ପାନୀୟ ଜଳ ପ୍ରକଳ୍ପ ତୁରନ୍ତ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ବ, ପୁରୀ ଜିଲ୍ଲାର ପ୍ରକଳ୍ପ ନେଇ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ବୈଠକ

ଭୁବନେଶ୍ବର : ପୁରୀ ଜିଲ୍ଲାର ବୃହତ ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟକାରିତା ନେଇ ଏକ ବୈଠକ ଆଜି ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଏଥ‌ିରେ ଅଧ୍ୟକ୍ଷତା କରି ପ୍ରକଳ୍ପଗୁଡ଼ିକ ତୁରନ୍ତ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ବାରୋପ କରିଥିଲେ। ସତ୍ୟବାଦୀ ବ୍ଲକ୍‌ର ୪୬ଟି ଗ୍ରାମକୁ ବୃହତ ପାନୀୟ ଜଳ ପ୍ରକଳ୍ପ, କୃଷ୍ଣପ୍ରସାଦ ବ୍ଲକ୍‌ର ୯୯ଟି ଗ୍ରାମ, ବ୍ରହ୍ମଗିରି ବ୍ଲକ୍‌ର ୬୯ଟି ଗ୍ରାମ, କୃଷ୍ଣପ୍ରସାଦ ବ୍ଲକ୍‌ର ୭ଟି ପଞ୍ଚାୟତ, କଣାସ ବ୍ଲକ୍‌ର ୧୨୬ଟି ଗ୍ରାମ, ବ୍ରହ୍ମଗିରି ବ୍ଲକ୍‌ର ୧୮ଟି ଗ୍ରାମ, ସତ୍ୟବାଦୀ ବ୍ଲକ୍‌ର ୧୪ଟି ଗ୍ରାମକୁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ତଥା ବ୍ରହ୍ମଗିରି, ଭଣ୍ଡାରୀକୁଦାର, ଗୋବର୍ଦ୍ଧନପୁରରେ ୫୯ଟି ଗ୍ରାମ ପାଇଁ ନିର୍ମାଣାଧୀନ ବୃହତ ପାନୀୟ ଜଳ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା।

ଚିଲିକା ହ୍ରଦ ମଧ୍ୟରେ ଥିବା ମହିଷା ଓ ବ୍ରହ୍ମପୁର ଗ୍ରାମକୁ ସ୍ବତନ୍ତ୍ର ପାନୀୟ ଜଳ ପ୍ରକଳ୍ପ ନିମନ୍ତେ ୨ କୋଟି ୯୪ ଲକ୍ଷ ଟଙ୍କା ବ୍ୟୟରେ କାର୍ଯ୍ୟକାରୀ ହେବାକୁ ଥିବା ପ୍ରକଳ୍ପ ଉପ‌େର ଶ୍ରୀ ଦାସବର୍ମା ଗୁରୁତ୍ବାରୋପ କରିଥିଲେ। ଏଥି ସହିତ ପୁରୀ ସଦର ବ୍ଲକ୍‌ର ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୧୧ଟି ପଞ୍ଚାୟତ ଓ ପୁରୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୧୯ଟି ପଞ୍ଚାୟତକୁ ବୃହତ ପାନୀୟ ଜଳ ପ୍ରକଳ୍ପ ମାଧ୍ୟମରେ ପାନୀୟ ଜଳ ଯୋଗାଇ ଦେବାକୁ ରାଜ୍ୟସ୍ତରୀୟ ମଞ୍ଜୁର ପାଇଁ ବୈଠକରେ ଆଲୋଚନା ହୋଇଥିଲା। ଏଥି ସହିତ ପୁରୀ ସଦର, ଗୋପ, ଡେଲାଙ୍ଗ, କାକଟପୁର ବ୍ଲକ୍ ଓ ଅସ୍ତରଙ୍ଗ ବ୍ଲକ୍ ତଥା ପୁରୀ ସଦର ବ୍ଲକ୍‌ରେ ବିଶୁଦ୍ଧ ପାନୀୟ ଜଳ ଆବଶ୍ୟକତାକୁ ଆଖି ଆଗରେ ରଖି ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ଆଲୋଚନା କରାଯାଇଥିଲା। ଏଥି ସହିତ ସଙ୍ଗରୋଧ କେନ୍ଦ୍ରଗୁଡ଼ିକରେ ଶୌଚାଳୟ ଓ ପାନୀୟ ଜଳର ପର୍ଯ୍ୟାପ୍ତ ବ୍ୟବସ୍ଥା କରିବା ପାଇଁ ଶ୍ରୀ ଦାସବର୍ମା ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ, ବିଭାଗୀୟ ନିର୍ଦ୍ଦେଶକ ତଥା‌ ଯୁଗ୍ମ ଶାସନ ସଚିବ ବି ପରମେଶ୍ବରନ୍, ସର୍ବୋଚ୍ଚ ଯନ୍ତ୍ରୀ ଅଭୟ କୁମାର ବିଶ୍ବାଳ, ଅଧୀକ୍ଷଣ ଯନ୍ତ୍ରୀ ସୁମନ୍ତ କୁମାର ହରିଚନ୍ଦନ ଓ ନିର୍ବାହୀ ଯନ୍ତ୍ରୀ ବସନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର