ଚକାପାଦ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ୍ ଶଙ୍କରାଖୋଲ ଗ୍ରାମ ଆଞ୍ଚଳିକ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିସରରେ ଆଜି ଚିତ୍ତଜ୍ଞାନୀ ଚାରିଟେବୁଲ୍ ଟ୍ରଷ୍ଟ୍ ପକ୍ଷରୁ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।

Advertisment

କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ୍ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦ୍‌ଘାଟନ କରିଥିଲେ। ଜନସ୍ବାସ୍ଥ୍ୟ ଚିକିତ୍ସା ଅଧିକାରୀ ମନୋଜ କୁମାର ଉପାଧ୍ୟାୟ, ଟ୍ରଷ୍ଟ୍‌ର ମୁଖ୍ୟ ଉପଦେଷ୍ଟା ତଥା ପରିଚାଳକ ଡାକ୍ତର ଦତ୍ତେଶ୍ୱର ହୋତା, ଟ୍ରଷ୍ଟ୍‌ ଅଧ୍ୟକ୍ଷ ଧନେଶ୍ୱର ହୋତା, ସମ୍ପାଦକ ରାଜେଶ ହୋତା ଓ କନ୍ଧମାଳ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ରୋଦନ ମଳିକଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସମ୍ମା‌ନିତ ଅତିଥି ଭାବେ ଯୋଗ ଦେଇଥିଲେ। କଟକ, ଭୁବନେଶ୍ୱର, ସମ୍ବଲପୁର ଓ ବୁର୍ଲାରୁ ବିଭିନ୍ନ ବିଭାଗର ବରିଷ୍ଠ ତଥା ଅଭିଜ୍ଞ ୨୫ ଜଣ ବିଶେଷଜ୍ଞ ଡାକ୍ତର ଯୋଗ ଦେଇଥିଲେ। ୧୨ଶହରୁ ଅଧିକ ରୋଗୀଙ୍କ ଚିକିତ୍ସା କରାଯିବା ସହ ମାଗଣାରେ ଔଷଧ ଓ ଚଷମା ବଣ୍ଟନ କରାଯାଇଥିଲା।

ସୂଚନାଥାଉକି, ଡା.ଦତ୍ତେଶ୍ୱର ହୋତାଙ୍କ ବାପା ସ୍ବର୍ଗତ ଚିତ୍ତରଞ୍ଜନ ହୋତା ଓ ମାତା ଜ୍ଞାନୀ ହୋତାଙ୍କ ନାମରେ ଗଠିତ ଏହି ଟ୍ରଷ୍ଟ୍ ରାଜ୍ୟର ଦୁର୍ଗମ ଓ ଆଦିବାସୀଅଧ୍ୟୁଷିତ ଅଞ୍ଚଳର ଗରିବ ଓ ବେସାହାରା ଲୋକଙ୍କୁ ସ୍ବାସ୍ଥ୍ୟ ସେବା ‌ଯୋଗାଇ ଆସୁଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୩୦ଟି ଜିଲ୍ଲାରେ ମେଗା ଶିବିର ଆୟୋଜନ ହୋଇସାରିଛି। ବର୍ତ୍ତମାନ ରାଜ୍ୟରେ ସ୍ୱତନ୍ତ୍ର ଶିବିରମାନ ଆୟୋଜନ କରାଯାଇ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ବୋଲି ଟ୍ରଷ୍ଟ୍‌ ଉପଦେଷ୍ଟା ତଥା ପରିଚାଳକ ଡା.ଦତ୍ତେଶ୍ବର ହୋତା କହିଛନ୍ତି।