ବଲାଙ୍ଗୀର : ସ୍ଥାନୀୟ ସିଭିଲ କୋର୍ଟ ବାର୍ ହଲ୍ ଠାରେ ଅଲ୍ ଓଡ଼ିଶା ବାର୍ ଏସୋସିଏସନ ସଭାପତି ଓ ସଂପାଦକମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟର ୩୦ଟି ଜିଲ୍ଲାର ବାର୍ ଏସୋସିଏସନଗୁଡ଼ିକର ସଭାପତି ଓ ସଂପାଦକମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆୟୋଜିତ ଏହି ବୈଠକରେ ଓକିଲମାନଙ୍କ ବିଭିନ୍ନ ସମସ୍ୟା ଓ ସମାଧାନର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା। ପ୍ରାରମ୍ଭରେ ମହାମାରୀ କରୋନାରେ ମୃତ୍ୟୁବରଣ କରିଥିବା ଓକିଲମାନଙ୍କ ଆତ୍ମାର ସଦ୍‌‌ଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ସରକାର ଡାକ୍ତର, ନର୍ସ, ପୁଲିସ ଓ ସାମ୍ବାଦିକମାନଙ୍କୁ ଆଗଧାଡ଼ିର କରୋନା ଯୋଦ୍ଧା ଭାବରେ ଘୋଷଣା କରି ସେମାନଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିଥିବା ବେଳେ ଓକିଲମାନଙ୍କୁ ସମସ୍ତ ପ୍ରକାରର ସହାୟତାରୁ ବଂଚିତ କରାଯାଇଛି ବୋଲି ବୈଠକରେ ଓକିଲମାନେ କ୍ଷୋଭ ପ୍ରକାଶ କରିଥିଲେ।

Advertisment

ସଭା ପ୍ରାରମ୍ଭରେ ବଲାଙ୍ଗୀରର ବରିଷ୍ଠ ଆଇନଜୀବୀ ରାଖାଲ ନନ୍ଦ ପ୍ରାରମ୍ଭିକ ସୂଚନା ଦେଇ କରୋନା କାଳରେ ବୃତ୍ତିଗତ କ୍ଷେତ୍ରରେ ଓକିଲମାନେ ସମ୍ମୁଖୀନ ହୋଇଥିବା ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ। କରୋନା କାଳରେ କାର୍ଯ୍ୟ କ୍ଷେତ୍ରରେ ଓକିଲମାନଙ୍କ ସୁରକ୍ଷା ପ୍ରତି ସରକାର ଧ୍ୟାନ ଦେଇନଥିବା ନେଇ ଶ୍ରୀ ନନ୍ଦ ଉଦ୍‌ବେଗ ପ୍ରକାଶ କରିଥିଲେ। ଭୁବନେଶ୍ୱର ଓକିଲ ସଂଘର ସଭାପତି ତଥା ଅଲ୍ ଓଡ଼ିଶା ବାର୍ ଏସୋସିଏସନର ଆବାହକ ନିର୍ମଳ ରଥ ସଭା ସଂଯୋଜନା କରିଥିଲେ। ସରକାର ସାଧାରଣ ଲୋକଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ ଯୋଜନା ପ୍ରଣୟନ କରିଥିବା ବେଳେ ଓକିଲମାନଙ୍କ ପାଇଁ କାହିଁକି ସ୍ୱାସ୍ଥ୍ୟ ବୀମା ଯୋଜନା କରାଯିବ ନାହିଁ ବୋଲି ସେ ସରକାରଙ୍କୁ ପ୍ରଶ୍ନ କରିଥିଲେ। ଓକିଲମାନଙ୍କ ପାଇଁ ସରକାର ତାଙ୍କର କାର୍ପସ ଫଣ୍ଡକୁ ବୃଦ୍ଧି କରିବା ପାଇଁ ବୈଠକରେ ଦାବି କରାଯାଇଥିଲା। ରାଜ୍ୟର ବିଭିନ୍ନ ଓକିଲ ସଂଘର ନିଜସ୍ୱ କାର୍ଯ୍ୟାଳୟ ନଥିବା ବେଳେ ଅନେକ ସଂଘର ଦୁର୍ବଳ ଭିତ୍ତିଭୂମି ଓ ଏ କ୍ଷେତ୍ରରେ ସରକାରଙ୍କ ଉଦାସୀନତା ମନୋଭାବ ଓକିଲମାନଙ୍କ କାର୍ଯ୍ୟଦକ୍ଷତାରେ ବାଧା ସୃଷ୍ଟି ହେଉଛି ବୋଲି ଶ୍ରୀ ରଥ କହିଥିଲେ।

