ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ରତ୍ନଭଣ୍ଡାର କଥା ଏଡ଼ାଇ‌ଗଲେ

ରତ୍ନଭଣ୍ଡାର କଥା କାହିଁକି ପରିଚାଳନା କମିଟିରେ ଉଠୁନି: ସୁଦର୍ଶନ

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର କିଭଳି ଅଛି, କେତେ ରତ୍ନ ଅଳଙ୍କାର, ହୀରା, ନୀଳା,‌ ମୋତି, ମାଣିକ ଏଥିରେ ଗଚ୍ଛିତ ଅଛି? ଏଥିରୁ କିଛି ଚୋରି ହୋଇଯାଇନି ତ? ଏଭଳି ଅନେକ ପ୍ରଶ୍ନ ଓ ଶଙ୍କା ଗତ ୪ ବର୍ଷ ଧରି ସାଢ଼େ ୪ କୋଟି ଓଡ଼ିଆ ଓ ଦେଶର ବିଭିନ୍ନ କୋଣରେ ଥିବା ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଆନ୍ଦୋଳିତ କରୁଛି। ଏହାକୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ରାଜନୈତିକ ଦଳର ନେତା ତମ୍ବିତୋଫାନ କରୁଛନ୍ତି। କିଏ ଅଳଙ୍କାର ଚୋରି ହୋଇଗଲାଣି ବୋଲି ଅଭିଯୋଗ କରୁଛନ୍ତି ତ ଆଉ କିଏ ରତ୍ନଭଣ୍ଡାର ମରାମତିକୁ ନେଇ ପ୍ରଶ୍ନର ପାହାଡ଼ ଠିଆ କରୁଛନ୍ତି। ଏଭଳି ସ୍ଥିତିରେ ସମସ୍ତଙ୍କ ନଜର ଆଜିର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଉପରେ ରହିଥିଲା। କାରଣ ଚର୍ଚ୍ଚା ହୋଇଥିଲା ଯେ ଏହି ବୈଠକରେ ରତ୍ନଭଣ୍ଡାର ପ୍ରସଙ୍ଗ ଉଠିବ। ପରିଚାଳନା କମିଟି ସଦସ୍ୟ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ସ୍ବର ଶାଣିତ କରି‌ବେ ବୋଲି କହିଥିଲେ। ଆଜି ଏହି ପ୍ରସଙ୍ଗରେ ଯୁକ୍ତି ଉପସ୍ଥାପନ କଲେ। ମାତ୍ର ଏହି ପ୍ରସଙ୍ଗ କାର୍ଯ୍ୟସୂଚୀ ବହିର୍ଭୂତ କହି ଏଡ଼ାଇ ଦିଆଗଲା। ପ୍ରସଙ୍ଗକୁ ଆଗକୁ ବଢ଼ିବାକୁ ପ୍ରଶାସନ ଦେଲାନି। ବରଂ ନିଜେ ମୁଖ୍ୟ ପ୍ରଶାସକ ଏହି ପ୍ରସଙ୍ଗ ବନ୍ଦ କରିବାକୁ ବାଧ୍ୟ କଲେ। ଏହି ଘଟଣା ଆଜି ସାମ୍ନାକୁ ଆସିବା ପରେ ରତ୍ନଭଣ୍ଡାର ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର ଧରିଛି। କାହିଁକି ଓ କେଉଁ କାରଣ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସଭ୍ୟମାନଙ୍କ ଉଦ୍‌ବେଗକୁ ଗୁରୁତ୍ବ ଦେଲେ ନାହିଁ? ଏ ପ୍ରଶ୍ନର ଉତ୍ତର କାହା ପାଖରେ ନାହିଁ। ଅନ୍ୟପକ୍ଷରେ ଏହି ପ୍ରସଙ୍ଗକୁ ଧରି ସରକାରଙ୍କୁ ଘେରିବା ଲାଗି ଆଜିର ବୈଠକ ରାଜନୈତିକ ଦଳମାନଙ୍କୁ ସୁଯୋଗ ଦେଇଥିବା କୁହାଯାଉଛି।

