ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ମହାପ୍ରଭୁଙ୍କ ଜମିର ହେବ ଡିଜିଟାଇଜେସନ୍‌, ଓରସେକ ନେବ ଦାୟିତ୍ବ

ସେବାୟତ ଆଦର୍ଶ ଗୁରୁକୁଳ ଓ ଆବାସ ଯୋଜନା, କାର୍ତ୍ତିକ ନୀତିକାନ୍ତି ବାଜିଲା ମୋହର

ପୁରୀ: ମହାପ୍ରଭୁଙ୍କ ଜମିର ହେବ ଡିଜିଟାଇଜେସନ୍‌। ରାଜ୍ୟ ତଥା ରାଜ୍ୟ ବାହାରେ ମହାପ୍ରଭୁଙ୍କ ନାଁରେ କେତେ ଜମି ଅଛି, ତାହା କେଉଁଠି ରହିଛି, ତା’ର ସବିଶେଷ ତଥ୍ୟ ପାଇଁ ଡିଜିଟାଲ୍‌ ଡାଟାବେସ ପ୍ରସ୍ତୁତ କରାଯିବ। ଓରସେକ୍‌ ଏହାର ରୂପରେଖ ପ୍ରସ୍ତୁତ କରିବ। ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ଏଥିରେ ମୋହର ମାରିଛି। ସେହିପରି ସେବାୟତ ଆଦର୍ଶ ଗୁରୁକୁଳ ଓ ସେବାୟତ ଆବାସ ଯୋଜନାକୁ ତ୍ବରାନ୍ବିତ କରିବା ଉପରେ ମଧ୍ୟ ବୈଠକରେ ଗୁରୁତ୍ବାରୋପ କରାଯାଇଛି। ଛତିଶାନିଯୋଗ ବୈଠକରେ ଚୂଡ଼ାନ୍ତ ହୋଇଥିବା କାର୍ତ୍ତିକ ନୀତିକାନ୍ତିରେ ବି ଶ୍ରୀମନ୍ଦିର ପରିଚାଳନା କମିଟି ଆଜି ମୋହର ମାରିଛି।
ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଆଜି ନୀଳାଦ୍ରି ଭକ୍ତ ନିବାସରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମା, ଆରକ୍ଷୀ ଅଧୀକ୍ଷକ ଡ. କେ ବିଶାଳ ସିଂହ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର‌ ଜେନା, ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ, ଦୁର୍ଗାପ୍ରସାଦ ଦାସମହାପାତ୍ର, ଅନନ୍ତ ତିଆଡ଼ି, ମାଧବ ଚନ୍ଦ୍ର ପୂଜାପଣ୍ଡା, ରାଧାବଲ୍ଲଭ ମଠ ମହନ୍ତ ରାମକୃଷ୍ଣ ଦାସ ମହାରାଜ, ପ୍ରତ୍ନତତ୍ତ୍ବ ବିଭାଗ ଅଧୀକ୍ଷକ ଅରୁଣ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାୟ ୪ ଘଣ୍ଟାର ରୁଦ୍ଧଦ୍ବାର ଆଲୋଚନା ପରେ ଗଣମାଧ୍ୟମକୁ ବୈଠକ ସମ୍ପର୍କରେ ସୂଚନା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ଯାଦବ କହିଛନ୍ତି, ଗତ ଅଗଷ୍ଟ ୬ ତାରିଖ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବିବରଣୀ ଆଜିର ବୈଠକରେ ଦୃଢ଼ୀକରଣ ହୋଇଥିଲା। ସେହିଭଳି ମେ ୩୧ ଓ ଜୁନ ୬ ତାରିଖ ବୈଠକର ନିଷ୍ପତ୍ତି କାର୍ଯ୍ୟକାରୀ କରିବା ଉପରେ ଆଲୋଚନା ହୋଇଥିଲା। ଗତ ଛତିଶାନିଯୋଗ ବୈଠକରେ ଚୂଡ଼ାନ୍ତ କାର୍ତ୍ତିକ ନୀତିକାନ୍ତିକୁ କମିଟି ଅନୁମୋଦନ କରିଛି। ଅନ୍ୟତମ ଗୁରୁତ୍ବ ପ୍ରସଙ୍ଗ ଥିଲା, ମହାପ୍ରଭୁଙ୍କ ଜମିଜମା। ଏହାର ଡିଜିଟାଇଜେସନ୍‌ ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେଇଛି। ଓରସେକ୍‌ ଟେକ୍ନୋଲୋଜିକୁ ଏହାର ଦାୟିତ୍ବ ଦିଆଯାଇଛି। ଓରସେକ୍‌ ଟେକ୍ନୋଲୋଜି ଡିଜିଟାଇଜେସନ୍‌ ସଫ୍ଟୱେୟାର ବିକାଶ କରିବ। ଏଥିପାଇଁ ଓରସେକ୍‌କୁ ଡିପିଆର୍‌ ମଗାଯାଇଛି। ଓରସେକ୍‌ର ଡିପିଆର୍‌ ଶ୍ରୀମନ୍ଦିର ପରିଚାଳନା କମିଟି ଅନୁମୋଦନ କରିବା ପରେ ଏହା ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ। ସେହି ଅନୁସାରେ ମହାପ୍ରଭୁଙ୍କ କେତେ ଜମି କେଉଁଠି ଅଛି, ତାର ସବିଶେଷ ଡାଟାବେସ ତିଆରି ହେବ।