publive-image

ଅନ୍ୟମାନଙ୍କ ମଧ୍ୟରେ ସମ୍ବଲପୁର ବାର୍ ଏସୋସିଏସନର ସଭାପତି ପ୍ରମୋଦ ରଥ, ରାଉରକେଲା ବାର୍ ଏସୋସିଏସନର ସଭାପତି ରମେଶ ଚନ୍ଦ୍ର ବଳ, କଳାହାଣ୍ଡି ବାର୍ ଏସୋସିଏସନର ସଭାପତି  ବଟକୃଷ୍ଣ ଆଚାର୍ଯ୍ୟ, ଝାରସୁଗୁଡ଼ା ବାର୍ ଏସୋସିଏସନର ସଭାପତି ତ୍ରିନାଥ ଖୁଆସ, ସୋନପୁର ଓକିଲ ସଂଘର ସଭାପତି ବିଧାନ ଚରଣ ପାଣିଗ୍ରାହୀ, ଭୁବନେଶ୍ୱର ଓକିଲ ସଂଘ ସଂପାଦକ ରାଜକିଶୋର ଦାସ, କେନ୍ଦୁଝର ବାର୍ ଏସୋସିଏସନର ସଭାପତି ଆଶିଷ ଚକ୍ରବର୍ତ୍ତୀ, ଫୁଲବାଣୀ ବାର୍ ଏସୋସିଏସନର ସଭାପତି ସିଦ୍ଧେଶ୍ୱର ଦାସ, ବାଲେଶ୍ୱର ବାର୍ ଏସୋସିଏସନର  ସଭାପତିଙ୍କ ସମେତ ରାଜ୍ୟର ୩ଠଟି ଓକିଲ ସଂଘର ସଭାପତି ଓ ସଂପାଦକମାନେ ନିଜସ୍ୱ ମତାମତ ଉପସ୍ଥାପନ କରିଥିଲେ। ଆସନ୍ତା ୧ ତାରିଖ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ ଭାର୍ଚୁଆଲ ମିଟିଂରେ କାର୍ଯ୍ୟରତ ଓକିଲମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଅବଗତ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

କାର୍ଯ୍ୟରତ ଓକିଲମାନଙ୍କ ଉପରେ ପୁଲିସର ମାତ୍ରାଧିକ କାର୍ଯ୍ୟକଳାପକୁ ବୈଠକରେ ଦୃଢ଼ ନିନ୍ଦା କରାଯିବା ସହ ଓକିଲମାନଙ୍କ ଏକତା ଓ ଅଖଣ୍ଡତାକୁ ଅକ୍ଷୁଣ୍ଣ ରଖିବା ପାଇଁ ଆହ୍ୱାନ ଦିଆଯାଇଥିଲା। ରାଜ୍ୟ ବାର୍‌ କାଉନ୍‌ସିଲର ଏକଛତ୍ରବାଦକୁ ଦୃଢ଼ ନିନ୍ଦା କରାଯିବା ସହ ତୁରନ୍ତ କାଉନସିଲର ନିର୍ବାଚନ କରାଯାଉ ବୋଲି ରାଜ୍ୟର ସମସ୍ତ ଓକିଲ ସଂଘ ଦୃଢ଼ ସ୍ୱରରେ ଦାବି କରିଛନ୍ତି। ପରେ ରାଜ୍ୟର ୧୬ଟି ଜିଲ୍ଲାର ଓକିଲ ସଂଘର ସଭାପତିମାନଙ୍କୁ ନେଇ ଏକ ଏକ୍ସନ କମିଟି ଓ ୬ଟି ଜିଲ୍ଲାର ସଂପାଦକମାନଙ୍କୁ ନେଇ ଆଉ ଏକ କାର୍ଯ୍ୟକାରୀ କମିଟି ଗଠନ କରାଯାଇଥିଲା। ଆଜିର ସଭାରେ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ସଭାପତି ପ୍ରବୀଣ ମିଶ୍ର ସଭାପତିତ୍ୱ କରିଥିବା ବେଳେ ସଂଘର ସଂପାଦକ ଅମନ ନାଗ ଧନ୍ୟବାଦ ଦେଇଥିଲେ।