ଓକିଲଙ୍କ ସ୍ବାର୍ଥ ପାଇଁ ଏକଜୁଟ୍‌ ହେଲେ ୩୦ ଜିଲ୍ଲାର ଓକିଲ ପ୍ରତିନିଧି

ଭୁବନେଶ୍ୱର : ଭୁବନେଶ୍ୱର ବାର୍ ଆସୋସିଏସନ୍ ହଲ ପରିସର‌ରେ ଆଜି ଅଲ୍ ଓଡ଼ିଶା ବାର୍ ଆସୋସିଏସନ୍ ସଭାପତି ଓ ସମ୍ପାଦକମାନଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭୁବନେଶ୍ୱର ବାର୍ ଆସୋସିଏସନ୍‌ର ସଭାପତି ବରିଷ୍ଠ ଆଇନଜୀବୀ ନିର୍ମଳ କିଶୋର ରଥ ପୌରୋହିତ୍ୟ କରିଥିଲେ। ବୈଠକରେ ୩୦ ଜିଲ୍ଲାର ସଭାପତି ଓ ସମ୍ପାଦକମାନେ ଯୋଗଦେଇ ରାଜ୍ୟର ଓକିଲମାନଙ୍କ ବିଭିନ୍ନ ଅଭାବ ଅସୁବିଧା ଓ ସମସ୍ୟା ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ। ଓକିଲମାନଙ୍କ ବିଭିନ୍ନ ସମସ୍ୟା ଓ ସମାଧାନ ପାଇଁ ଏକ ଆକ୍ସନ୍ କମିଟି ଗଠନ ପାଇଁ ଚେଷ୍ଟା କରାଯିବ ବୋଲି ସ୍ଥିର କରାଯାଇଥିଲା। ସେହିପରି ଯେଉଁଠାରେ ନୂତନ କୋର୍ଟ ଖୋଲାଯାଉଛି, ସେଠାରେ ଓକିଲମାନଙ୍କ ପାଇଁ ବାର୍ ଆସୋସିଏସନ୍ ହଲ୍‌, ଲାଇ‌ବ୍ରେରି ଓ କ୍ୟାଣ୍ଟିନ୍‌ର ସୁବିଧା କରିବା ପାଇଁ ହାଇକୋର୍ଟକୁ ଅନୁରୋଧ କରାଯିବ ବୋଲି ସ୍ଥିର ହୋଇଥିଲା। ଓକିଲମାନଙ୍କ ସୁରକ୍ଷା ପାଇଁ ଏକ ଆଇନ ଆଣିବା ଏବଂ ଓଡ଼ିଶାର ଜନସାଧାରଣଙ୍କ ପାଇଁ ୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ଯୋଜନା ଲାଗୁ ପାଇଁ ସରକାରଙ୍କ ପାଖରେ ଦାବି କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ବୈଠକରେ ଭୁବନେଶ୍ୱର ବାର୍ ଆସୋସିଏସନ୍‌ର ସମ୍ପାଦକ ରାଜକିଶୋର ଦାସ, ଉପସଭାପତି ଦେବୀଦତ୍ତ ବାରିକ୍‌, ଯୁଗ୍ମସମ୍ପାଦକ ଅଶୋକ ବଡ଼ପଣ୍ଡା, କୋଷାଧ୍ୟକ୍ଷ ଲିଙ୍ଗରାଜ ମହାରଣା, ସହସମ୍ପାଦକ ଶିବନାରାୟଣ ସାହୁ, ଅଭିଜିତ୍ ମିଶ୍ର, ଅନ୍ତର୍ଯ୍ୟାମୀ ବିଶ୍ୱାଳ, ସୁରେଶ କୁମାର ଦାଶ, ନାରାୟଣ ଜେନା, ଲିନା ପଟ୍ଟନାୟକ, ପ୍ରମିଳା ଜାଲି ଓ ଅନ୍ୟ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର