟଦର୍ଶିନୀ, ପ୍ରଫେସର ଡାକ୍ତର ଆରତୀ ମଲ୍ଲିକ, ପ୍ରଫେସର ଡାକ୍ତର ବିଶ୍ବଜିତ୍‌ ସାହୁ, ଆସୋସିଟ୍‌ ପ୍ରଫେସର ଡାକ୍ତର ଅଜିତ୍‌ ନାୟକ, ଆସୋସିଟ୍‌ ପ୍ରଫେସର ଡାକ୍ତର ଶିବ କର, ଆସୋସିଏଟ୍‌ ପ୍ରଫେସର ଡାକ୍ତର ସ୍ବରୂପା ପଣ୍ଡା, ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଦୀପକ ଦାସଙ୍କ ସମେତ ଓମ୍‌ଟାର ସଦସ୍ୟମାନେ ଉପସ୍ଥିତ ଥିଲେ।