ରାଉରକେଲା: ଆବଶ୍ୟକ ସଂଖ୍ୟକ ପାର୍କିଂସ୍ଥଳ ନଥିବାରୁ ସହରରେ ଦିନକୁ ଦିନ ଟ୍ରାଫିକ ବ୍ୟବସ୍ଥା ବିଗୁଡ଼ିଛି। ଯେଉଁ ସ୍ଥାନରେ ପାର୍କିଂସ୍ଥଳ ନିର୍ମାଣ ହୋଇଛି, ଗାଡି ଚାଳକଙ୍କ କୌଣସି କାମରେ ଆସୁନି। ଫୁଟ୍‌ଫାଥ୍‌ ମାଡ଼ିବସିଥିବା ବ୍ୟବସାୟିକ ଅନୁଷ୍ଠାନ, ରାସ୍ତାରେ ଉଭୟ ପାର୍ଶ୍ବରେ ମନଇଚ୍ଛା ଦୁଇ, ତିନି ଓ ଚାରି ଚକିଆ ଯାନ ପାର୍କିଂ କରାଯାଉଥିବାରୁ ଦୈନନ୍ଦିନ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଅନେକ ସମୟରେ ଯାତାୟତରେ ବାଧା ଉପୁଜିଛି। ସହରରେ ଟ୍ରାଫିକ ସମସ୍ୟାର ସ୍ଥାୟୀ ସମାଧାନ ଲାଗି ଆଜି ଡିଆଇଜି ବ୍ରିଜେଶ କୁମାର ରାଏଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ପୁଲିସ ମୁଖ୍ୟାଳୟରେ ଆୟ‌ୋଜିତ ବୈଠକରେ ବୁଦ୍ଧିବାଦୀ ଫୋରମ୍‌ର, ଅଟୋ ଓ ମାଲିକ ସଂଘର କର୍ମକର୍ତ୍ତା, ରାଉରକେଲା ହୋଟେଲ ଆଣ୍ଡ ରେସ୍ତୋରାଁ ସଂଘର ପ୍ରତିନିଧି, ରାଉରକେଲା ବଣିକ ସଂଘର କର୍ମକର୍ତ୍ତା ଯୋଗଦେଇ ନିଜର ସୁଚିନ୍ତିତ ମତାମତ ରଖିଥିଲେ।

Advertisment

ରାଉରକେଲା ମୁଖ୍ୟମାର୍କେଟ ସମେତ ଅନ୍ୟାନ୍ୟ ମାର୍କେଟରେ ମାଡ଼ିବିଥିବା ଫୁଟ୍‌ପାଥକୁ ଖାଲି କରିବା, ରାସ୍ତାରେ ସିଙ୍ଗଲ ପାର୍କିଂ ବ୍ୟବସ୍ଥାକୁ କଡ଼ାକଡି କରିବା, ବେଦବ୍ୟାସ ଟିସିଆଇ ଛକରୁ ନୂଆ ବ୍ରାହ୍ମଣୀ ପୋଲ ପର୍ଯ୍ୟନ୍ତ ରାସ୍ତାରେ ଟ୍ରାଫିକ ନିୟନ୍ତ୍ରଣ ଆଦି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ସିଙ୍ଗଲ ପାର୍କିଂ ବ୍ୟବସ୍ଥା ନିୟମକୁ ଯେଉଁ ଗାଡ଼ିଚାଳକମାନେ ପାଳନ କରିବେ ନାହିଁ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ସଙ୍ଗଠନର ପ୍ରତିନିଧିମାନେ ଡିଆଇଜି ଶ୍ରୀ ରାୟଙ୍କୁ ଅନୁରୋଧ କରିଥିଲେ। ଏଥିସହ ନିୟମିତ ଟ୍ରାଫିକ ସମସ୍ୟା ଉପରେ ନଜର ରଖିବାକୁ ସ୍ଥାନୀୟ ଥାନାକୁ ନିର୍ଦ୍ଦେଶ ଦେବାକୁ ଡିଆଇଜି ଶ୍ରୀ ରାୟଙ୍କୁ କହିଥିଲେ। ଆବଶ୍ୟକତା ଦୃଷ୍ଟିରୁ ସହରରେ ଟ୍ରାଫିକ ଥାନା ପ୍ରତିଷ୍ଠା କରିବାକୁ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତାମନେ ଦାବି କରିଥିଲେ। ବୈଠକରେ ଟ୍ରାଫିକ୍‌ ଡିଏସ୍‌ପି ସମେତ ଜୋନାଲ ଡିଏସ୍‌ପିମାନେ ଉପସ୍ଥିତ ଥିଲେ।