ଭୁବନେଶ୍ୱର: ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଅଗଷ୍ଟ ୭ ତାରିଖରେ ରାଜ୍ୟସ୍ତରୀୟ ‘ଜାତୀୟ ହସ୍ତତନ୍ତ ଦିବସ’ ଏବଂ ଅଗଷ୍ଟ ୮ ଓ ୯ ତାରିଖରେ ବୟନ ଶିଳ୍ପର ଅଗ୍ରଗତି ନିମନ୍ତେ ପ୍ରଦର୍ଶନୀ ଦ୍ୱାରା ଜ୍ଞାନ ପ୍ରଦାନ କାର୍ଯ୍ୟକ୍ରମ ‘ଏକତା ଉତ୍ସବ’ ଆୟୋଜିତ ହେବ। ଏହି ଉପଲକ୍ଷେ ଅଗଷ୍ଟ ୭ରୁ ୧୩ ପର୍ଯ୍ୟନ୍ତ ଏକ ମେଗା ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଦର୍ଶନୀ ସ୍ଥାନୀୟ ଜନତା ମଇଦାନଠାରେ ଆୟୋଜିତ ହେବ। ଆଜି ରାଜ୍ୟ ଅତିଥି ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଯୋଗ ଦେଇ ଏହି ସୂଚନା ଦେଇଛନ୍ତି। ଜାତୀୟ ହସ୍ତତନ୍ତ ଦିବସକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ଘାଟନ କରିବେ। ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବଲିଉଡ୍‌ ଧକ୍‌ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Advertisment

ଉଦ୍‌ଘାଟନୀରେ ଯୋଗଦେବେ ମାଧୁରୀ ଦୀକ୍ଷିତ 
ଫୁଡ୍ କୋର୍ଟ, ପ୍ଲେ ଜୋନ୍ ସହ ୬୦ଟି ଷ୍ଟଲ୍‌ ସ୍ଥାପନ
ଅଂଶଗ୍ରହଣ କରିବେ ୧୫୦୦ରୁ ଅଧିକ ବୁଣାକାର

କେନ୍ଦ୍ର ବୟନ ମନ୍ତ୍ରାଳୟର ପ୍ରମୁଖ ପଦକ୍ଷେପ ଏକତା କାର୍ଯ୍ୟକ୍ରମ (ଏକ୍‌ଜିବିସନ୍‌ କମ୍‌ ନଲେଜ୍‌ ସେୟାରିଂ ଫର୍‌ ଟେକ୍ସଟାଇଲ୍‌ ଆଡ୍‌ଭାଣ୍ଟେଜ୍‌ ଅର୍ଥାତ୍‌ ବୟନ ଶିଳ୍ପର ଅଗ୍ରଗତି ନିମନ୍ତେ ପ୍ରଦର୍ଶନୀ ଦ୍ୱାରା ଜ୍ଞାନ ପ୍ରଦାନ) ଓଡ଼ିଶା ଶାଖାକୁ ବିଭାଗୀୟ ମନ୍ତ୍ରୀ ଶ୍ରୀ ବଳସାମନ୍ତ ଅଗଷ୍ଟ ୮ରେ ଉଦ୍‌ଘାଟନ କରିବେ। ଅଗଷ୍ଟ ୭ ରୁ ୯ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଯେଉଁଥିରେ ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ଲୋକନୃତ୍ୟ, ସମସାମୟିକ ନୃତ୍ୟ ପ୍ରଦର୍ଶନ ସହ ଫ୍ୟାସନ୍ ସୋ ଓ ଲେଜର୍ ସୋ କାର୍ଯ୍ୟକ୍ରମ ଆୟୋଜିତ ହେବ। 

ଅଗଷ୍ଟ ୭ ରୁ ୧୩ ପର୍ଯ୍ୟନ୍ତ ଏକ ମେଗା ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଦର୍ଶନୀ ଆୟୋଜନ ହେବ। ଓଡ଼ିଶାର ସମୃଦ୍ଧ ବୟନ ଐତିହ୍ୟ ଓ ହସ୍ତଶିଳ୍ପ ପ୍ରଦର୍ଶନ ପାଇଁ ୬୦ଟି ଷ୍ଟଲ ପଡ଼ିବ। ଏହି କାର୍ଯ୍ୟକ୍ରମରେ ସମଗ୍ର ରାଜ୍ୟରୁ ୧୫୦୦ରୁ ଅଧିକ ବୁଣାକାର ଅଂଶଗ୍ରହଣ କରିବେ। ରାଜ୍ୟର ବିବିଧ ହସ୍ତତନ୍ତ ସହ ବୟନ ମନ୍ତ୍ରାଳୟ ସହଯୋଗରେ ୮ରୁ ଅଧିକ ରାଜ୍ୟର ବୁଣାକାରମାନେ ସେମାନଙ୍କ ହସ୍ତତନ୍ତ ପ୍ରଦର୍ଶନ କରିବେ। ଫୁଡ୍ କୋର୍ଟ, ପ୍ଲେ ଜୋନ୍ ଆଦିର ମଧ୍ୟ ବ୍ୟବସ୍ଥା ହେବ। ଏଥିସହ ବିଭିନ୍ନ କର୍ମଶାଳା, କ୍ରେତା-ବିକ୍ରେତା-ନିର୍ମାତା ସମ୍ମିଳନୀ, ଡିଜାଇନର୍‌ ଓ କାରିଗରଙ୍କ ସହ ବିଶେଷ ଅଧିବେଶନ ଆୟୋଜନ କରାଯିବ। ଯୋଗ୍ୟ ବୁଣାକାରଙ୍କୁ ଏହି ଅବସରରେ ପୁରସ୍କୃତ  କରାଯିବ। ଆଜିର ସାମ୍ବାଦିକ ସମ୍ମିଳନୀରେ ବିଭାଗୀୟ ଶାସନ ସଚିବ ଗୁହା ପୁନମ ତାପସ କୁମାର, ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ, ଅତିରିକ୍ତ ଶାସନ ସଚିବ ବିକ୍ରମାଦିତ୍ୟ ବାରିକ ଓ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।