ଗାଁକୁ ଇଣ୍ଟର୍‌ନେଟ୍‌ ସେବା ପାଇଁ ତନାଘନା

‘ଭାରତ ନେଟ୍‌’ ପ୍ରକଳ୍ପରେ ଦିଆଯାଉଛି ବ୍ରଡ୍‌ ବ୍ୟାଣ୍ଡ୍‌ ସଂଯୋଗ, ପ୍ରଥମ ପର୍ଯ୍ୟାୟରେ ୩୮୧୦ ପଞ୍ଚାୟତରେ ଭିତ୍ତିଭୂମି କାମ ଚାଲିଛି, ଦ୍ବିତୀୟ ପର୍ଯ୍ୟାୟରେ ଆଉ ୨୯୨୫ ପଞ୍ଚାୟତ ପାଇଁ ସ‌େର୍ଭ ଆରମ୍ଭ

ଭୁବନେଶ୍ବର : ଗ୍ରାମାଞ୍ଚଳରେ ଇଣ୍ଟର୍‌ନେଟ୍‌ ସେବା ଠିକ୍ ନ ଥିବାରୁ ସରକାରଙ୍କ ବହୁ ଯୋଜନାର ସିଧାସଳଖ ସୁଫଳ ଗାଁ ଲୋକ ପାଇ ପାରୁ ନାହାନ୍ତି। ଏ ନେଇ ରାଜ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ଗତକାଲି ଏ ନେଇ ‘ସମ୍ବାଦ’ରେ ‘ଗାଁରେ ରହିବା ପାପ’ ଶୀର୍ଷକ ଖବର ପ୍ରକାଶ ପାଇଲା ପରେ ପ୍ରଶାସନିକ ସ୍ତରରେ ତନାଘନା ଆରମ୍ଭ ହୋଇଛି। ଗାଁକୁ କିପରି ଇଣ୍ଟର୍‌‌େନଟ୍‌ ସେବା ଦିଆଯିବ, ସେ ନେଇ ଆଜି ସଚିବାଳୟ‌େର ମାନସ ମନ୍ଥନ ହୋଇଛି। ନିଜେ ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗର ସଚିବ ଓ ବିଏସ୍‌ଏନ୍‌ଏଲ୍‌ କର୍ତ୍ତୃପକ୍ଷଙ୍କୁ ଏ ନେଇ ତତ୍ପରତା ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ହୋଇଥିବା ହୋଇଥିବା ରାଜ୍ୟସ୍ତରୀୟ କ୍ରିୟାନ୍ବୟନ କମିଟି ବୈଠକରେ ‘ଭାରତ ନେଟ୍‌’ର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ଅଗ୍ରଗତି ନେଇ ସମୀକ୍ଷା ହୋଇଥିଲା। ରାଜ୍ୟରେ ଦ୍ରୁତ ଇଣ୍ଟର୍‌ନେଟ୍‌ ସେବାର ଅଭିବୃଦ୍ଧି ପାଇଁ ସରକାରଙ୍କ ତରଫରୁ ବ୍ଲକ୍ ଓ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ଅପ୍ଟିକାଲ୍ ଫାଇବର୍ ମାଧ୍ୟମରେ ବ୍ରଡ୍‌ ବ୍ୟାଣ୍ଡ୍‌ ସଂଯୋଗ ପ୍ରକଳ୍ପ ଆରମ୍ଭ କରାଯାଇଛି। ଭାରତ ନେଟ୍‌ ପ୍ରଥମ ପର୍ଯ୍ୟାୟରେ ୩୮୧୦ଟି ଗ୍ରାମ ପଞ୍ଚାୟତ ଓ ୧୮୧ଟି ବ୍ଲକ୍‌କୁ ବ୍ରଡ୍‌ ବ୍ୟାଣ୍ଡ୍‌ ସଂଯୋଗ ପାଇଁ କାମ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୨୦୯୪ ଗ୍ରାମପଞ୍ଚାୟତରେ ସେବା ‌େଯାଗାଣ ନିମନ୍ତେ ଭିତ୍ତିଭୂମି କାର୍ଯ୍ୟ ପୂର୍ଣ୍ଣାଙ୍ଗ ହୋଇ ବିଏସ୍‌ଏନ୍‌ଏଲ୍‌କୁ ହସ୍ତାନ୍ତର କରାଯାଇଛି। ତାହା ମଧ୍ୟରୁ ୨୩୧ଟି ସଂଯୋଗ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି ବୋଲି ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ବେଣୁଗୋପାଳ ସୂଚନା ଦେଇଥିଲେ।

ପଞ୍ଚାୟତ ସ୍ତରରେ ଇଣ୍ଟର୍‌ନେଟ୍‌ ଯୋଗାଯୋଗର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରି ମୁଖ୍ୟ ଶାସନ ସଚିବ ଅବଶିଷ୍ଟ ପଞ୍ଚାୟତମାନଙ୍କୁ ତୁରନ୍ତ ସେବା ଯୋଗାଇବା ନିମନ୍ତେ ବିଏସ୍‌ଏନ୍‌ଏଲ୍‌ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବ୍ଲକ୍ ଓ ପଞ୍ଚାୟତ ସ୍ତରରେ ଥିବା ସରକାରୀ ଅନୁଷ୍ଠାନମାନଙ୍କୁ ଏହି ସଂଯୋଗ ଯୋଗାଇବା ପାଇଁ କୁହାଯାଇଥିଲା।

ଓପିଟିସିଏଲ୍‌ର ସିଏମ୍‌ଡି ହେମନ୍ତ କୁମାର ଶର୍ମା ସୂଚନା ଦେଇଥ‌ିଲେ, ଭାରତ ନେଟ୍‌ର ଦ୍ବିତୀୟ ପର୍ଯ୍ୟାୟରେ ୩୦ଟି ଜିଲ୍ଲା ଅନ୍ତର୍ଭୁକ୍ତ ୨୯୨୫ ପଞ୍ଚାୟତରେ ସର୍ଭେ କାମ ଆରମ୍ଭ କରାଯାଇଛି। ବ୍ଲକ୍‌ରୁ ବିଏସ୍‌ଏନ୍‌ଏଲ୍‌କୁ ଏକ୍ସଚେଞ୍ଜ୍‌କୁ ସଂଯୋଗ ଏବଂ ସେଠାରୁ ପଞ୍ଚାୟତ ଓ ଅନ୍ୟାନ୍ୟ ବ୍ୟବହାରକାରୀ ସଂସ୍ଥାମାନଙ୍କୁ ସଂଯୋଗ ଏହି ପ୍ରକଳ୍ପ ଅନ୍ତର୍ଭୁକ୍ତ। ବର୍ତ୍ତମାନ ସୁଦ୍ଧା ୨୭୭୧ଟି ପଞ୍ଚାୟତ ଓ ୨,୮୦,୦୦୦ ଖୁଣ୍ଟ ନିମନ୍ତେ ସର୍ଭେ ସରି ସେଗୁଡ଼ିକୁ ଜିଓ ଟ୍ୟାଗିଂ କରାଯାଇଛି।

ଆସନ୍ତା ଜୁନ୍ ୩୦ ତାରିଖ ସୁଦ୍ଧା ଏହି ସ‌େର୍ଭ କାର୍ଯ୍ୟ ସାରିବାକୁ ମୁଖ୍ୟ ଶାସନ ସଚିବ ଓପିଟିସିଏଲ୍‌କୁ ନିର୍ଦ୍ଦେଶ ଦେଇଥିଲେ। କ୍ଷେତ୍ର ସ୍ତରରେ ଅବିରତ ସେବା ଯୋଗାଣ ଓ ସୃଷ୍ଟି କରାଯାଇଥିବା ଭିତ୍ତିଭୂମିର ରକ୍ଷଣା‌େବକ୍ଷଣ ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବାକୁ ଉନ୍ନୟନ କମିସନ ଅସିତ କୁମାର ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହଙ୍କ ସମେତ ବିଏସ୍‌ଏନ୍‌ଏଲ୍‌, ବିବିଏନ୍‌ଏଲ୍‌, ଓପିଟିସିଏଲ୍‌, ପିଜିସିଆଇଏଲ୍‌ ଓ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର