ଗବେଷଣାକୁ ଗୁରୁତ୍ବ ଦିଅ: ଉଚ୍ଚଶିକ୍ଷା ମନ୍ତ୍ରୀ

ନବନିଯୁକ୍ତ ୬ କୁଳପତିଙ୍କ ସହ ଉଚ୍ଚଶିକ୍ଷା ବିଭାଗର ବୈଠକ

ଭୁବନେଶ୍ୱର : ଉଚ୍ଚଶିକ୍ଷା କ୍ଷେତ୍ରରେ ସଂସ୍କାର ଓ ବିଶ୍ୱବିଦ୍ୟାଳୟରେ ଗବେଷଣା କାର୍ଯ୍ୟକୁ ପ୍ରାଥମିକତା ଦିଅନ୍ତୁ। ଗବେଷଣାର ସନ୍ଦର୍ଭଗୁଡ଼ିକ ପ୍ରମୁଖ ପତ୍ରିକାରେ ପ୍ରକାଶନ ଦିଗରେ ପଦକ୍ଷେପ ନିଅନ୍ତୁ। ବିଶ୍ୱବିଦ୍ୟାଳୟ ଓ ଏହା ଅଧୀନରେ ଥିବା ମହାବିଦ୍ୟାଳୟଗୁଡ଼ିକରେ ଠିକ୍‌ ସମୟରେ ନାମଲେଖା, ପାଠ୍ୟକ୍ରମ ଶେଷ କରି ନିର୍ଦ୍ଧାରିତ ସମୟରେ ପରୀକ୍ଷା ପରିଚାଳନା ଓ ଫଳ ପ୍ରକାଶ ଦିଗରେ ପଦକ୍ଷେପ ନେବାକୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଆଜି ୬ ବିଶ୍ବବିଦ୍ୟାଳୟର ନବନିଯୁକ୍ତ କୁଳପତିମାନଙ୍କୁ ପରାମର୍ଶ ଦେଇଛନ୍ତି।

ପୂର୍ବାହ୍ନରେ କୁଳପତିମାନଙ୍କ ସହ ଅନୁଷ୍ଠିତ ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସାହୁ କହିଲେ, ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରବର୍ତ୍ତିତ ୫-‘ଟି’କୁ କାର୍ଯ୍ୟକାରୀ କରି ବିଶ୍ୱବିଦ୍ୟାଳୟଗୁଡ଼ିକୁ ଉତ୍କର୍ଷ ଶିକ୍ଷା କେନ୍ଦ୍ରରେ ପରିଣତ କରିବାକୁ ହେବ। ବିଶ୍ୱବିଦ୍ୟାଳୟ ଓ ଏହାର ଅନୁବନ୍ଧିତ ମହାବିଦ୍ୟାଳୟଗୁଡ଼ିକ ଯେପରି ନାକ୍‌ ମାନ୍ୟତା ପାଇପାରିବେ, ସେ ଦିଗରେ ବିଶ୍ୱବିଦ୍ୟାଳୟର ଗୁରୁଦାୟିତ୍ୱ ରହିଛି। ରାଜ୍ୟରେ ଉଚ୍ଚଶିକ୍ଷାର ମାନବୃଦ୍ଧି ନିମନ୍ତେ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପର ସଫଳ ରୂପାୟନ ଦିଗରେ ପ୍ରତ୍ୟେକ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ। ମୋ କଲେଜ, ମୋ ୟୁନିଭର୍ସିଟି ପରି କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରିବା ସହିତ ପୁରାତନ ଛାତ୍ରଛାତ୍ରୀଙ୍କୁ ଶିକ୍ଷାନୁଷ୍ଠାନର ଉନ୍ନତିରେ ସାମିଲ କରିବା ଦିଗରେ ପଦକ୍ଷେପ ନିଅନ୍ତୁ। ଏକକ ପିଜି ପ୍ରବେଶିକା ପରୀକ୍ଷା, ପ୍ରୋକ୍ଟେରିଆଲ୍‌ ବ୍ୟବସ୍ଥା, ମଡେଲ ସିଲାବସ୍‌ ବ୍ୟବସ୍ଥା ଫଳପ୍ରଦ ହୋଇଛି। ଏକ ଉତ୍ତମ ଶୈକ୍ଷିକ ବାତାବରଣ ଓ ଶୃଙ୍ଖଳା ମଧ୍ୟରେ ଛାତ୍ରଛାତ୍ରୀଙ୍କ ଆଶା ଆକାଂକ୍ଷା ପୂରଣ ଦିଗରେ ବିଶ୍ୱବିଦ୍ୟାଳୟର କୁଳପତିମାନେ ଦୃଢ଼ ନେତୃତ୍ୱ ପ୍ରଦାନ କରିବାକୁ ମନ୍ତ୍ରୀ ଶ୍ରୀ ସାହୁ ଆହ୍ବାନ ଦେଇଛନ୍ତି।

ବୈଠକରେ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର, ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସ, ଉଚ୍ଚଶିକ୍ଷା ବିଭାଗର ବିଶ୍ୱବ୍ୟାଙ୍କ ପ୍ରକଳ୍ପ ନିର୍ଦ୍ଦେଶକ ପରମେଶ୍ୱରନ୍‌ ବି. ପ୍ରମୁଖ ଯୋଗଦେଇ ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ଓ ସଂସ୍କାରମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ। ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ଏବଂ ଶିକ୍ଷାଦାନ ଲାଗି ମିଳୁଥିବା ଅର୍ଥକୁ ନିର୍ଦ୍ଧାରିତ ସମୟରେ ଠିକଣା ଭାବେ ବିନିଯୋଗ କରି ଶିକ୍ଷାର ମାନବୃଦ୍ଧି ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର୍‌ ସବିତା ଆଚାର୍ଯ୍ୟ, ରମାଦେବୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର୍‌ ଅପରାଜିତା ଚୌଧୁରୀ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର୍ କିଶୋର କୁମାର ବାସା, ଫକୀର ମୋହନ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦିନବନ୍ଧୁ ସାହୁ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଏନ୍‌. ନାଗରାଜୁ ଓ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତିଙ୍କ ସମେତ ଉଚ୍ଚଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗଦେଇ ସେମାନଙ୍କ ସୁଚିନ୍ତିତ ମତ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର