ରାଉରକେଲା : କୋଇଡା ବ୍ଲକ ଟେନସା ପଞ୍ଚାୟତର ବାହାମ୍ଭା, ପାଟପୁଣ୍ଡା ପଞ୍ଚାୟତର କଦମଡିହି, କାଲ୍‌ଟା ପଞ୍ଚାୟତର ଝିରପାଣି। ଏମାନଙ୍କ ପାଇଁ ବିଶୁଦ୍ଧ ପାଇପ ପାଣି ସ୍ବପ୍ନ। ବର୍ଷ ବର୍ଷ ଧରି ନାଳ ପାଣି ଓ କୂଅ ପାଣି ହିଁ ଭରସା। ସେହି ସମାନ ସ୍ଥିତି ବିଶ୍ରା ବ୍ଲକ ଜରେଇକେଲା ଓ ଭାଲୁଲତାର ଆଖପାଖ ଓଡ଼ିଶା-ସୀମାନ୍ତ କିଛି ଗାଁରେ। କେବଳ କୋଇଡା, ବିଶ୍ରା ବ୍ଲକ ନୁହେଁ ସୁନ୍ଦରଗଡ଼ ଜିଲ୍ଲାର ଏମିତି ଅନେକ ଗାଁ ଅଛି, ଯେଉଁମାନଙ୍କ ପାଇଁ ପାଇପ ଜଳ ସାତ ସପନ ପାଲଟିଛି। ଏସବୁ ଗାଁକୁ ସରକାର ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ପାଇପ ଜଳ ଯୋଗାଇଦେବାକୁ ଯେଉଁ ସ୍ବପ୍ନ ଦେଖାଇଛନ୍ତି, ତା’ କେବେ ପୂରଣ ହେବ, କାହାରି ପାଖରେ ଉତ୍ତର ନାହିଁ। କାରଣ ସରକାରଙ୍କ ପକ୍ଷରୁ ଜିଲ୍ଲାରେ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପଗୁଡ଼ିକ ଆଣ୍ଠେଇଛି। ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟ ଯୋଗୁ ମେଗା ପାନୀୟ ଜଳ ପ୍ରକଳ୍ପଗୁଡ଼ିକୁ କଚ୍ଛପ ଗତିରେ ଚାଲିଛି।

Advertisment

ଗତ ୨୦୨୨ ମାର୍ଚ୍ଚ ସୁଦ୍ଧା ସରିବାକୁ ଥିବା ପ୍ରକଳ୍ପ କାମ ଧୀମେଇ ଧୀମେଇ ଚାଲିଛି। ଚଳିତ ମାର୍ଚ୍ଚ ଅର୍ଥାତ୍‌ ଗ୍ରୀଷ୍ମ ପୂର୍ବରୁ ଲୋକଙ୍କ ଘରେ ପାଇପ ପାଣି ପହଞ୍ଚାଇବାକୁ ଯେଉଁ ଯୋଜନା ରହିଥିଲା, ତା’ ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ଠିକା ସଂସ୍ଥାଗୁଡ଼ିକ ପକ୍ଷରୁ ଚାଲିଥିବା କାମ ଗତ ଦୁଇ ବର୍ଷ ମଧ୍ୟରେ କେଉଁଠି ୨୦% ତ ଅନ୍ୟ କେଉଁଠି ୫୦% କାମ ସରିଛି। ଅବଶିଷ୍ଟ କାମ କେବେ ସରିବ, ବିଭାଗୀୟ ଅଧିକାରୀ ନା ଠିକା ସଂସ୍ଥା କାହାରି ପାଖରେ ସଠିକ୍‌ ଉତ୍ତର ନାହିଁ। ଗତ ବର୍ଷକ ତଳେ କୁଆରମୁଣ୍ଡା, ନୂଆଗାଁ, ଲହୁଣିଡା, କୋଇଡା ଓ ଗୁରୁଣ୍ଡିଆରେ ଭୋଲ୍‌ଟାସ୍‌ୱାଟର୍ ସଲ୍ୟୁସନ୍‌ସ ପ୍ରା.ଲି. ଏବଂ ବିଶ୍ରା, ବଣାଇ, ଲାଠିକଟା ଓ ଲହୁଣିପଡାରେ ଜେଏମ୍‌ସି ପ୍ରଜେକ୍ଟ ଇଣ୍ଡିଆ ପ୍ରା.ଲି. ସଂସ୍ଥା ମେଗା ଜଳ ପ୍ରକଳ୍ପର ଠିକା ପାଇଛନ୍ତି। ଭୋଲ୍‌ଟାସ୍‌’ ଦାୟିତ୍ବରେ ଥିବା ୫ଟି ବ୍ଲକରେ ଗତ ୨୦୨୦ ମାର୍ଚ୍ଚ ୧୯ରୁ କାମ ଆରମ୍ଭ କରିଥିଲା। କାମ ଗତ ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ଅର୍ଥାତ୍‌୨ ବର୍ଷରେ ଶେଷ କରିବା ଚୁକ୍ତି ହୋଇଥିଲା। କିନ୍ତୁ ଭୋଲ୍‌ଟାସ୍‌ ଧାର୍ଯ୍ୟ ସମୟର ମଧ୍ୟ ମାତ୍ର ୫୦% କାମ ସାରିଛି। ଅବଶିଷ୍ଟ ୫୦% କାମ କେବେ ସାରିବ, କାହାରି ପାଖରେ ଉତ୍ତର ନାହିଁ।

publive-image The Economic Times

ସେମିତି ଜେଏମ୍‌ସି ଗତ ୨୦୨୧ ଅଗଷ୍ଟ ୩୧ରେ ପ୍ରକଳ୍ପ କାମ ଆରମ୍ଭ କରିଥିଲା। ଆସନ୍ତା ୨୦୨୩ ଅଗଷ୍ଟ ୩୦ ସୁଦ୍ଧା ସରିବାକୁ ସମୟ ଧାର୍ଯ୍ୟ କରାଯାଇଛି। କିନ୍ତୁ ଏଇ ୧୪ ମାସ ମଧ୍ୟରେ ମାତ୍ର ୨୦% କାମ ଶେଷ ହୋଇଛି। ଏହାକୁ ଦେଖିଲେ ଅବଶିଷ୍ଟ ୮୫% କାମ ଆସନ୍ତା ୧୦ ମାସ ମଧ୍ୟରେ ସରିବାର କୌଣସି ସମ୍ଭାବନା ଦେଖା ଯାଉନାହିଁ। ବଣାଇ ଲଲେଇ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପ ସ୍ଥିତି ଆହୁରି ସାଂଘାତିକ। ପ୍ରାୟ ୧୭୦ କୋଟି ଟଙ୍କାର ଏହି ପ୍ରକଳ୍ପର କାମ କଚ୍ଛପ ଗତିରେ ଚାଲିଛି। ପ୍ରାୟ ଦୁଇ ବର୍ଷ ମଧ୍ୟରେ ଲଲେଇରୁ କାଲ୍‌ଟା ପର୍ଯ୍ୟନ୍ତ ପ୍ରାୟ ୪୦ କି.ମି. ପର୍ଯ୍ୟନ୍ତ ପାଇପ୍‌ ବିଛାଯାଇଛି। କାଲ୍‌ଟାରୁ କୋଇଡା ପର୍ଯ୍ୟନ୍ତ ପାଇପ୍‌ ବିଛା କାମ ବାକି ରହିଛି। ଜିଲ୍ଲାର ଭୋଲ୍‌ଟାସ୍‌, ଜେଏମ୍‌ସି ଓ ଏମ୍‌ସିସି ଆଦି ଠିକା ସଂସ୍ଥା କାମ କରୁଛନ୍ତି। ସବୁଠୁ ଆଶ୍ଚର୍ଯ୍ୟ କଥା ଯେଉଁସବୁ ସଂସ୍ଥାରେ ପାନୀୟ ଜଳ ପ୍ରକଳ୍ପ କାମ ଚାଲିଛି, ସେହି ସ୍ଥାନ ମଧ୍ୟରୁ କିଛି ଜାଗା ଏଯାଏଁ ଜିଳ୍ଲାପାଳଙ୍କ ଦ୍ବାରା ଅନୁମୋଦନ ହୋଇନାହିଁ। ସାଇଟ୍‌ ସିଲେକ୍ସନ କମିଟି ଜାଗା ଚିହ୍ନଟ କରି କାମ ସାରି ଦେଇଛନ୍ତି। ଆଉ କିଛି ସ୍ଥାନରେ ଜାଗାକୁ ନେଇ ମଧ୍ୟ ବିବାଦ ଉପୁଜିଛି।

ଅନୁରୂପ ଭାବେ ଆର୍‌ଡବ୍ଲୁ୍ଏସ୍‌ଏସ୍‌ ଅଧୀନରେ ବ୍ଲକଗୁଡ଼ିକରେ ହୋଇଥିବା ‘ବସୁଧା’ ଯୋଜନାର ସ୍ଥିତି ବେଶ୍‌ ଉଦ୍‌ବେଗଜନକ। କେଉଁଠି ପାଣି ମାସରେ ୧୦ ଦିନ ଆସୁଛି ତ ଅନ୍ୟ କେଉଁଠି ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। କୌଣସି ବ୍ଲକ୍‌ରେ ସବୁଦିନେ ପାଣି ଯୋଗାଣ ହେଉନାହିଁ। ଲାଠିକଟା, ବିଶ୍ରା, ନୂଆଗାଁ, କୁଆରମୁଣ୍ଡା, କୋଇଡା, ବଣାଇଁ, ଗୁରୁଣ୍ଡିଆ, ରାଜଗାଙ୍ଗପୁର ସମେତ ଅନ୍ୟାନ୍ୟ ବ୍ଲକରେ ଓଭରହେଡ୍‌ ଟାଙ୍କି ନିର୍ମାଣ ଓ ପାନୀୟ ଜଳ ଯୋଗାଣ ପାଇଁ ପାଇପ ବିଛାରେ ପ୍ରକଳ୍ପ ପିଛା ପ୍ରାୟ ୩୦ରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଛି। କିନ୍ତୁ ନିମ୍ନମାନର କାମ କାରଣରୁ ଅଧିକାଂଶ ସ୍ଥାନରେ ‘ବସୁଧା’ ଫେଲ୍‌ମାରିଛି। ଏସବୁ ଭିତରେ ଜିଲ୍ଲାର ଗ୍ରାମାଞ୍ଚଳକୁ ସରକାର‌ ଦେଖାଇଥିବା ବିଶୁଦ୍ଧ ପାନୀୟ ଜଳ ସ୍ବପ୍ନ କେବେ ସାକାର ହେଉଛି, ତା’ ଉପରେ ସମସ୍ତଙ୍କ ନଜର ରହିଛି।