ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ରେ ପୁଣି ଟେଣ୍ଡର ଫିକ୍ସିଂ ଅଭିଯୋଗ ‘ଅଥରିଟିସ୍‌ ଇଞ୍ଜିନିୟର’ ଚୟନରେ ଚଞ୍ଚକତା

ଭୁବନେଶ୍ବର: ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌)ରେ ପୁଣି ଟେଣ୍ଡର ଫିକ୍ସିଂ ଅଭିଯୋଗ ଆସିଛି। କିଛି ମାସ ତଳେ ବିଭାଗୀୟ ଅଧିକାରୀମାନେ ପାନୀୟ ଜଳ ଯୋଗାଣ ନେଇ ହୋଇଥିବା ଟେଣ୍ଡରରେ ଗୋଟିଏ ସଂସ୍ଥାକୁ ଉପକୃତ କରିବାକୁ ଯାଇ ବହୁ ଏଲ୍‌-୧ ହୋଇଥିବା ବିଭିନ୍ନ ସଂସ୍ଥାକୁ କାଟି ଦେଇଥିବା ଅଭିଯୋଗ ହୋଇଥିଲା। ଏବେ ପାନୀୟ ଜଳ ପ୍ରକଳ୍ପର ମାନ ଯାଞ୍ଚ କରିବା, କାର୍ଯ୍ୟ ତଦାରଖ କରିବା, ବୈଷୟିକ ସହାୟତା ଯୋଗାଇବା ପାଇଁ ନିୟୋଜିତ ହେଉଥିବା ‘ଅଥରିଟିସ୍ ଇଞ୍ଜିନିୟର’ ସଂସ୍ଥା ଚୟନରେ ଚଞ୍ଚକତା କରାଯାଇଥିବା ଅଭିଯୋଗ ହୋଇଛି। ଏପରକି ଏ ନେଇ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ର ବରିଷ୍ଠ ଅଧିକାରୀଙ୍କ ନିକଟରେ ବହୁବାର ଅଭିଯୋଗ ହେବା ପରେ ବି ଗୋଟିଏ ସଂସ୍ଥାକୁ କାର୍ଯ୍ୟାଦେଶ ଦିଆଯାଉଥିବା କୁହାଯାଉଛି।

ଅଭିଯୋଗ ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାର ବାଣପୁର ବ୍ଲକ, ବରଗଡ଼ର ଭେଡେନ୍, ବରପାଲି, ଅଟାବିରା, ବିଜେପୁର, ଗାଇସିଲଟ, କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା, ଯାଜପୁରର ଧର୍ମଶାଳା, ରସୁଲପୁର, ଗଜପତିର କାଶୀନଗର ଓ ଗୁମ୍ମା, ମାଲକାନାଗିରିର କାଲିମେଳା, କୋରାପୁଟର ବୈପାରୀଗୁଡା, କଟକର ମାହଙ୍ଗା ଅଞ୍ଚଳରେ ହେବାକୁ ଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଅଥରିଟିସ୍ ଇଞ୍ଜିନିୟର ଚୟନ ପାଇଁ ହୋଇଥିବା ଟେଣ୍ଡରରେ ୧୦ଟି ସଂସ୍ଥା ଆବେଦନ କରିଥିଲେ ହେଁ ଜାଲ୍‌ ଡକୁମେଣ୍ଟ ଦେଇଥିବା ଏମ୍‌ଏସ୍‌ଭି ସଂସ୍ଥାକୁ ବଛାଯାଇଛି।

ଏମ୍‌ଏସ୍‌ଭି ସଂସ୍ଥା ଟେଣ୍ଡର ଆବେଦନ ସମୟରେ ଯେଉଁ ଡକୁମେଣ୍ଟ ଦାଖଲ କରିଥିଲା, ସେଥିରେ ଯେଉଁ ବୈଷୟିକ ଅଧିକାରୀଙ୍କ ବାୟୋଡାଟା ଦେଇଥଲା ସେଥିରେ ବହୁ ଲୋକଙ୍କର ତଥ୍ୟ ଭୁଲ୍‌ ଥିଲା। ଏପରିକି କିଛି ଅଧିକାରୀ ବିଭିନ୍ନ ସଂସ୍ଥାରେ ଜମାରୁ କାମ କରିନଥିବାବେଳେ ସେମାନଙ୍କ ଜାଲ୍‌ ଅଭିଜ୍ଞତା ପ୍ରମାଣପତ୍ର ଦିଆଯାଇଥିଛି। ଏହି ଅଧିକାରୀମାନେ ଇନଫ୍ରାକନ୍ ୱେବସାଇଟ୍‌ରେ ଯେଉଁ ତଥ୍ୟ ସେମାନଙ୍କ ସମ୍ପର୍କରେ ଦେଇଛନ୍ତି ଏମ୍‌ଏସ୍‌ଭି ଦେଇଥିବା ‌ସିଭି ସହ ତାହା ମେଳ ଖାଉନି। ଏହିପରି ୫ଜଣ ଅଧିକାରୀଙ୍କ ତଥ୍ୟ ଦିଆଯାଇଛି। କେବଳ ଏତିକି ନୁହେଁ ସଂସ୍ଥା ତାନ୍‌ଜାନିଆ, ଆମେରିକା ଓ ନେପାଳରେ କାମ କରିଥିବା ନେଇ ଯେଉଁ ସାର୍ଟିଫିକେଟ୍ ଦେଇଛି ତାହାକୁ ଭାରତରେ ଥିବା ଦୂତାବାସ ସାର୍ଟିଫାଏଡ୍ ବୋଲି ଦର୍ଶାଇନି। ଆମେରିକାର ଲୁଇସ୍‌ ବର୍ଗର ଗ୍ରୁପ୍‌ର ଉତ୍ତରପ୍ରଦେଶରେ ଯେଉଁ ପ୍ରକଳ୍ପ କରିବା ନେଇ ସଂସ୍ଥା ଡକୁମେଣ୍ଟ ଦେଇଛି, ସେଭଳି କିଛି ପ୍ରକଳ୍ପ ହୋଇନି ବୋଲି ଲୁଇସ୍‌ ବର୍ଗର ଲିଖିତ ଭାବେ ଜଣାଇଛି। ଏହାବାଦ୍ ଉତ୍ତରପ୍ରଦେଶରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏହି ସଂସ୍ଥାକୁ କଳା ତାଲିକାଭୁକ୍ତ କରିଛନ୍ତି।

ଏ ନେଇ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ର ଅଧିକାରୀମାନଙ୍କ ନିକଟରେ ସମସ୍ତ ତଥ୍ୟ ସମ୍ବଳିତ ଅଭିଯୋଗ କରାଯାଇଥିଲେ ହେଁ ବିଭାଗୀୟ ଅଧିକାରୀମାନେ ଏହାକୁ ଗ୍ରହଣ କରିନାହାନ୍ତି। ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଲା ଏହି ଟେଣ୍ଡରର ଟେକନିକାଲ୍‌ ବିଡ୍‌ ମେ ୧୭ ତାରିଖ ସଂଧ୍ୟାରେ ଖୋଲା ଯାଇଥିବାବେଳେ ଏହାର ଘଣ୍ଟାକ ଭିତରେ ଫାଇନାନସିଆଲ୍‌ ବିଡ୍‌ ଖୋଲା ଯାଇଥିଲା। କାଳେ କିଏ ଅଭିଯୋଗ କରିବ ବୋଲି ଅଧିକାରୀମାନେ ସବୁ ପ୍ରକାରର ଚଞ୍ଚକତା କରିଥିଲେ ହେଁ ଏବେ ସତ ପଦାକୁ ଆସିଛି। କିନ୍ତୁ ଏହାକୁ ବିଭାଗୀୟ ଅଧିକାରୀମାନେ ସ୍ବୀକାର କରିବାକୁ ନାରାଜ।
ଏ ନେଇ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ର ସର୍ବୋଚ୍ଚ ଯନ୍ତ୍ରୀ ଏ.କେ ମଲ୍ଲିକଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଆମେ ସବୁ ଡକୁମଣ୍ଟେ ଯାଞ୍ଚ କରିଛୁ। ଯାହା ବି ତ୍ରୁଟି ଅଛି ତାକୁ ବଦଳାଇବାର ନିୟମ ଅଛି। ଟେଣ୍ଡର ପ୍ରକ୍ରିୟାରେ କୌଣସି ତ୍ରୁଟି ନାହିଁ।

ସମ୍ବନ୍ଧିତ ଖବର