ବ୍ରହ୍ମଗିରି: ୧୩ ବର୍ଷ ହେଲା ସରୁନି ମେଗା ପାନୀୟ ଜଳ ପ୍ରକଳ୍ପ, ଖରାଦିନେ ଉତ୍କଟ ରୂପ ଧାରଣ କରିବ ପାନୀୟ ଜଳ ସମସ୍ୟା

ବ୍ରହ୍ମଗିରି : ଗୋଟିଏ ନୁହେଁ କି ଦୁଇଟି ନୁହେଁ, ତିନୋଟି ପଞ୍ଚାୟତ ନିର୍ବାଚନ ଶେଷ ହେଲାଣି। କିନ୍ତୁ ଲୋକଙ୍କ ସ୍ବପ୍ନର ପିଇବା ପାଣି ପ୍ରକଳ୍ପ କାମ ଶେଷ ହେଲା ନାହିଁ। ଯେଉଁ ତିମିରେ କି ସେହି ତିମିରେ ପଡ଼ି ରହିଛି। ପାଣି ପ୍ରକଳ୍ପର ସ୍ବପ୍ନ ଦେଖାଇ ନିର୍ବାଚନ ବୈତରଣୀ ପାରି ହେବା ପରେ ପୁଣି ସବୁ ଠପ୍‌। ଆଉ ଲୋକେ ପିଇବାକୁ ଭଲ ପାଣି ମୁନ୍ଦେ ନ ପାଇ ଡହଳ ବିକଳ ହେଉଛନ୍ତି। ଖାଲି ଯେ ପାଣି ପିଇବାକୁ ପାଉନାହାନ୍ତି ତା’ନୁହେଁ, ବରଂ ଅନେକ କଷ୍ଟସାଧ୍ୟ ରୋଗରେ ପୀଡିତ ହୋଇ ଜୀବନ ହାରୁଛନ୍ତି। ଏମିତି ଏକ ଘଟଣା ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ୍‌ରେ ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ବ୍ରହ୍ମଗିରି ବ୍ଲକ୍‌ରେ ପିଇବା ପାଣି ସମସ୍ୟା ଲାଗି ରହିଛି। ଚିଲିକା ଉପକୂଳରେ ଥିବା ରାୟବିଧାର, ମଣପଡା, କୁସୁବେଣ୍ଟି, ବ୍ରାହ୍ମଣିଆ, ବଡବେଣାକୁଦି, ଧରଣୀକୁଦି ଓ କହଳପଦା ପଞ୍ଚାୟତ ରହିଛି। ଏହି ୭ଟି ପଞ୍ଚାୟତରେ ୫୫ଟି ଗାଁ ରହିଛି। ଚିଲିକା ଉପକୂଳରେ ରହିଥିବାରୁ ଏହି ସବୁ ଗାଁରେ ପିଇବାକୁ ଭଲ ପାଣି ମୁନ୍ଦେ ନାହିଁ। ଲୋକେ ଖାରି, ଲୁଣି ଏବଂ ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ସେଥିପାଇଁ ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ଲୋକଙ୍କ ବାରମ୍ବାର ଦାବି ପରେ ୨୦୦୯ ମସିହାରେ ସରକାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ। ୨୦୧୨ ମସିହା ପଞ୍ଚାୟତ ନର୍ବାଚନ ପୂର୍ବରୁ କାମ ଆରମ୍ଭ ହେଲା। ନିର୍ବାଚନ ଶେଷ ପରେ କାମ ବନ୍ଦ। ପୁଣି ୨୦୧୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ କାମ ହେଲା ପୁଣି ବନ୍ଦ। ୨୦୨୨ ପଞ୍ଚାୟତ ନିର୍ବାଚନ ପୂର୍ବରୁ କିଛି କାମ ହେଲା। ପୁଣି ବନ୍ଦ ହୋଇ ପଡିଛି। ପାଣି ଟାଙ୍କି ନିର୍ମାଣ ହେଲା। ମୁଖ୍ୟ ପାଇପ୍‌ ପଡିଲା। ଗାଁ ଗାଁ ଖୋଳି କେତେକ ସ୍ଥାନରେ ପାଇପ୍‌ ବିଛାଗଲା। କିନ୍ତୁ ବାତ୍ୟା ଫନି ମାଡରେ ଅନେକ ପମ୍ପ୍‌ ହାଉସ୍‌ ନଷ୍ଟ ହୋଇ ପଡିଛି। ବିଦ୍ୟୁତ୍ ଟ୍ରାନ୍ସର୍ଫମର ଭାଙ୍ଗି ପଡିଛି। ମୁଖ୍ୟ ପାଇପ ଅନେକ ସ୍ଥାନରେ ଫାଟି ପଡିଛି। ଷ୍ଟାଣ୍ତ ପୋଷ୍ଟ୍‌ର ଦେଖା ନାହିଁ। ଗାଁ ଗାଁରେ ହୋଇଥିବା କଂକ୍ରିଟ ରାସ୍ତା ଫଟାଇ ପକାଇ ଦିଆଯାଇଛି। ଏହି ପ୍ରକଳ୍ପ କାମ କେବେ ଶେଷ ହେବ ତାହାର ଉତ୍ତର ନା ସ୍ଥାନୀୟ ଅଧିକାରୀ ସ୍ପଷ୍ଟ କରୁଛନ୍ତି ନା ଜିଲ୍ଲା ଅଧିକାରୀ।

ରାଜନୀତିର ପଶାପାଲି ଭିତରେ ମେଗା ପାନୀୟ ଜଳ ପ୍ରକଳ୍ପ ବନ୍ଧା ହୋଇ ପଡିଛି। ଲୋକେ ଦୂଷିତ ପାଣି ପିଇ ରୋଗରେ ଛଟପଟ ହେଉଛନ୍ତି। କେବେ ଏହି ପ୍ରକଳ୍ପର କାମ ଶେଷ ହେବ ଆଉ ଲୋକେ ପିଇବାକୁ ପାଣି ପାଇବେ ତାହା ଦେଖିବା ବାକି ଅଛି ବୋଲି ସ୍ଥାନିୟ ଲୋକେ କହିଛନ୍ତି। ଆଗକୁ ଖରାଦିନ ଆସୁଛି। ପିଇବା ପାଣି ଏହି ଇଲାକାରେ ଉତ୍କଟ ରୂପ ଧାରଣ କରିବାର ଆଶଙ୍କା ବଢିଛି।

ସମ୍ବନ୍ଧିତ ଖବର