ଉଚ୍ଚ କ୍ଷମତାସଂପନ୍ନ ମନ୍ତ୍ରୀସ୍ତରୀୟ ବୈଠକ, ସ୍ବାସ୍ଥ୍ୟ ବିପର୍ଯ୍ୟୟ ପ୍ରଶମନ ତାଲିମ କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବ

ଝାରସୁଗୁଡ଼ା: ଆଜି ଉଚ୍ଚ କ୍ଷମତାପନ୍ନ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇ କହିଛନ୍ତି ଯେ, ଏହି ବୈଠକରେ କରୋନା ମୁକାବିଲା ନେଇ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା। ରାଜ୍ୟରେ ସ୍ବାସ୍ଥ୍ୟ ବିପର୍ଯ୍ୟୟ ପ୍ରଶମନ ତାଲିମ କେନ୍ଦ୍ର ପ୍ରତିଷ୍ଠା ପାଇଁ ସେ ପ୍ରସ୍ତାବ ଦେଇଥିବା କହିଛନ୍ତି। ରାଜସ୍ବ ବିଭାଗର ଯେମିତି ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ତାଲିମ କେନ୍ଦ୍ର ରହିଛି, ସେଭଳି ଓଡ଼ିଶାରେ ସ୍ବାସ୍ଥ୍ୟ ବିପର୍ଯ୍ୟୟ ପ୍ରଶମନ ତାଲିମ କେନ୍ଦ୍ରରେ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ତାଲିମ ପ୍ରଦାନ କରାଯାଇ ସେମାନଙ୍କୁ ପ୍ରସ୍ତୁତ କରାଯାଇପାରିବ ବୋଲି ସେ କହିଛନ୍ତି।

ରାଜ୍ୟରେ ଅଧିକରୁ ଅଧିକ ସଂଖ୍ୟାରେ କୋଭିଡ୍ ପରୀକ୍ଷା ଯେପରି ହୋଇ ପାରିବ ସେ ନେଇ ମନ୍ତ୍ରୀ ଶ୍ରୀ ଦାସ ଗୁରୁତ୍ବ ଆରୋପ କରିଥିଲେ। ଏଥିାପଇଁ ବଲାଙ୍ଗୀର ମେଡିକାଲ କଲେଜରେ କୋଭିଡ୍ ପରୀକ୍ଷା ବ୍ୟବସ୍ଥା କରାଯିବା ସହିତ ବୁର୍ଲାରେ ଆଉ ୨ ଗୋଟି ମେସିନ ବସାଯିବାକୁ ପ୍ରସ୍ତାବ ଆଗତ କରିଥିଲେ। ମନ୍ତ୍ରୀ ଦାସ କହିଥିଲେ ଯେ, ଯେତେ ଅଧିକ ପରୀକ୍ଷା କରାଯାଇ ପାରିବ ସେତେ ଅଧିକ ସଂକ୍ରମଣ ରୋକାଯାଇ ପାରିବ। ଏଥିପାଇଁ କେନ୍ଦ୍ର ସରକାର ବିପୁଳ ସଂଖ୍ୟାରେ ପରୀକ୍ଷଣ ସରଞ୍ଜାମ ଯୋଗାଇ ଦେବା ସହିତ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକତ୍ସାଳୟ, ଭୁବନେଶ୍ବର ସମ୍ ହସପିଟାଲ, କିମ୍ସ ହସପିଟାଲ, ହାଇଟେକ୍ ମେଡିକାଲ କଲେଜରେ ମଧ୍ୟ କୋଭିଡ୍ ପରୀକ୍ଷା ପାଇଁ ଅନୁମତି ପ୍ରଦାନ ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ପ୍ରେରଣ ପାଇଁ ମତ ଦେଇଥିଲେ। ଏଡା ବ୍ୟତୀତ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମାର୍ଗ ଦର୍ଶନ ଓ ଅନ୍ୟ ରାଜ୍ୟମାନଙ୍କ ଦ୍ବାରା ପାଳନ କରାଯାଉଥିବା କାର୍ଯ୍ୟଶୈଳୀକୁ ଅନୁଧ୍ୟାନ କରି ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରାଯିବାକୁ ମନ୍ତ୍ରୀ ଶ୍ରୀ ଦାସ ମତ ଉପସ୍ଥାପନ କରିଥିଲେ।

ରାଜ୍ୟରେ ଏବେ ୧ ହଜାର ନମୁନା ପରୀକ୍ଷା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ଆଗାମୀ ଦିନରେ ଏହାକୁ ୨ ରୁ ୩ ହଜାର ନମୁନା ଯେଭଳି ପରୀକ୍ଷା ହୋଇ ପାରିବ ସେ ନେଇ ନିଷ୍ପତ୍ତି ନିଆଯାଉ ଥିବା ମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇ କହିଛନ୍ତି ଯେ, ଦିଲ୍ଲୀରେ ୯ ଗୋଟି ନମୁନାରେ ଗୋଟିଏ, ତାମିଲନାଡ଼ୁରେ ୧୦ ଗୋଟି ନମୁନାରେ ଗୋଟିଏ ପଜିଟିଭ୍ ବାହାରୁ ଥିବା ବେଳେ ଓଡ଼ିଶାରେ ୧୦୦ ନମୁନାରେ ଗୋଟିଏ ପଜିଟିଭ୍ ବାହାରୁଛି।

ସମ୍ବନ୍ଧିତ ଖବର