ଭୁବନେଶ୍ବର : ଇଣ୍ଡିଆନ୍ ଭେଟରାନ୍ସ ଅର୍ଗାନାଇଜେସନ୍ ଓଡ଼ିଶା ଶାଖାର ବୈଠକ ୧୨୦ ବାଟାଲିଅନ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରଦେଶ ଶାଖା ସଭାପତି ଭେଟେରାନ୍ ସବ୍ ଲେଫଟନାଣ୍ଟ୍ ଅଶୋକ କୁମାର ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଭେଟେରାନ୍ ଡକ୍ଟର ବିପିନ ମିଶ୍ର, ଅଜୟ ନାୟକ, ଯଶସ୍ବୀ ବେହେରାଙ୍କ ସମେତ ବିଭିନ୍ନ ଜିଲ୍ଲାର ପଦାଧିକାରୀ, ପୂର୍ବତନ ସୈନିକ, ସହିଦ ପରିବାରର ସଦସ୍ୟମାନେ ଯୋଗ ଦେଇଥିଲେ। ପୂର୍ବତନ ସୈନିକମାନଙ୍କ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ମିଳୁଥିବା ସହାୟତା ଠିକ୍ ଭାବରେ ନମିଳିବା ତଥା ରାଜ୍ୟ ଓ ଜିଲ୍ଲା ସୈନିକବୋର୍ଡମାନଙ୍କରେ କର୍ମଚାରୀ ଅଭାବ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ଯୋଗ୍ୟ ପୂର୍ବତନ ସୈନିକମାନଙ୍କୁ ତଥା ସହିଦ ପରିବାରକୁ ଠିକ ଭାବରେ ସରକାରୀ ସହାୟତା ମିଳିପାରୁ ନଥିବା ନେଇ କେତେକ ସଦସ୍ୟ ଦୃଷ୍ଟି ଆକର୍ଷଣ କରିଥିଲେ।
ଇସିଏଚ୍ଏସ୍ରେ ପୂର୍ବତନ ସୈନିକ ଓ ସେମାନଙ୍କ ପରିବାର ସଦସ୍ୟମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଯଥା; ଔଷଧ ନିଅଣ୍ଟ, ଡାକ୍ତର ଅଭାବ, ରେଫେରାଲ୍ରେ ଅନିଚ୍ଛା ଓ ସହବନ୍ଧିତ ଡାକ୍ତରଖାନାରେ ଅସ୍ତ୍ରୋପଚାର ପାଇଁ ଅଧିକ ଆର୍ଥିକ ଅନୁମୋଦନ ମିଳିବାରେ ଅସୁବିଧା ଉପରେ ଆଲୋଚନା କରାଯାଇଥିଲା। ସେ ସବୁର ସମାଧାନ ନିମନ୍ତେ ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଥିଲା। ସ୍ବାସ୍ଥ୍ୟଗତ ସମସ୍ୟା ସମୟରେ ସଂଗଠନ ସହିତ ବ୍ୟକ୍ତିଗତସ୍ତରରେ ପରସ୍ପରକୁ ସାହାଯ୍ୟ-ସହଯୋଗ କରିବାକୁ ଭେଟେରାନ୍ ସଚ୍ଚିକାନ୍ତ ନାଥ ଆହ୍ବାନ ଦେଇଥିଲେ। ଏହି ଅବସରରେ ରାଜ୍ୟକୁ ତିନିଟି ଜୋନ୍ରେ ବିଭକ୍ତ କରି ଭେଟେରାନ୍ମାନଙ୍କୁ ବିଭିନ୍ନ ଜୋନ୍ର ଦାୟିତ୍ୱ ପ୍ରଦାନ କରାଯାଇଥିଲା। ରାଜ୍ୟସ୍ତରୀୟ ଅନ୍ୟ ସଙ୍ଗଠନର ନେତୃତ୍ୱଙ୍କୁ ଗୋଟିଏ ବ୍ୟାନର୍ ତଳେ ସମୂହ ସ୍ବାର୍ଥ ସାଧନ ନିମିତ୍ତ କାର୍ଯ୍ୟ କରିବାକୁ ଭେଟେରାନ୍ ଜେନା ଆହ୍ୱାନ ଦେଇଥିଲେ। ଶେଷରେ ଖୋର୍ଦ୍ଧା ଜିଲ୍ଲା ସଭାପତି ଭେଟେରାନ୍ ବନବିହାରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/Untitled-4-1.jpg)