ପୁରୀ: ଜୁଲାଇ ୧୪ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ରତ୍ନଭଣ୍ଡାର ଯାଞ୍ଚ କମିଟି ଯେଉଁ ପ୍ରସ୍ତାବ ଦେଇଥିଲା, ଶ୍ରୀମନ୍ଦିର ପରିଚାଳନା କମିଟି ସେଥିରେ ମୋହର ମାରିଛି। ସର୍ବସମ୍ମତିକ୍ରମେ କମିଟି ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ ରାଜ୍ୟ ସରକାରଙ୍କୁ ଅନୁମତି ମାଗିଛି। ଏନେଇ ଆଜି କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି କରି ସୁପାରିସ କରାଯାଇଛି। ଅପରପକ୍ଷେ ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ଏବଂ ଅଳଙ୍କାର ଗଣତି ଓ ମଣତି ପାଇଁ ଭିନ୍ନ ଭିନ୍ନ ଭାବେ ଦୁଇଟି ପ୍ରସ୍ତାବିତ ଏସ୍ଓପି ରତ୍ନଭଣ୍ଡାର ଯାଞ୍ଚ କମିଟି ଶ୍ରୀମନ୍ଦିର ପରିଚାଳନା କମିଟିକୁ ପ୍ରଦାନ କରିଛି। କମିଟି ଏଥିରେ ଆବଶ୍ୟକ ସଂଶୋଧନ ସହ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଇଛି। ଅନୁମୋଦନ ମିଳିବା ପରେ ଏସ୍ଓପି ସଂପର୍କରେ ସ୍ପଷ୍ଟ ସୂଚନା ଦିଆଯିବ। ଗୋପନୀୟତା ଦୃଷ୍ଟିରୁ ଏହା ପୂର୍ବରୁ ଏସ୍ଓପି ସଂପର୍କିତ ସୂଚନା ଦେବା ସମ୍ଭବ ନୁହେଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ କହିଛନ୍ତି।
ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ନବଗଠିତ ରତ୍ନଭଣ୍ଡାର ଯାଞ୍ଚ କମିଟିର ପ୍ରସ୍ତାବ କ୍ରମେ ଆଜି ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପୌରୋହିତ୍ୟରେ ଶ୍ରୀମନ୍ଦିର ପରିଚାଳନା କମିଟିର ଜରୁରୀ ବୈଠକ ଡକାଯାଇଥିଲା। ବୈଠକରେ ରତ୍ନଭଣ୍ଡାର ଯାଞ୍ଚ କମିଟି ଦେଇଥିବା ବିବରଣୀ ଓ ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ଉପରେ ଆଲୋଚନା ହୋଇଥିଲା। କିଭଳି ରତ୍ନଭଣ୍ଡାର ଖୋଲାଯିବ, ରତ୍ନଭଣ୍ଡାର ଅଳଙ୍କାର କଢ଼ାଯିବା ପରେ କେଉଁ ସ୍ଥାନକୁ ସ୍ଥାନାନ୍ତର ହେବ, ଅଳଙ୍କାର ଗଣତି ଓ ମଣତି କେଉଁ ପ୍ରକ୍ରିୟାରେ ହେବ ସେ ସଂପର୍କରେ ବୈଠକରେ ବିସ୍ତୃତ ଆଲୋଚନା ଓ ପରାମର୍ଶ ନିଆଯାଇଥିଲା।
ଅନୁମତି ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କଲା କମିଟି
ଅନୁମୋଦନ ପାଇଁ ପଠାଗଲା ପ୍ରସ୍ତାବିତ ଏସ୍ଓପି
ବୈଠକରେ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ଯାଦବ କହିଛନ୍ତି, ଗତକାଲି ରତ୍ନଭଣ୍ଡାର ଖୋଲିବା ଉପରେ ଉଚ୍ଚସ୍ତରୀୟ ରତ୍ନଭଣ୍ଡାର ଯାଞ୍ଚ କମିଟିର ଯେଉଁ ବୈଠକ ବସିଥିଲା, ସେଥିରେ କିଛି ପ୍ରସ୍ତାବ ଶ୍ରୀମନ୍ଦିର ପରିଚାଳନା କମିଟି ପାଖକୁ ଆସିଥିଲା। ରତ୍ନଭଣ୍ଡାର ୧୪ ତାରିଖରେ ଖୋଲିବାକୁ ଯାଞ୍ଚ କମିଟି ପ୍ରସ୍ତାବ ଦେଇଥିଲେ। ପରିଚାଳନା କମିଟି ବି ଏଥିରେ ସହମତି ଜଣାଇଛି ଏବଂ ଆଜି ରାଜ୍ୟ ସରକାରଙ୍କୁ ଏହି ଅନୁମତି ଦେବାକୁ ସୁପାରିସ କରାଯାଇଛି। ପରିଚାଳନା କମିଟି ରତ୍ନଭଣ୍ଡାର ଯାଞ୍ଚ କମିଟିର ପ୍ରସ୍ତାବିତ ଏସ୍ଓପିରେ କିଛି ଅତିରିକ୍ତ ତଥ୍ୟ(ପଏଣ୍ଟ) ଯୋଡ଼ିବା ପରେ ଆଜି ରାଜ୍ୟ ସରକାରଙ୍କୁ ଅନୁମୋଦନ ପାଇଁ ପଠାଯାଇଛି। ସୂଚନାଯୋଗ୍ୟ, ଏହା ଭିତରେ ଜଷ୍ଟିସ ରଥଙ୍କ ପୌରୋହିତ୍ୟରେ ଦୁଇଥର ରତ୍ନଭଣ୍ଡାର ଯାଞ୍ଚ କମିଟିର ବୈଠକ ଅନୁଷ୍ଠିତ ହୋଇସାରିଛି। କମିଟିରେ ରତ୍ନଭଣ୍ଡାର ୧୪ ତାରିଖରେ ଖୋଲିବାକୁ ନିଷ୍ପତ୍ତି ହୋଇଥିଲା। ରତ୍ନଭଣ୍ଡାର ତାଲା ନ ଖୋଲିଲେ, ଭାଙ୍ଗିବାକୁ ବି ନିଷ୍ପତ୍ତି ହୋଇଛି। ଆଜିର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସ୍ପି ପିନାକ ମିଶ୍ର, ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ, ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଓଏସ୍ଡି ଶୁଭ୍ରାଂଶୁ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।