ସେବାୟତ ଆଦର୍ଶ ଗୁରୁକୁଳ ସୋସାଇଟି ଆକ୍ଟରେ ଚଳାଇବାକୁ ନିଷ୍ପତ୍ତି ପରେ ଏହାକୁ ସୋସାଇଟି ଆକ୍ଟରେ ପଞ୍ଜୀକରଣ ପାଇଁ ଆଇଜି ରେଜିଷ୍ଟ୍ରେସନ୍‌ରେ ଆବେଦନ କରାଯାଇଛି। ଯାହା କିଛି ଆପତ୍ତି ଥିଲା, ତାର ଜବାବ ଦିଆଯାଇଛି। ଖୁବ୍‌ଶୀଘ୍ର ପଞ୍ଜୀକରଣ କାମ ସରିଯିବ। ଅନ୍ୟପଟେ ଆଦର୍ଶ ଗୁରୁକୁଳ ପାଇଁ ଚିହ୍ନଟ ଜମିକୁ ଲିଜ୍‌ ଆକାରରେ ଆଦର୍ଶ ଗୁରୁକୁଳ ସୋସାଇଟିକୁ ଦେବାକୁ ନିଷ୍ପତ୍ତି ହୋଇଛି। ସେବାୟତ ଆଦର୍ଶ ଗୁରୁକୁଳ ଚଳାଇବାକୁ ବିର୍ଲା ମେଡିକାଲ୍‌ ରିସର୍ଚ୍ଚ ଆଣ୍ଡ୍‌ ଏଜୁକେସନ୍‌ ଫାଉଣ୍ଡେସନ୍‌ ସହ ଏମ୍‌ଓୟୁ ସ୍ବାକ୍ଷର ହେବାକୁ ଯାଉଥିବା ବେଳେ ଆଗାମୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବିର୍ଲା ଫାଉଣ୍ଡେସନ୍‌ ସହ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା ହେବ ବୋଲି ନିଷ୍ପତ୍ତି ହୋଇଛି। ସେହି ଅନୁସାରେ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ ହେବ।

ସେହିଭଳି, ସେବକ ଆବାସ ଯୋଜନାରେ ପ୍ରାୟ ୪ଶହ ସେବାୟତଙ୍କୁ ୬୫୦ ବର୍ଗଫୁଟର ଜି+୩ ଟାଇପ ଘର ଯୋଗାଇ ଦେବାକୁ ଯୋଜନା କରାଯାଇଛି। ଏ ସମ୍ପର୍କରେ ଶ୍ରୀ ଯାଦବ କହିଛନ୍ତି, ପ୍ରାଥମିକ ପର୍ଯ୍ୟାୟରେ ହରଚଣ୍ଡୀସାହି ମୌଜାରେ ସେବକ ଆବାସ ଯୋଜନାରେ ଗରିବ ସେବାୟତମାନଙ୍କୁ ଘର ଯୋଗାଇ ଦେବାକୁ ଯୋଜନା କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଏହି ଜାଗାରେ ପାଚେରି ବୁଲାଯିବ। ଏଥିପାଇଁ ଟେଣ୍ଡର ଡକାଯାଇଛି, ଆସନ୍ତା ଅକ୍ଟୋବର ୬ ତାରିଖରେ ‌ଏହି ଟେଣ୍ଡର ଖୋଲିବ। ପାଚେରି ନିର୍ମାଣ ପରେ ପରବର୍ତ୍ତୀ କାମ ଆରମ୍ଭ ହେବ ବୋଲି ଶ୍ରୀ ଯାଦବ କହିଛନ୍ତି।

ସମ୍ବନ୍ଧିତ ଖବର