କୁଳପତିମାନଙ୍କ ସହ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ସଚିବଙ୍କ ବୈଠକ: ଏବେ ନାକ୍‌ କଥା ମନେପଡ଼ିଲା

ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗ ଅଧୀନ ୮୬% ଶିକ୍ଷାନୁଷ୍ଠାନର ନାକ୍‌ ମାନ୍ୟତା ନାହିଁ। ୨୦୨୨ସୁଦ୍ଧା ସମସ୍ତ ଶିକ୍ଷାନୁଷ୍ଠାନ ନାକ୍‌ ମାନ୍ୟତା ହାସଲ କରିବା ବାଧ୍ୟତାମୂଳକ କରାଯାଇଥିଲା। ୨୦୧୯ରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ, ସଚିବ ଶାଶ୍ବତ ମିଶ୍ର ଏନେଇ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ କଡ଼ା ନିର୍ଦେଶ ଦେଇଥିଲେ। ଇତିମଧ୍ୟରେ ୩ ବର୍ଷ ବିତିଯାଇଥିଲେ ମଧ୍ୟ ନାକ୍‌ ମାନ୍ୟତା ପାଇଥିବା ଶିକ୍ଷାନୁଷ୍ଠାନ ସଂଖ୍ୟା ବଢ଼ିବ କ’ଣ, ବରଂ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ୨୦୧୯ରେ ପାଖାପାଖି ୧୯୪ଟି ଶିକ୍ଷାନୁଷ୍ଠାନର ନାକ୍‌ ମାନ୍ୟତା ଥିବା ବେଳେ ଏବେ ତାହାକୁ ୧୫୦ ତଳକୁ ଖସି ଆସିଲାଣି। ଅଧାରୁ ଅଧିକ ବିଶ୍ବବିଦ୍ୟାଳୟର ମାନ୍ୟତା ହିଁ ନାହିଁ। ନାମକରା କଲେଜଗୁଡ଼ିକ ବି ପଛରେ ପଡ଼ିଛନ୍ତି। ବିଭିନ୍ନ ଆଡ଼ୁ ସମାଲୋଚନାର ଶିକାର ହେବା ପରେ ବିଭାଗୀୟ ମନ୍ତ୍ରୀ ଓ ସଚିବ ଆଜି ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟ କୁଳପତିମାନଙ୍କୁ ଡାକି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଗୁପ୍ତ ବୈଠକ କରିଛନ୍ତି। ଗୋଟିଏ ପଟେ ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ ଓ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ କଟକଣା ଲଗାଇ ଉଚ୍ଚଶିକ୍ଷା ବିଭାଗ ବିବାଦରେ ଛନ୍ଦି ହୋଇପଡ଼ିଥିବା ବେଳେ ଅନ୍ୟପଟେ ଏହି ବୈଠକ ଅନେକ ସନ୍ଦେହ ସୃଷ୍ଟି କରିଛି। ଏଠାରେ କେବଳ ନାକ୍‌ ମାନ୍ୟତା ଉପରେ ଆଲୋଚନା ହୋଇଛି ନା କୁଳପତିମାନଙ୍କୁ ଆଉ କିଛି ମନ୍ତ୍ରଣା ଦିଆଯାଇଛି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି ଯେ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟଗୁଡ଼ିକର ନାକ୍‌ ମାନ୍ୟତା, ଶୈକ୍ଷିକ ନିରୀକ୍ଷଣ, ସ୍ୱୟଂଶାସିତ ମାନ୍ୟତାର ନବୀକରଣ, ଜାତୀୟ ଶିକ୍ଷାନୁଷ୍ଠାନର ସ୍ଥିତି ସମ୍ପର୍କରେ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସାହୁ ଏହାକୁ ଉଦ୍‌ଘାଟନ କରି କହିଥିଲେ ଯେ ଉଚ୍ଚଶିକ୍ଷା ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଏଥିପାଇଁ ସକାରାତ୍ମକ ଚିନ୍ତାଧାରାରେ କାର୍ଯ୍ୟ କରି କର୍ମସଂସ୍କୃତିକୁ ଅଧିକ ଅଭିବୃଦ୍ଧି କରାଯାଇ ପାରିବ। ସମସ୍ତେ ଏକ ଦଳଗତ ମନୋଭାବ ନେଇ କାର୍ଯ୍ୟ କଲେ ଉଚ୍ଚଶିକ୍ଷା ବ୍ୟବସ୍ଥାରେ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ ହୋଇପାରିବ। ବର୍ତ୍ତମାନର ବ୍ୟବସ୍ଥା ଛାତ୍ରଛାତ୍ରୀ କୈନ୍ଦ୍ରିକ ହେବା ସହ ଶୈକ୍ଷିକ ପରିବେଶର ଗୁଣାତ୍ମକ ବିକାଶ କରାଯାଉଛି। ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ନିଜର ବକ୍ତବ୍ୟରେ ଶୈକ୍ଷିକ ପ୍ରକ୍ରିୟା ତଥା ଛାତ୍ରଛାତ୍ରୀଙ୍କର ଅଧ୍ୟୟନ, ବ୍ୟବସ୍ଥାର ମୁଖ୍ୟ ଲକ୍ଷ୍ୟ ହେବା ଉଚିତ୍‌ ବୋଲି ମତବ୍ୟକ୍ତ କରିଥିଲେ।

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ସ୍ୱାଗତ ଭାଷଣ ଓ ପ୍ରଫେସର ସୁସ୍ମିତ୍‌ ପ୍ରସାଦ ପାଣି ଧନ୍ୟବାଦ ଦେଇଥିଲେ। ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସକର୍ମଶାଳାର ଉଦ୍ଦେଶ୍ୟ ସମ୍ପର୍କରେ ଏକ ବିଶଦ ବିବରଣୀ ଉପସ୍ଥାପନ କରିଥିଲେ। ପ୍ରଫେସର ମୃତ୍ୟୁଞ୍ଜୟ ସୁଆର ଶିକ୍ଷାନୁଷ୍ଠାନରେ ସୃଜନଶୀଳତା ଓ ଗବେଷଣା କେନ୍ଦ୍ରଗୁଡ଼ିକର ଉନ୍ନତୀକରଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିବା ବେଳେ ଶୈକ୍ଷିକ ନିରୀକ୍ଷଣ ସମ୍ପର୍କରେ ପ୍ରଫେସର ଅତନୁ ପତି ବିବରଣୀ ପ୍ରଦାନ କରିଥିଲେ। ଏହି କର୍ମଶାଳାରେ ରାଜ୍ୟର ବିଶ୍ୱବିଦ୍ୟାଳୟ କୁଳପତି, ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷା, ଗୁଣାତ୍ମକ ମାନ କେନ୍ଦ୍ରର ନିର୍ଦ୍ଦେଶକ, ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟକ୍ଷା ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର