ଅନୁଗୁଳ: ପାର୍ବତୀ ଗିରି ବୃହତ ଉଠା ଜଳସେଚନ ଯୋଜନାରେ ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ରେ ୩ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ୩୬ ମାସ ଭିତରେ ଏହି ୩ ପ୍ରକଳ୍ପ ଶେଷ କରାଯାଇ ୬୦୦ ହେକ୍ଟର ଜମିକୁ ଜଳସେଚିତ କରାଯିବାକୁ ଲକ୍ଷ୍ୟ ରହିଛି। ଏହି ୩ ପ୍ରକଳ୍ପକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ଏହା ପରେ ଆଜି ଅନୁଗୁଳ ଜିଲ୍ଲା ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଦିଆଯିବା ସହ ଶିଳ୍ପ ବହୁଳ ଜିଲ୍ଲାରେ ଏହି ପ୍ରକଳ୍ପ କୃଷି ପାଇଁ ସମ୍ଭାବନା ସୃଷ୍ଟି କରିଥିବା କୁହାଯାଇଛି।
ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ରେ ଏହି ୩ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ବ୍ରାହ୍ମଣୀ ନଦୀ ଉପରେ ବଜ୍ରକୋଟ, ଦେନାଳି ଓ ରଂଜଣା ନିକଟରେ ଏହି ୩ ପ୍ରକଳ୍ପ କରିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ୨୩୯ କୋଟି ୨୭ ଲକ୍ଷ ଟଙ୍କା ବ୍ୟୟ ବରାଦ ​କରାଯାଇଛି। ପ୍ରତି ପ୍ରକଳ୍ପରୁ ୨ ହଜାର ହେକ୍ଟର ଜମି ଜଳସେଚିତ ହୋଇପାରିବ। ଏହି ପ୍ରକଳ୍ପ ୩୬ ମାସ ଭିତରେ ଶେଷ ହେବ। ଏସବୁର ୧୫ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ କରିବାକୁ ପ୍ରସ୍ତାବ ରହିଛି। ଚାଷ ଉପଯୋଗୀ ଢିପ ଜମିଗୁଡ଼ିକୁ ଏହି ଯୋଜନାରେ ସାମିଲ କରାଯାଇ ଜଳସେଚନ ସୁବିଧା ଯୋଗାଇ ଦିଆଯିବ। ଫଳରେ କୃଷକମାନେ ଉପକୃତ ହେବା ସହିତ ଏହାର ମାଇକ୍ରୋ ଜଳସେଚନ ସୁବିଧା ଉପଯୋଗ କରି ପାରମ୍ପରିକ ଧାନ ଫସଲ ବଦଳରେ ଅର୍ଥକାରୀ ଫସଲ କରିବାକୁ ଉତ୍ସାହିତ ହେବେ।
ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେବା ଦ୍ବାରା ସ୍ଥାନୀୟ ଚାଷୀମାନଙ୍କର ସାମାଜିକ ଓ ଆର୍ଥିକ ଉନ୍ନତିରେ ସହାୟକ ହୋଇପାରିବ ବୋଲି ଆଜି ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଢେଙ୍କାନାଳ ସାଂସଦ ​ମହେଶ ସାହୁ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ପାଳଲହଡ଼ା ବିଧାୟକ ମୁକେଶ ପାଳ, ଆଠମଲ୍ଲିକ ବିଧାୟକ ସୁଶାନ୍ତ କୁମାର ବେହେରା, ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହଙ୍କ ପ୍ରତିନିଧି ଅରୁଣାଭ ସିଂହ, କଣିହାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ନବକୃଷ୍ଣ ପ୍ରଧାନ ଓ ଅନୁଗୁଳ ନଗରପାଳ ଅକ୍ଷୟ ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/Lift-Irrigation-Projects-Augment-Income-of-Farmers-In-Sundargarh-District-2.jpeg)