ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ସ୍ନାନଯାତ୍ରା ନୀତିକାନ୍ତିରେ ମୋହର

ରଥଯାତ୍ରା ପାଇଁ ୨୫ରେ ବୈଠକ

ପୁରୀ: ଜୁନ୍‌ ୨୨ ତାରିଖରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଗଜବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ଏଣୁ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ କରିବା ଉପରେ ଗୁରୁତ୍ବ ଦେଇଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ଭକ୍ତମାନେ ଯେଭଳି ନିର୍ବିଘ୍ନ ଓ ଅବରୋଧମୁକ୍ତ ଦର୍ଶନ କରିପାରିବେ, ସେ ଉପରେ ସେବକମାନେ ଦୃଷ୍ଟି ଦେବାକୁ କହିଛନ୍ତି। ଜଳଲାଗି ଓ ଗଜବେଶ ବେଳେ ମହାପ୍ରଭୁଙ୍କ ଆଗରେ କେହି ସେବକ ନ ରହିବାକୁ କୁହାଯାଇଛି। ଆଜି ନୀଳାଦ୍ରି ଭକ୍ତ ନିବାସଠାରେ ଗଜପତି ମହାରାଜାଙ୍କ ପୌରୋହିତ୍ୟରେ ଆୟୋଜିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଛତିଶାନିଯୋଗ ଅନୁମୋଦିତ ନୀତିକାନ୍ତି ଓ ବ୍ୟବସ୍ଥାବଳିରେ ଚୂଡ଼ାନ୍ତ ମୋହର ମାରିଛି। ସ୍ନାନଯାତ୍ରାରେ ଭୋର୍‌ ୫ଟାରୁ ତିନି ଠାକୁରଙ୍କ ପହଣ୍ଡି ଆରମ୍ଭ ହେବ। ପହଣ୍ଡି ଶେଷ ଓ ତିନି ଠାକୁର ସ୍ନାନବେଦିରେ ବିଜେ ପରେ ଅନ୍ୟାନ୍ୟ ନୀତିକାନ୍ତି ଆରମ୍ଭ ହେବ। ଅପରାହ୍ନ ୩ଟା ୪୦ରେ ହାତୀବେଶ ଆରମ୍ଭ ହେବ। ସେହିଭଳି ଦେବସ୍ନାନ ପୂର୍ଣ୍ଣିମା ପାଇଁ ୨୦ ତାରିଖରେ ଦଇତାପତି ପ୍ରବେଶ ଓ ୨୧ ତାରିଖରେ ସେନାପଟା ଲାଗି ନୀତି ରହିଛି। ଏହାର ନୀତିକାନ୍ତିରେ ବି ଚୂଡ଼ାନ୍ତ ମୋହର ବାଜିଛି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ କହିଛନ୍ତି, ଗତ ୧୪ ତାରିଖରେ ନୀତି ସବ୍‌-କମିଟି ଓ ଛତିଶାନିଯୋଗ ବୈଠକର ବିଭିନ୍ନ ପ୍ରସ୍ତାବ ଆଜି ଅନୁମୋଦନ କରାଯାଇଛି। ଦେବସ୍ନାନ ପୂର୍ଣ୍ଣିମା ନୀତିକାନ୍ତି ବି ଚୂଡ଼ାନ୍ତ ହୋଇଛି। ଚନ୍ଦନଯାତ୍ରା ପାଇଁ ନୀତି ସବ୍‌-କମିଟି ଓ ଛତିଶାନିଯୋଗ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଜୁନ୍‌ ୨୫ ତାରିଖରେ ପୁଣି ପରିଚାଳନା କମିଟି ବୈଠକ ବସିବ। ଏଥିରେ ରଥଯାତ୍ରା ନୀତିକାନ୍ତି ଉପରେ ଆଲୋଚନା ହେବ। ଏହି ବୈଠକରେ ନୀତିନିର୍ଘଣ୍ଟ ସହ ବ୍ୟବସ୍ଥାବଳି ଅନୁମୋଦିତ ହେବ।

ସମ୍ବନ୍ଧିତ ଖବର