ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ ନେଇ ବିଧାନସଭା କମ୍ପିଲା

ରାଜ୍ୟର ଠିକାଦାରମାନେ କାହିଁକି କାମ ପାଇବେନି?: ସୌମ୍ୟ

ଭୁବନେଶ୍ବର: ମେଗା ପାଇପ ଜଳଯୋଗାଣ ପ୍ରକଳ୍ପ କାମ ଓଡ଼ିଆ ଠିକା ସଂସ୍ଥାମାନଙ୍କୁ ମିଳୁନାହିଁ। ରାଜ୍ୟରେ ଠିକା ସଂସ୍ଥାମାନଙ୍କୁ କାମ ଦେବା ଲାଗି ଜାଣିଶୁଣି ସେଥିରେ ଜଟିଳ ସର୍ତ୍ତ ଲଗାଯାଉଛି କି? ଆଜି ବିଧାନସଭା ପ୍ରଶ୍ନକାଳରେ ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଏହି ପ୍ରଶ୍ନ ପଚାରି ଅଡ଼ୁଆରେ ପକାଇ ଦେଇଥିଲେ। କିନ୍ତୁ ମନ୍ତ୍ରୀ ଶ୍ରୀ ଜେନା ଯେପରି ଉତ୍ତର ରଖିଲେ ସେଥିରେ ଶ୍ରୀ ପଟ୍ଟନାୟକ ତ ସନ୍ତୁଷ୍ଟ ହେଲେନାହିଁ, ଓଲଟି ବିରୋଧୀ ସଦସ୍ୟମାନେ ଏଥିରେ ଅସନ୍ତୁଷ୍ଟ ହୋଇ ଗୃହ ମଧ୍ୟଭାଗକୁ ଆସି ପାଟିତୁଣ୍ଡ କରିବା ସହିତ ନାରାବାଜି ଦେଇଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ ବାଚସ୍ପତି ପୂର୍ବାହ୍ନ ୧୧ଟା ୧୫ ମିନିଟ୍‌ରୁ ୧୧ଟା ୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ।

ଶ୍ରୀ ପଟ୍ଟନାୟକଙ୍କ ତାରକା ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ଯେ ରାଜ୍ୟର ଠିକା ସଂସ୍ଥାମାନଙ୍କୁ ଅଯୋଗ୍ୟ ବିବେଚନା କରି ବାହାର ରାଜ୍ୟର ଠିକା ସଂସ୍ଥାମାନଙ୍କୁ କାମ ଦେବା ଲାଗି ଜାଣିଶୁଣି କୌଣସି ଜଟିଳ ସର୍ତ୍ତ ଲଗାଯାଇନାହିଁ। ଏହା ସମ୍ପୂର୍ଣ୍ଣ ଅସତ୍ୟ। ୫୦ କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ପାନୀୟ ଜଳ ପ୍ରକଳ୍ପ ପାଇଁ ବାହାର ଠିକା ସଂସ୍ଥାମାନଙ୍କୁ କାମ ଦିଆଯାଉଛି। ୫୦ କୋଟିରୁ କମ୍‌ ମୂଲ୍ୟର ପ୍ରକଳ୍ପ ପାଇଁ ରାଜ୍ୟର ଠିକା ସଂସ୍ଥାମାନେ କାମ କରୁଛନ୍ତି। ମନ୍ତ୍ରୀଙ୍କ ଉତ୍ତରରେ କ୍ଷୋଭ ପ୍ରକାଶ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ରହିଛି ସବୁ ଘରକୁ କିପରି ପାଇପ ଯୋଗେ ଜଳ ପହଞ୍ଚିବ। ରାଜ୍ୟର ଲୋକମାନଙ୍କ ପାଇଁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ହେବ। କିନ୍ତୁ ସେସବୁ ପ୍ରକଳ୍ପଗୁଡ଼ିକୁ ବାହାର ରାଜ୍ୟର ଠିକା ସଂସ୍ଥାମାନେ ନିର୍ମାଣ କରିବେ। କଣ ପାଇଁ ଓଡ଼ିଆ ଠିକାଦାରମାନେ ଅଯୋଗ୍ୟ ବିବେଚିତ ହେଉଛନ୍ତି? ନା ଜାଣିଶୁଣି ବାହାର ଠିକା ସଂସ୍ଥାମାନଙ୍କୁ କାମ ଦେବା ଲାଗି ଟେଣ୍ଡରରେ ଜଟିଳ ସର୍ତ୍ତ ଲଗାଯାଉଛି? ଏହି ପ୍ରସଙ୍ଗରେ ଓଡ଼ିଆ ଅସ୍ମିତାର କଥା ଉଠୁଛି। ଅତୀତରେ ସେ ବିଲାତରେ ପାଠ ପଢ଼ୁଥିବା ବେଳେ ପାଣି ପାଇପ ଖରାପ ହେବାରୁ ଜଣେ ମିସ୍ତ୍ରୀ ସଜାଡ଼ିବାକୁ ଆସିଥିଲେ। ତାଙ୍କ ପରିଚୟ ପଚାରିବାରୁ ଜଣାପଡ଼ିଲା କି ସେ ଜଣେ ଖାଲି ଭାରତୀୟ ନୁହନ୍ତି, କେନ୍ଦ୍ରାପଡ଼ା ଜିଲ୍ଲାର। ଓଡ଼ିଶାର ପାଇପ ମିସ୍ତ୍ରୀ ବିଶ୍ବର କୋଣ ଅନୁକୋଣରେ କାମ କରି ନିଜର ଦକ୍ଷତା ପ୍ରତିପାଦିତ କରିଆସିଛନ୍ତି। ଅଥଚ ସେ ରାଜ୍ୟର ଠିକାଦାରମାନେ ପାଇପ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରିପାରିବେ ନାହି? ଏହି ମେଗା ପ୍ରକଳ୍ପ ଯୋଗୁ ଏବେ ରାଜ୍ୟର ୫୦ ହଜାରରୁ ଅଧିକ ପାଇପ ମିସ୍ତ୍ରୀ ପରିବାର ବେକାର ହେଲେଣି। ସବୁ ଛୋଟ ପ୍ରକଳ୍ପଗୁଡ଼ିକୁ ମିଶାଇ ମେଗା ପ୍ରକଳ୍ପ କରାଯାଉଛି। ସବୁ ପ୍ରକଳ୍ପଗୁଡ଼ିକ ମେଗା ହେବା କଣ ଅତି ଆବଶ୍ୟକ? କଣ ପାଇଁ ସରକାରଙ୍କ ଏତେ ମେଗା ପ୍ରୀତି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ ପଚାରିଥିଲେ।

ଗୃହ ମଧ୍ୟଭାଗରେ ବିରୋଧୀଙ୍କ ହଙ୍ଗାମା, ୧୫ ମିନିଟ୍‌ ମୁଲତବୀ
ମନ୍ତ୍ରୀ କହିଲେ ସିଭିସିଙ୍କ ସର୍ତ୍ତାବଳୀ ଆଧାରରେ ଟେଣ୍ଡର ଦିଆଯାଉଛି
୨୦୭୪ଟି ପ୍ରକଳ୍ପରେ କାମ କରୁଛନ୍ତି ଓଡ଼ିଆ ଠିକାଦାର
୫୦ କୋଟିରୁ କମ ପ୍ରକଳ୍ପ ପାଇଁ ଓଡ଼ିଆ ଠିକା ସଂସ୍ଥା କାମ କରିବେ
ତାଠୁ ଅଧିକ ହେଲେ ବାହାର ଠିକାଦାର କାମ ପାଇବେ

ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ ପ୍ରତି ପଞ୍ଚାୟତରେ ଏକକ ପାଇପ ଜଳ ଯୋଗାଣ ପ୍ରକଳ୍ପକୁ ଗୁରୁତ୍ବ ଦିଆଯାଇଛି। କିନ୍ତୁ ଯେଉଁଠି ଭୂତଳ ଜଳସ୍ତର କମ ଅଛି ବୋଲି ଜଣାପଡ଼ୁଛି ସେଠାରେ ନଦୀର ପାଣି ଆଣି ଜଳଯୋଗାଣ ବ୍ୟବସ୍ଥା କରାଯାଉଛି। ଏଥିପାଇଁ ଇନ୍‌ଟେକ୍‌ କୂପ, ଜଳ ବିଶୋଧନାଗାର, ପାଇପ ଦ୍ବାରା ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଉଛି। ଏଥିପାଇଁ ଯେଉଁ ସଂସ୍ଥାମାନେ ଏହି କାର୍ଯ୍ୟସବୁ କରିବାର ଅଭିଜ୍ଞତା ଥିବ ସେମାନଙ୍କଠାରୁ ଟେଣ୍ଡର ଆହ୍ବାନ କରାଯାଉଛି। ବିଶେଷକରି କେନ୍ଦ୍ରୀୟ ସତର୍କ ଆୟୋଗ (ସିଭିସି)ଙ୍କ ସର୍ତ୍ତାବଳୀ ଆଧାରରେ ଠିକା ସଂସ୍ଥାମାନଙ୍କୁ ଚୟନ କରାଯାଉଛି। ଏଥିରେ ୫୦ କୋଟିରୁ ଅଧିକ ବ୍ୟୟ ଅଟକଳର ପ୍ରକଳ୍ପ ପାଇଁ ବାହାର ଠିକାଦାର ପାଇବେ। ୫୦ କୋଟିରୁ କମ ବ୍ୟୟ ଅଟକଳର ପ୍ରକଳ୍ପ ପାଇଁ ରାଜ୍ୟ ଭିତର ଠିକା ସଂସ୍ଥାମାନଙ୍କୁ କାମ ମିଳୁଛି। ଏହାସହିତ ଓଡ଼ିଶାର କୁଶଳୀ ପାଇପ ମିସ୍ତ୍ରୀମାନଙ୍କୁ ବିଭିନ୍ନ ପ୍ରକଳ୍ପ ଜରିଆରେ କାମ ଯୋଗାଇ ଦିଆଯାଉଛି। ଓଡ଼ିଶାରେ ପିଭିସି ପାଇପ୍‌ ଉତ୍ପାଦନ କରୁଥିବା କମ୍ପାନିମାନଙ୍କଠାରୁ ମଧ୍ୟ ପାଇପ କିଣାଯାଇ ନିର୍ମାଣାଧୀନ ମେଗା ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପରେ ବ୍ୟବହାର କରାଯାଉଛି।

ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଉପଖଣ୍ଡ ବଡ଼ଚଣା ବ୍ଲକରେ ବସୁଧା ଯୋଜନାରେ କାର୍ଯ୍ୟକାରୀ ହେଉଥିବା ବୃହତ ପାଇପ ଜଳଯୋଗାଣ କାର୍ଯ୍ୟ କେବେ ସରିବ ବୋଲି ପ୍ରଶ୍ନ ପଚାରିଥିଲେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ। କେତୋଟି ପାଇପ ଜଳଯୋଗାଣ ପ୍ରକଳ୍ପରେ କେତେ ବାହାର ରାଜ୍ୟର ଠିକା ସଂସ୍ଥାଙ୍କୁ କେବେ କାମ ଦିଆଯାଇଛି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଅତିରିକ୍ତ ପ୍ରଶ୍ନ ପଚାରିଥିଲେ। କିନ୍ତୁ ଶ୍ରୀ ମାଝୀ ପଚାରିଥିବା ପ୍ରଶ୍ନର ଉତ୍ତର ମନ୍ତ୍ରୀ ଶ୍ରୀ ଜେନା ଠିକ ଭାବେ ନଦେବାରୁ ସେ ଅସନ୍ତୋଷ ବ୍ୟକ୍ତ କରି ପାଟିତୁଣ୍ଡ କରିଥିଲେ।

ଏହି ସମୟରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଥିଲେ ଯେ ଏ ସମ୍ପର୍କରେ ୫୦ରୁ ଅଧିକ ବିଧାୟକ ପ୍ରଶ୍ନ ପଚାରିବାକୁ ଅଛନ୍ତି। ଯାହାକି ସମୟସାପେକ୍ଷ। ମନ୍ତ୍ରୀଙ୍କୁ ଶ୍ରୀ ପାତ୍ର ନିର୍ଦ୍ଦେଶ ଦେଇ କହିଥିଲେ, ବିଧାନସଭା ସରିବା ପରେ ମନ୍ତ୍ରୀ ସମ୍ପୃକ୍ତ ବିଧାୟକମାନଙ୍କ ସହ ସ୍ବତନ୍ତ୍ର ଭାବେ ଆଲୋଚନା କରି ସମାଧାନ ବାହାର କରିବେ। ବାଚସ୍ପତିଙ୍କ ଏହି ରୁଲିଂ ପରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା, ବିଜେପି ବିଧାୟକ ଶ୍ରୀ ମାଝୀଙ୍କ ସମେତ ଅନ୍ୟ ସମସ୍ତ ବିରୋଧୀ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ମନ୍ତ୍ରୀଙ୍କ ଉତ୍ତର ଅସ୍ପଷ୍ଟ ବୋଲି ହୋ ହଲ୍ଲା କରିଥିଲେ। ବିଧାୟକ ଶ୍ରୀ ସାଲୁଜା ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଉଠିଯାଇ କହିଥିଲେ, ବିଧାୟକ ଶ୍ରୀ ପଟ୍ଟନାୟକ ଯେଉଁ ପ୍ରଶ୍ନ ପଚାରିଛନ୍ତି ତାର ଉତ୍ତର ମନ୍ତ୍ରୀ ଦେଇନାହାନ୍ତି। ବିଧାୟକମାନେ ପଚାରିଥିବା ପ୍ରଶ୍ନର ଉତ୍ତର କାହିଁକି ମିଳିବନି? କାହିଁକି ଆପଣ ପ୍ରଶ୍ନ ପଚାରିବାକୁ ସୁଯୋଗ ଦେଉନାହାନ୍ତି? ବାଚସ୍ପତି ନ ଶୁଣିବାରୁ ବିରୋଧୀ ସଦସ୍ୟମାନେ ‘ପିସି କାରବାର ବନ୍ଦ କର, ବାହାର ଠିକାଦାର ପ୍ରୀତି ବନ୍ଦ କର’ ବୋଲି ନାରାବାଜି କରିଥିଲେ।

ବିରୋଧୀ ସଦସ୍ୟମାନଙ୍କ ହୋହଲ୍ଲା ମଧ୍ୟରେ ବାଚସ୍ପତି ମୂଳ ପ୍ରଶ୍ନକର୍ତ୍ତା ଶ୍ରୀ ପଟ୍ଟନାୟକଙ୍କୁ ଅତିରିକ୍ତ ପ୍ରଶ୍ନ କରିବାକୁ ଡାକିଥିଲେ। ପାଟିତୁଣ୍ଡ ଭିତରେ ଶ୍ରୀ ପଟ୍ଟନାୟକ କହିଥିଲେ, କଥାଟା କୋଣାର୍କ ତିଆରି କରିଥିବା ଓଡ଼ିଆମାନଙ୍କୁ ମନ୍ଦିର ତିଆରି କରି ଆସେନାହିଁ ଭ​ଳି ହୋଇଯାଉଛି। ତେଣୁ ଏହା ମୋ ପାଇଁ ଗ୍ରହଣୀୟ ହେଉନାହିଁ। ଆମ ରାଜ୍ୟର କାରିଗର କଣ ପାଇପ ବିଛା କାମ କରିପାରିବ ନାହିଁ?ଏଥିପାଇଁ ବାହାର ରାଜ୍ୟର ଠିକା ସଂସ୍ଥାମାନେ ବେଶି ଯୋଗ୍ୟ? ଭଦ୍ରକରେ ନିର୍ମାଣାଧୀନ ମେଗା ପାଇପ ଜଳ ପ୍ରକଳ୍ପ ଯୋଗୁ ଓଡ଼ିଆ ଠିକାଦାରମାନେ କିପରି ହନ୍ତସନ୍ତ ହୋଇଛନ୍ତି ସେ ନେଇ ଉଦାହରଣ ଦେଇଥିଲେ। ଉତ୍ତରରେ ମନ୍ତ୍ରୀ କହିଥିଲେ, ଏବେସୁଦ୍ଧା ରାଜ୍ୟରେ ୨ ହଜାର ୭୪ଟି ଏକକ ପାନୀୟ ଜଳ ପ୍ରକଳ୍ପ ନିର୍ମାଣାଧୀନ ଅଛି। ଯେଉଁଥିରେ ଓଡ଼ିଶାର ଠିକା ସଂସ୍ଥାମାନେ କାମ କରୁଛନ୍ତି। ପୁଣି ଥରେ ସିଭିସିଙ୍କ ସର୍ତ୍ତାବଳୀ ଆଧାରରେ ଇପିସି ମୋଡ୍‌ରେ ଠିକା ସଂସ୍ଥା ଚୟନ ହେଉଥିବା ନେଇ ମନ୍ତ୍ରୀ ଶ୍ରୀ ଜେନା ଉତ୍ତର ରଖିଥିଲେ।

ସମ୍ବନ୍ଧିତ ଖବର