ରତ୍ନଭଣ୍ଡାର କଥା କାହିଁକି ପରିଚାଳନା କମିଟିରେ ଉଠୁନି: ସୁଦର୍ଶନ
ଏଜେଣ୍ଡାରେ ନଥିବାରୁ ଆଲୋଚନା କରାଗଲାନାହିଁ: ମୁଖ୍ୟ ପ୍ରଶାସକ

ଆଜିର ଶ୍ରୀମନ୍ଦିର ପରିଚାଳନା କମିଟି ବିଭିନ୍ନ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ଥିଲା। ପରିଚାଳନା କମିଟି ସଦସ୍ୟ ଦୁର୍ଗାପ୍ରସାଦ ଦାସମହାପାତ୍ରଙ୍କଠାରୁ ଆରମ୍ଭ କରି ଅନ୍ୟ ସଦସ୍ୟମାନେ ରତ୍ନ ଭଣ୍ଡାର ପ୍ରସଙ୍ଗ ଉଠାଇବେ ବୋଲି ଗଣମାଧ୍ୟମ ଆଗରେ କହିବା ପରେ ପ୍ରଶାସନ ଯେ ଏହାକୁ ଗମ୍ଭୀରତାର ସହିତ ଗ୍ରହଣ କରିବ, ଏମିତି ଆଶା କରାଯାଉଥିଲା। ଆଜି ବୈଠକ ଆରମ୍ଭରୁ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏହି ପ୍ରସଙ୍ଗ ଉଠାଇଲେ। ପ୍ରତ୍ନତତ୍ତ୍ବ ବିଭାଗକୁ ସିଧାସଳଖ ଟାର୍ଗେଟ୍‌ କରି କହିଥିଲେ, ଗତ ଅଗଷ୍ଟ ୬ ତାରିଖ ବୈଠକରେ ପ୍ରତ୍ନତତ୍ତ୍ବ ବିଭାଗ ଅଧିକାରୀଙ୍କ ଅନୁପସ୍ଥିତିକୁ ନେଇ ଅନେକ ଆଲୋଚନା ହେଲା। କାହିଁକି ପ୍ରତ୍ନତତ୍ତ୍ବ ବିଭାଗ ଅଧୀକ୍ଷକ ବୈଠକରେ ଅନୁପସ୍ଥିତ ରହୁଛନ୍ତି, ତାର ଜବାବ ରଖିବାକୁ କୁହାଗଲା। କିନ୍ତୁ ସେଦିନ ପ୍ରତ୍ନତତ୍ତ୍ବ ବିଭାଗ ଅଧିକାରୀଙ୍କ ଜବାବ ତାଜୁବ କରିଥିଲା। ଯେହେତୁ ୮୦ଟି ମନ୍ଦିର ଦାୟିତ୍ବ ନେଇଛି, ସେଥିପାଇଁ ସବୁ ବୈଠକରେ ଆସି ପାରୁନଥିବା ପ୍ରତ୍ନତତ୍ତ୍ବ ବିଭାଗ ଅଧୀକ୍ଷକ ଉତ୍ତର ରଖିଥିଲେ। ଏହାକୁ ନେଇ ତୀବ୍ର ଅସନ୍ତୋଷ ବି ବୈଠକରେ ପ୍ରକାଶ ପାଇଥିଲା। ନିଜେ ଗଜପତି ମହାରାଜ ବି ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ୮୦ଟି ମନ୍ଦିରକୁ ଶ୍ରୀମନ୍ଦିର ସହ ସମାନ କରିବାକୁ ନେଇ ତୀବ୍ର ବିରୋଧାଭାସ ଦେଖାଦେଇଥିଲା। ଅଗଷ୍ଟ ୬ ତାରିଖ ପରିଚାଳନା କମିଟି ବୈଠକ ପରଦିନ ଅର୍ଥାତ୍‌ ଅଗଷ୍ଟ ୭ ତାରିଖରେ ପ୍ରତ୍ନତତ୍ତ୍ବ ବିଭାଗ ଶ୍ରୀମନ୍ଦିର ପ୍ରଶାସନକୁ ଏକ ଚିଠି କରିଥିଲା। ଯେଉଁଥିରେ ରତ୍ନଭଣ୍ଡାର ଅନୁଧ୍ୟାନ ପାଇଁ ଅନୁମତି ମଗାଯାଇଥିଲା। ଏଣୁ ଏହି ପ୍ରସଙ୍ଗ ଉଠାଇ ଶ୍ରୀ ପଟ୍ଟନାୟକ ରତ୍ନଭଣ୍ଡାରର ଜବାବ ମାଗିଥିଲେ। କାହିଁକି ଶ୍ରୀମନ୍ଦିର ପରିଚାଳନା କମିଟିକୁ ଅବଗତ ନ କରି ଶ୍ରୀମନ୍ଦିର ପ୍ରଶାସନକୁ ଚିଠି କରାଗଲା ବୋଲି ପ୍ରଶ୍ନ କରିଥିଲେ। ଯଦି ରତ୍ନଭଣ୍ଡାର ସେତିକି ସମ୍ବେଦନଶୀଳ ପ୍ରସଙ୍ଗ ଥିଲା, ତେବେ ୭ ତାରିଖରେ ଚିଠି କରିବା ପୂର୍ବରୁ କାହିଁକି ପରିଚାଳନା କମିଟି ବୈଠକରେ ଉଠିଲାନି ବୋଲି ପ୍ରଶ୍ନ ଶ୍ରୀ ପଟ୍ଟନାୟକ କରିଥିଲେ।

ରତ୍ନଭଣ୍ଡାର ପ୍ରସଙ୍ଗକୁ ନେଇ ଏଭଳି ଆଲୋଚନା ସରଗରମ ହେଉଥିବାବେଳେ ମୁଖ୍ୟ ପ୍ରଶାସକ ଭି ଭି ଯାଦବ ଏହାକୁ ଅଟକାଇ ଭିନ୍ନ ପ୍ରସଙ୍ଗ ଆଲୋଚନା କରିବାକୁ ବାଧ୍ୟ କରିଥିଲେ। ଫଳରେ ସେହିଠାରେ ହିଁ ବୈଠକରେ ରତ୍ନଭଣ୍ଡାର ଆଲୋଚନା ପ୍ରସଙ୍ଗରେ ପୂର୍ଣ୍ଣଛେଦ ପଡ଼ି ଯାଇଥିଲା। ଏହାକୁ ନେଇ ଆଜି ଭକ୍ତ ମହଲ ଶ୍ରୀମନ୍ଦିର ପରିଚାଳନା କମିଟି ଓ ଶ୍ରୀମନ୍ଦିର ପ୍ରଶାସନକୁ ତୀବ୍ର ସମାଲୋଚନା କରିଛନ୍ତି। ରତ୍ନଭଣ୍ଡାର ଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ଏଡ଼ାଇ ଯାଇ ଅନ୍ୟ ପ୍ରସଙ୍ଗ ଆଲୋଚନା କରିବା କେତେଦୂର ଯୁକ୍ତିଯୁକ୍ତ ? କେଉଁ ଅଦୃଶ୍ୟ ଚାପ ଆଗରେ ସମସ୍ତଙ୍କ ସ୍ବର ନିରବି ଯାଉଛି? ସର୍ବୋପରି ପରିଚାଳନା କମିଟି ବୈଠକର ଏଜେଣ୍ଡା କିଏ ନିର୍ଧାରଣ କରୁଛନ୍ତି? ବୋଲି ପ୍ରଶ୍ନ ଉଠିଲାଣି। ଏଠାରେ ଉଲ୍ଲେଖଥାଉକି, ଶ୍ରୀ ଯାଦବ ଗଣମାଧ୍ୟମକୁ ଅତି ସ୍ପଷ୍ଟ ଭାବେ କହିଥିଲେ ଯେ ଯେହେତୁ ଏହି ପ୍ରସଙ୍ଗଟି ଏଜେଣ଼୍ଡାଭୁକ୍ତ ହୋଇନଥିଲା, ଏଣୁ ଆଲୋଚନା କରାଗଲାନାହିଁ।

ସମ୍ବନ୍ଧିତ ଖବର