ପୁରୀ : ଶ୍ରୀନଅରକୁ ଗୁରୁବାର ଦିନ ରାଜପ୍ରସାଦ ବିଜେ ପରେ ମହାପ୍ରଭୁଙ୍କ ଆଦ୍ୟ ସେବକ ଭାବେ ଗଜପତି ମହାରାଜାଙ୍କୁ ଶ୍ରୀଜିଉଙ୍କ ସୁସ୍ଥତା ସମ୍ପର୍କରେ ଖବର ଦିଆଯାଇଛି। ରୁପା ଥାଳିରେ ଶ୍ରୀଅଙ୍ଗ କରାଳ, ଚନ୍ଦନ, ପଇତା ଆଦି ନେଇ ଶ୍ରୀଜିଉଙ୍କ ସୁସ୍ଥତା ସୂଚନା ଦେଇଛନ୍ତି। ରାଜଗୁରୁମାନେ ରାଜପ୍ରସାଦ ଗଜପତିଙ୍କ ମସ୍ତକ ଛୁଆଁଇଛନ୍ତି। ଏହି ଅବସରରେ ଦଇତାପତି ସେବକଙ୍କ ସହ ଗଜପତି ମହାରାଜା ଦିବ୍ୟସିଂହ ଦେବ ରଥଯାତ୍ରା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ମହାପ୍ରଭୁଙ୍କ ସୁସ୍ଥତା ସୂଚନା ପାଇବା ପରେ ଗଜପତି ମହାରାଜା ରଥଯାତ୍ରା ପ୍ରସ୍ତୁତି ଆରମ୍ଭ କରିବାକୁ ଦଇତାପତି ସେବକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଚଳିତବର୍ଷ ଭକ୍ତମାନେ ଯେଭଳି ସକରାତ୍ମକ ଅନୁଭୂତି ନେଇ ଫେରିବେ, ସେ ଉପରେ ଗଜପତି ମହାରାଜା ଗୁରୁତ୍ବ ଦେଇଛନ୍ତି। ନୀତି ଶୃଙ୍ଖଳା ସହ ଭକ୍ତଙ୍କ ଦର୍ଶନରେ ଯେଭଳି ବିଘ୍ନ ନ ‌ଘଟେ ସେ ଦିଗକୁ ଯଥେଷ୍ଟ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି।

Advertisment

ଆଲୋଚନା ବେଳେ ଗଜପତି ରଥଯାତ୍ରା ନୀତିକାନ୍ତି ଯେତେ ସହଳ ହେବ ଯାତ୍ରା ସେତେ ଶୃଙ୍ଖଳିତ ହେବ ଓ ଭକ୍ତଙ୍କ ଦର୍ଶନ ବି ଭଲ ହେବ ବୋଲି କହିଛନ୍ତି। ଆମେ ନୀତିକାନ୍ତି ଓ ଭକ୍ତଙ୍କ ଦର୍ଶନକୁ ପ୍ରାଥମିକତା ଦେଲେ ସବୁକିଛି ଠିକ୍‌ ଚାଲିବ ବୋଲି କହିଛନ୍ତି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମହାପ୍ରଭୁଙ୍କ ଆଗରେ ଛିଡ଼ା ନ ହେବାକୁ ବି ଗଜପତି ପରାମର୍ଶ ଦେଇଛନ୍ତି। ଅନ୍ୟପଟେ ଅଣସର ନୀତିକାନ୍ତି ଠିକ୍ ଚାଲିଥିବାରୁ ଦଇତାପତି ସେବକଙ୍କୁ ଗଜପତି ଧନ୍ୟବାଦ ଜଣାଇଛନ୍ତି। ଆଜି ପର୍ଯ୍ୟନ୍ତ ଯେଉଁଭଳି ନୀତିକାନ୍ତି ଠିକ୍‌ରେ ଚାଲିଛି, ସେଭଳି ଆଗକୁ ବି ଚାଲିବ ବୋଲି ଆଶାବ୍ୟକ୍ତ କରିଛନ୍ତି।