ଉଲୁଣ୍ଡା/ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍‌ ନିମ୍ନା ପଞ୍ଚାୟତ ତେଲଣ୍ଡା ଗ୍ରାମ ରଣେଶ୍ବର ରାମଚଣ୍ଡୀ ମନ୍ଦିର କଲ୍ୟାଣ ମଣ୍ଡପ ପରିସରରେ ରବିବାର କଟକସ୍ଥିତ ଚିତ୍ତଜ୍ଞାନୀ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୪୭ତମ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ଶିବିରକୁ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଓ ଜିଲ୍ଲାପାଳ  ବିମଳେନ୍ଦୁ ରାୟ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଟ୍ରଷ୍ଟର ମୁଖ୍ୟ ପରାମର୍ଶଦାତା ତଥା ଓଡ଼ିଶା ସ୍ୱାସ୍ଥ୍ୟବିଜ୍ଞାନ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର୍‌ ଡା. ଦତ୍ତେଶ୍ୱର ହୋତା, ଅନୁଷ୍ଠାନର ଅଧ୍ୟକ୍ଷ ଗୋଧନେଶ୍ବର ହୋତା, ସମ୍ପାଦକ ରାଜେଶ୍ବର ହୋତା, ସମ୍ବଲପୁରର ପୂର୍ବ ଲୋକସଭା ସାଂସଦ ଭବାନୀ ଶଙ୍କର ହୋତା, ସୁବର୍ଣ୍ଣପୁର ଜିଲ୍ଲା ଅତିରିକ୍ତ ଚିକିତ୍ସା ଅଧିକାରୀ ଡା. ଦୈତ୍ୟ ନାରାୟଣ ପାଢ଼ୀ, ଯୁବ ସମାଜସେବୀ କୃତ୍ତିବାସ ମିଶ୍ର, ପୂର୍ବମନ୍ତ୍ରୀ ବିଷ୍ଣୁପ୍ରିୟା ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Advertisment

କଟକ, ସମ୍ବଲପୁର, ବୁର୍ଲା, ବଲାଙ୍ଗୀର, ସୋନପୁରର ୧୯ ଜଣ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତର ‌ଉପସ୍ଥିତ ରହି ୧୧୨୩ଜଣ ରୋଗୀଙ୍କ ମାଗଣା ଚିକିତ୍ସା କରିଥିଲେ। ଏଥିସହ ମାଗଣାରେ ରୋଗୀମାନଙ୍କ ବିଭିନ୍ନ ପରୀକ୍ଷା କରାଯାଇ ଔଷଧ ବଣ୍ଟନ କରାଯାଇଥିଲା। ୧୫୬ ଜଣ ଚକ୍ଷୁରୋଗୀଙ୍କୁ ମାଗଣାରେ ଚଷମା ଦିଆଯାଇଥିଲା। ଦୁର୍ଗମ ଅଞ୍ଚଳରେ ଶିବିର କରାଯାଇଥିବାରୁ ଅଞ୍ଚଳବାସୀ ଏହାକୁ ପ୍ରଶଂସା କରିଥିଲେ। ଶିବିର ଆରମ୍ଭରୁ ସ୍ବର୍ଗତ ଚିତ୍ତରଞ୍ଜନ ହୋତା ଓ ତାଙ୍କ ପତ୍ନୀ ଜ୍ଞାନୀ ହୋତାଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା। ଏହି ଅବସରରେ ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟର କୁଳପତି ପ୍ର. ହୋତା କହିଥିଲେ ଯେ ତାଙ୍କ ପିତା ସ୍ବର୍ଗତ ଚିତ୍ତରଞ୍ଜନ ହୋତା ତେଲଣ୍ଡା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେତେବେଳେ ଚିକିତ୍ସା ଅଭାବରୁ ତାଙ୍କ ମା’ଙ୍କ ଦେହାନ୍ତ ହୋଇଥିଲା। ଏଣୁ ତାଙ୍କ ବାପା ଚିତ୍ତରଞ୍ଜନ ହୋତା ସବୁବେଳେ ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ପରାମର୍ଶ ଦେଉଥିଲେ। ସେଥିପାଇଁ ‘ମାନବ ସେବା ହିଁ ମାଧବ ସେବା ଭାବି ଏହି ଟ୍ରଷ୍ଟ ସ୍ବାସ୍ଥ୍ୟସେବା କରି ଆସୁଥିବା ପ୍ର. ହୋତା କହିଥିଲେ।