ଚିତ୍ତଜ୍ଞାନୀ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ମେଗା ସ୍ୱାସ୍ଥ୍ୟ ଶିବିର

ମାଲକାନଗିରିର ଦୁର୍ଗମ କୋରୁକୋଣ୍ଡାରେ ୩ ହଜାର ରୋଗୀ ପାଇଲେ ସ୍ୱାସ୍ଥ୍ୟସେବା

କୋରୁକୋଣ୍ଡା/ମାଲକାନଗିରି : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ସ୍ଥିତ ସ୍ୱାମୀ ଶିବାନନ୍ଦ ଉଚ୍ଚ ବିଦ୍ୟାଳୟରେ କଟକର ଚିତ୍ତଜ୍ଞାନୀ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଏକ ମାଗଣା ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଡିଏଫ୍‌ଓ ସମ୍ରାଟ ଗୌଡ଼ା, ଅଧ୍ୟକ୍ଷ ବିଜୟ ଦାସ, ଭାରତ ସରକାରଙ୍କ ସଚିବ ପ୍ରଦୀପ ପୂଜାରୀ, ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗରୁ ସୁରଜିତ ଦାସ, ସନ୍ଧ୍ୟା ଖରା, ଡା. ଦତ୍ତେଶ୍ୱର ହୋତା, ଡା. ରାଜେଶ୍ୱର ହୋତା ପ୍ରମୁଖ ଯୋଗ ଦେଇଥିଲେ। ଅପହଞ୍ଚ ତଥା ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ସ୍ୱେଚ୍ଛାସେବୀ ସଂଗଠନର ଏଭଳି ପ୍ରୟାସକୁ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ ସାଧୁବାଦ ଜଣାଇଥିଲେ। ଅପହଞ୍ଚ ତଥା ଦୁର୍ଗମ ଅଞ୍ଚଳର ଆଦିବାସୀଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଟ୍ରଷ୍ଟ୍‍ର ମୁଖ୍ୟ ଲକ୍ଷ୍ୟ ବୋଲି ଡାକ୍ତର ହୋତା କହିଥିଲେ। ଶିବିରରେ ରୋଗୀଙ୍କୁ ସଂପୂର୍ଣ୍ଣ ମାଗଣାରେ ଚିକିତ୍ସା କରାଯାଉଥିବା ସହ ସଂପୂର୍ଣ୍ଣ ଖର୍ଚ୍ଚ ଟ୍ରଷ୍ଟ ବହନ କରୁଛି। ଅପହଞ୍ଚ ଇଲାକାରେ ସ୍ୱାସ୍ଥ୍ୟ ସେବା ଠିକ୍‌ ଭାବେ ପହଞ୍ଚି ପାରୁନଥିବା ଯୋଗୁଁ ରୋଗୀ ଅନେକ ସମୟରେ ମୃତ୍ୟୁମୁଖରେ ପଡିଥାନ୍ତି। ତେଣୁ ଏହି ଟ୍ରଷ୍ଟ ଦୁର୍ଗମ ଅଞ୍ଚଳକୁ ପହଞ୍ଚି ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଡା. ହୋତା ପ୍ରକାଶ କରିଥିଲେ।

ଶିବିରରେ ୩୦ଜଣ ଡାକ୍ତର ଯୋଗଦେଇ ବିଭିନ୍ନ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣାରେ ଔଷଧ ବଣ୍ଟନ କରିଥିଲେ। ଚକ୍ଷୁ ପରୀକ୍ଷା କରାଯାଇ ଚଷମା ବଣ୍ଟନ ସହ ଦନ୍ତରୋଗୀଙ୍କ ଇଣ୍ଡୋସ୍କୋପି ପରୀକ୍ଷା କରି ଔଷଧ ବିତରଣ କରାଯାଇଥିଲା। ଶିବିରରେ ଜିଲ୍ଲାର ୩ହଜାରରୁ ଊଦ୍ଧ୍ଵର୍ ରୋଗୀ ଉପକୃତ ହୋଇଥିଲେ। ଜିଓପିଡିର ଡା. ସତ୍ୟଜିତ ସାମଲ, ଚକ୍ଷୁ ବିଶେଷଜ୍ଞ ଡା. ସୁଧାର୍ଥ ଦାସ, ଶିଶୁ ବିଶେଷଜ୍ଞ ଡା. ଲିଙ୍ଗରାଜ ପ୍ରଧାନ ଓ ଡା. ଅରକ୍ଷିତ ସ୍ୱାଇଁ, ସ୍ତ୍ରୀ ଓ ପ୍ରସୂତି ବିଭାଗର ଡା. ଜନ୍ମବିଜୟ ମହାପାତ୍ର, ଡି.ଏସ୍‌. ଦାସ, ଚର୍ମ ରୋଗ ବିଶେଷଜ୍ଞ ଡା. ଅମିତ ବେହେରା, ଦନ୍ତ ବିଶେଷଜ୍ଞ ଡା. ଗୌରବ ଶର୍ମା, ଡି. ସେଠୀ, ଡା. ଶୁଭେନ୍ଦୁ, ହୃଦ୍‌ରୋଗ ଓ ଟିବି ବିଶେଷଜ୍ଞ ଡା. ସନ୍ତୋଷ ପାଢ଼ୀ, ଶଲ୍ୟ ବିଭାଗ ବିଶେଷଜ୍ଞ ଡା. ରାକେଶ ପଣ୍ଡା, ରବି ନାରାୟଣ ଦାସ, ଇଏନ୍‌ଟି ବିଶେଷଜ୍ଞ ଡା. ସୁମେନ ଗୋଲଦାର, ୟୁରୋଲୋଜି ବିଶେଷଜ୍ଞ ଡା. ପି.କେ ମହାନ୍ତି, ଡା. ଅନୁପ ମହାପାତ୍ର, ଡା. ନୀଳକଣ୍ଠ ମହାନ୍ତି, ନ୍ୟୁରୋଲୋଜି ବିଶେଷଜ୍ଞ ଡା. ବାପୁ ନାୟକ, ଗ୍ୟାସ୍‌ଷ୍ଟ୍ରୋ ବିଶେଷଜ୍ଞ ଡା. ପି. ପରିଡ଼ା, ଓମକାର ହୋତା, ପାଥୋଲୋଜି ବିଶେଷଜ୍ଞ ଡା. ସରୋଜ ପାତ୍ର, ପି.କେ ଖୁଣ୍ଟିଆ, ଏସ୍‌.ପି.ଆର୍‌ ଦାସ, ଏଚ୍‌.କେ ସାହୁ ଉପସ୍ଥିତ ରହି ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ଅଗ୍ନିଶମ ସେବାସଂସ୍ଥା କର୍ମଚାରୀ, ବନ ବିଭାଗ କର୍ମଚାରୀ, ପୁଲିସ କର୍ମଚାରୀ ଏବଂ ବିଦ୍ୟାଳୟ ଛାତ୍ରଛାତ୍ରୀ ସହଯୋଗ କରିଥିଲେ। ଏହି ଅବସରରେ ଏକ ପୁସ୍ତକ ଉନ୍ମୋଚନ କରାଯାଇଥିଲା।

ସମ୍ବନ୍ଧିତ ଖବର