ବ୍ରହ୍ମଗିରି : ବ୍ରହ୍ମଗିରି ବ୍ଲକ୍ରେ ବିଶୁଦ୍ଧ ପିଇବା ପାଣି ଯୋଗାଣ ପାଇଁ ୩ ଶହ କୋଟି ଟଙ୍କାରୁ ଅଧିକ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇ ସାରିଛି। କିନ୍ତୁ ଆଜି ସୁଦ୍ଧା ଏସବୁର ଫାଇଦା ଲୋକେ ପାଇ ନାହାନ୍ତି। ୨୦୦୯ ନିର୍ବାଚନ ପୂର୍ବରୁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ଏକ ମେଗା ପ୍ରକଳ୍ପ ନିର୍ମାଣ ସରିଥିଲେ ବି ଆନୁଷଙ୍ଗିକ ଭିତ୍ତିଭୂମି ନିର୍ମିତ ହୋଇ ପାରୁ ନଥିବାରୁ ପ୍ରକଳ୍ପଟି ପୂର୍ଣ୍ଣାଙ୍ଗ ରୂପ ନେଇ ପାରୁ ନାହିଁ। ୩୦ କୋଟି ଟଙ୍କାର ଏହି ପ୍ରକଳ୍ପର କାମ ଆରମ୍ଭ ହେବା ପରଠାରୁ ୨ଟି ସାଧାରଣ ନିର୍ବାଚନ ଶେଷ ହୋଇ ଗଲାଣି। ପ୍ରତି ନିର୍ବାଚନ ପୂର୍ବରୁ ଟିକେ ମାଟି ଖୋଳା ପୁଣି ବନ୍ଦ। କାମ କହିଲେ ୬ଟି ପଞ୍ଚାୟତର ମୁଖ୍ୟସ୍ଥାନରେ ପାଣି ଟାଙ୍କି ନିର୍ମାଣ ଶେଷ ହୋଇଛି। ମୁଖ୍ୟ ପାଇପ ପଡି ସାରିଛି। କିନ୍ତୁ ଗାଁକୁ ଷ୍ଟାଣ୍ତ ପୋଷ୍ଟ ନିର୍ମାଣ ହୋଇ ନାହିଁ କି ପାଇପ ପଡି ନାହିଁ। ଗତବର୍ଷ ମାର୍ଚ୍ଚ ମାସ ସୁଦ୍ଧା ଏହି ମେଗା ପ୍ରକଳ୍ପ ଚାଲୁ କରାଯାଇ ଲୋକଙ୍କୁ ପିଇବାକୁ ପାଣି ମିଳିବ ବୋଲି ସେତେବେଳେ ପ୍ରଶାସନ କହିଥିଲା। କିନ୍ତୁ ଆଜି ସୁଦ୍ଧା ସେମିତି ଏହା କଥାରେ ରହିଛି। ନା ପଡିଛି ଗାଁକୁ ପାଇପ ନା ନିର୍ମାଣ ହୋଇଛି ଷ୍ଟାଣ୍ତ ପୋଷ୍ଟ। ନା ଟାଙ୍କିର ମରାମତି ହୋଇଛି ନା ବାତ୍ୟାରେ ନଷ୍ଟ ହୋଇଥିବା ପମ୍ପ ହାଉସର ଭିତ୍ତିଭୂମି ସଜଡା ଯାଇଛି। ସବୁ ସେମିତି ପଡିଛି। ଆଉ ଏହାରି ଭିତରେ ଉପକୂଳର ୭ ପଞ୍ଚାୟତ ରାୟବିଧାର, ମଣପଡା, ବ୍ରାହ୍ମଣିଆ, କୁସୁବେଣ୍ଟି, ଧରଣୀକୁଦି, ବଡବେଣାକୁଦି, କହଳପଦା ପ୍ରଭୃତି ପଞ୍ଚାୟତର ଲୋକେ ପିଇବାକୁ ପାଣି ମୁନ୍ଦେ ପାଇ ପାରୁ ନାହାନ୍ତି। ପିଇବାକୁ ବିଶୁଦ୍ଧ ପାଣି ପାଇଁ ସବୁବେଳେ ଡହଳବିକଳ ହେଉଛନ୍ତି। ଦୂଷିତ ପାଣି ଯୋଗୁ ଲୋକେ ରୋଗରେ ସଢୁଛନ୍ତି।
ବ୍ରହ୍ମଗିରି : ୧୦ ବର୍ଷ ପରେ ବି କାର୍ଯ୍ୟକ୍ଷମ ହେଉନି ମେଗା ପାନୀୟ ଜଳ ପ୍ରକଳ୍ପ, ବିଶୁଦ୍ଧ ପାଣି ପାଇଁ ଲୋକେ ହନ୍ତସନ୍ତ
/sambad/media/post_attachments/wp-content/uploads/2019/12/mega-water-project.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)