ପୁରୀ : ଆସନ୍ତା ୨୫ ତାରିଖରେ ସୂର୍ଯ୍ୟୋପରାଗ। ଏଥିପାଇଁ ଶ୍ରୀମନ୍ଦିର ନୀତିକାନ୍ତିରେ ପରିବର୍ତ୍ତନ କରାଯାଇଛି। ୨୫ ତାରିଖର ନୀତିକାନ୍ତି ପୂର୍ବଦିନ ରାତିରୁ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି। ସେହି ଅନୁଯାୟୀ ଅବଢ଼ା ରୋଷେଇ ବି ରାତିରୁ ହେବ। ଭୋର ୪ଟା ୫୫ ସୁଦ୍ଧା ମହାପ୍ରସାଦ ରନ୍ଧା ସରିବ। ଆଜି ନୀଳାଦ୍ରି ଭକ୍ତ ନିବାସ ପରିସରରେ ଶ୍ରୀମନ୍ଦିର ନୀତିକାନ୍ତି ଉପରେ ଅନୁଷ୍ଠିତ ନୀତି ସବ୍କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଅନ୍ୟପଟେ ୨୪ ତାରିଖରେ ବଡ଼ବଡ଼ୁଆ ଡାକିବା ପାଇଁ ଆଜି ସ୍ଥାନ ଚିହ୍ନଟ ହୋଇଛି। କାକୁଡ଼ିଖାଇ ମନ୍ଦିର ଓ ମଙ୍ଗୁ ମଠ ଭିତରେ ୫ଟି ସ୍ଥାନ ନିରୂପଣ ହୋଇଛି। ଆଜି ଅଧିକାରୀଙ୍କ ମିଳିତ ଟିମ୍ ପରିଦର୍ଶନ ପରେ ଏହି ସ୍ଥାନ ନିରୂପଣ ହୋଇଛି ବୋଲି ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି। ଲୋକେ ଯେପରି ଶୃଙ୍ଖଳିତ ଓ ସୁରକ୍ଷିତ କାଉଁରିଆ ଜାଳି ପାରିବେ, ତାର ସମସ୍ତ ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ସାହୁ କହିଛନ୍ତି।
ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର, ପରିଚାଳନା କମିଟି ସଦସ୍ୟ, ପୂଜାପଣ୍ଡା ନିଯୋଗର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡ଼ି କହିଛନ୍ତି, ଆଜିର ବୈଠକରେ ମହାପ୍ରସାଦ ରନ୍ଧା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଦ୍ବାରଫିଟା ପରେ ପରେ ପୂଜାକାର୍ଯ୍ୟ ସରି ମହାପ୍ରସାଦ ପ୍ରସ୍ତୁତି ଆରମ୍ଭ ହେବ ଓ ଭୋର ୪ଟା ୫୫ ସୁଦ୍ଧା ପ୍ରଥମ ଭୋଗମଣ୍ଡପ ଉଠିବ ବୋଲି ନିଷ୍ପତ୍ତି ହୋଇଛି। ଭୋଗ ଯେପରି ମାରା ନ ହେବ, ସେ ଦିଗକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି ବୋଲି ଶ୍ରୀ ତିଆଡ଼ି କହିଛନ୍ତି। ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ସମ୍ପାଦକ ଶ୍ରୀ ମହାସୁଆର କହିଛନ୍ତି, ଯେହେତୁ ୨୫ ତାରିଖରେ ସୂର୍ଯ୍ୟୋପରାଗ ରହିଛି, ସେ ଦୃଷ୍ଟିରୁ ପୂର୍ବଦିନ ରାତିରୁ ଦ୍ବାରଫିଟା ପରେ ମହାପ୍ରସାଦ ପ୍ରସ୍ତୁତି ଆରମ୍ଭ କରିବାକୁ ଆମକୁ କୁହାଯାଇଛି। ସଅଳ ମହାପ୍ରସାଦ ପ୍ରସ୍ତୁତିକୁ ବୈଠକରେ ଗୁରୁତ୍ବ ଦିଆଯାଇଛି। ନୀତିକାନ୍ତି କିପରି ଶୃଙ୍ଖଳିତ ହେବ, ସେ ଉପରେ ବି ଗୁରୁତ୍ବ ଦିଆଯାଇଛି। ଗ୍ରହଣ ସ୍ପର୍ଶ ପରେ ମହାପ୍ରଭୁଙ୍କ ଗ୍ରହଣ ମହାସ୍ନାନ ଓ ଅନ୍ୟାନ୍ୟ ନୀତି ସରିବା ପରେ ଦ୍ବିତୀୟ ଭୋଗମଣ୍ଡପ ପାଇଁ ପ୍ରସ୍ତୁତି ଆରମ୍ଭ ହେବ ବୋଲି ଶ୍ରୀ ମହାସୁ୍ଆର କହିଛନ୍ତି।