ଶ୍ରୀମନ୍ଦିର ଅନୁଧ୍ୟାନ କରିବ ଏଏସ୍‌ଆଇ ଟିମ୍‌, ରଥଯାତ୍ରା ସମୟରେ ହେବ ମରାମତି କାମ

ଭୁବନେଶ୍ୱର: ଏଏସ୍‌ଆଇ ଟିମ୍‌ ଶ୍ରୀମନ୍ଦିରରେ ଅନୁଧ୍ୟାନ କରିବ। ପୁରୀ ଶ୍ରୀମନ୍ଦିର ସୁରକ୍ଷା ନେଇ ବୁଧବାର ଭୁବନେଶ୍ୱରରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସମୟରେ ଶ୍ରୀମନ୍ଦିର ମରାମତି କାମ ହେବ ବୋଲି ଜଣାପଡ଼ିଛି। ଜୁଲାଇ ୬ରୁ ୧୪ ମଧ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ଶ୍ରୀମନ୍ଦିରରେ ମରାମତି କାମ ହେବ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମରାମତି କାମ ୧୪ ତାରିଖ ସଂଧ୍ୟା ସୁଦ୍ଧା ଶେଷ ହେବ ବୋଲି ଆଲୋଚନା ହୋଇଛି। ବୈଠକ ପରେ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ଯେ, ଏଏସ୍‌ଆଇ ଟିମ୍‌ ଜୁଲାଇ ୫ ଓ ୬ରେ ଶ୍ରୀମନ୍ଦିରର ସ୍ଥିତି ଅନୁଧ୍ୟାନ କରିବ। ଶ୍ରୀମନ୍ଦିର ମରାମତି ପାଇଁ ଜୁଲାଇ ୬ରୁ କାମ ଆରମ୍ଭ ହେବ। ଜୁଲାଇ ୧୪ ସୁଦ୍ଧା ଶ୍ରୀମନ୍ଦିର କାମ ଶେଷ କରାଯିବ।

ବୈଠକରେ ଗର୍ଭଗୃହର ସୁରକ୍ଷା ଉପରେ ଆଲୋଚନା ହୋଇଛି। ସେହିଭଳି ସିଂହଦ୍ଵାରରେ ପଥରରୁ ନିର୍ମିତ ସ୍ଥାୟୀ ଜୟ-ବିଜୟ ମୂର୍ତ୍ତି ଲାଗିବ ବୋଲି ଆଲୋଚନା ହୋଇଛି। ନୀଳଚକ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ ରାସାୟନିକ ବିଶ୍ଳେଷଣ କରାଯିବ। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମେତ ଏଏସଆଇ ସଦସ୍ୟ ଓ ପୂର୍ତ୍ତ ସଚିବ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର