କେନ୍ଦ୍ରାପଡ଼ାରେ ମେଗା ଷ୍ଟିଲ୍ ପ୍ଲାଣ୍ଟ୍‌

୫୦ହଜାର କୋଟି ଖଟାଇବ ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ୍ ଇଣ୍ଡିଆ

ବିଜୁଙ୍କ ୧୦୫ତମ ଜୟନ୍ତୀ ପୂର୍ବରୁ ନବୀନଙ୍କ ଭେଟି
୧୨ ନିୟୁତ ଟନ୍ ବିଶିଷ୍ଟ ଇସ୍ପାତ ପ୍ରକଳ୍ପ କରିବ
ମହାକାଳପଡ଼ାରେ ପ୍ରତିଷ୍ଠା ହେବ କାରଖାନା

ଭୁବନେଶ୍ବର : କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ଅଞ୍ଚଳରେ ୫୦ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିବ ବିଶ୍ବର ପ୍ରମୁଖ ଇସ୍ପାତ କଂପାନି ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍ ଇଣ୍ଡିଆ। ବାର୍ଷିକ ୧୨ ନିୟୁତ ଟନ୍ ବିଶିଷ୍ଟ ସମନ୍ବିତ ଇସ୍ପାତ ପ୍ରକଳ୍ପ ସ୍ଥାପନ କରିବ କଂପାନି। ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା ପରେ ମଧ୍ୟାହ୍ନରେ ଏହି ସଂସ୍ଥା ରାଜ୍ୟ ସରକାରଙ୍କ ସହିତ ବୁଝାମଣାପତ୍ର ସ୍ବାକ୍ଷର କରିଛି। ମୁଖ୍ୟମନ୍ତ୍ରୀ ଓ ନିଜେ ମିତ୍ତଲ ଗ୍ରୁପର ଅଧ୍ୟକ୍ଷ ଲକ୍ଷ୍ମୀ ମିତ୍ତଲଙ୍କ ଉପସ୍ଥିତିରେ ଲୋକସେବା ଭବନ ସମ୍ମେଳନ କକ୍ଷରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହୋଇଥିଲା। ଯେଉଁଥିରେ ରାଜ୍ୟ ସରକାରଙ୍କ ପକ୍ଷରୁ ଶି​ଳ୍ପ ସଚିବ ହେମନ୍ତ ଶର୍ମା ଏବଂ ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ୍ ଇଣ୍ଡିଆ ପକ୍ଷରୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲ୍ଲୀପ ଓମେନ୍ ବୁଝାମଣାପତ୍ରରେ ସ୍ବାକ୍ଷର କରିଥିଲେ।

ଆସନ୍ତାକାଲି (ଶୁକ୍ରବାର) ବିଜୁ ବାବୁଙ୍କ ୧୦୫ତମ ଜୟନ୍ତୀ ପୂର୍ବରୁ କେନ୍ଦ୍ରାପଡ଼ାରେ ବୃହତ୍ ଇସ୍ପାତ ପ୍ରକଳ୍ପ ସ୍ଥାପନ ନେଇ ରାଜ୍ୟ ସରକାରଙ୍କ ଉଦ୍ୟମ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଗତ ଡିସେମ୍ବର ମାସରେ ରାଜ୍ୟ ସରକାରଙ୍କ ତତ୍କାଳୀନ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଏବଂ ୫ଟି ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ମହାକାଳପଡ଼ା ଗସ୍ତ କରି ସରଜମିନ୍ ସ୍ଥିତି ଅନୁଧ୍ୟାନ କରିଥିଲେ। ସେବେଠାରୁ ମହାକାଳପଡ଼ାର ବିକାଶ ପାଇଁ ସରକାରଙ୍କ ଯୋଜନା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇ ଆସୁଥିଲା। ଏହାର ଦୁଇମାସ ପରେ ଆଜି ସରକାର ନେଇଥିବା ପଦକ୍ଷେପ ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲ୍ଲାବାସୀଙ୍କୁ ଅନେକ ଆଶା ଦେଖାଇଛି।

ଆଜି ବୁଝାମଣାପତ୍ର ସ୍ବାକ୍ଷର ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ମୁଖ୍ୟଶାସନ ସଚିବ, ଉନ୍ନୟନ କମିସନର, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା, ୫ଟି ସଚିବ ପ୍ରମୁଖ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କେନ୍ଦ୍ରାପଡ଼ା ବିଜୁ ବାବୁଙ୍କ କର୍ମଭୂମି। ବିଜୁ ବାବୁ କେନ୍ଦ୍ରାପଡ଼ା ଓ ସେ ଅଞ୍ଚଳର ଲୋକଙ୍କୁ ଅତ୍ୟନ୍ତ ଭଲ ପାଉଥିଲେ। ସେଠାରେ ଏହି ପ୍ରକଳ୍ପ ସ୍ଥାପନ ହେବ। ରାଜ୍ୟ ସରକାର ଏହି ବୃହତ୍ ଶିଳ୍ପ ସ୍ଥାପନ ପାଇଁ ସମସ୍ତ ସହାୟତା ପ୍ରଦାନ କରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦେଶରେ ପୁଞ୍ଜିନିବେଶ ପାଇଁ ଓଡ଼ିଶା ସର୍ବୋକୃଷ୍ଟ ସ୍ଥାନ ଭାବେ ଶିଳ୍ପପତିଙ୍କ ଦୃଷ୍ଟି ଆକର୍ଷଣ କରିଛି। ରାଜ୍ୟ ସରକାରଙ୍କ ଶିଳ୍ପନୀତି ଓ ଭିତ୍ତିଭୂମି ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ସେ କହିଥିଲେ।

ଅନ୍ୟପକ୍ଷରେ ଶ୍ରୀ ମିତ୍ତଲ କହିଥିଲେ ଯେ ଓଡ଼ିଶା ସରକାରଙ୍କ ସହିତ ମିଶି କେନ୍ଦ୍ରାପଡ଼ାରେ ସମନ୍ବିତ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା କରିବାକୁ ଯାଉଥିବାରୁ ସେ ଖୁସି। ଏହା ହିଁ ଉପଯୁକ୍ତ ସ୍ଥାନ। ଏହାବ୍ୟତୀତ ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ୍ ଇଣ୍ଡିଆ କଂପାନି ପାରାଦୀପରେ ୬ନିୟୁତ ଟନ୍ ବିଶିଷ୍ଟ ପେଲେଟାଇଜେସନ୍ ପ୍ଲାଣ୍ଟ କରିବ ଓ ଏହା କ୍ରମଶଃ ୧୨ ନିୟୁତ ଟନ୍‌କୁ ବୃଦ୍ଧି କରାଯିବ। ଏ କ୍ଷେତ୍ରରେ ୨ହଜାର କୋଟି ଟଙ୍କା ନିବେଶ ହେବ। ସେହିଭଳି ଏକ ବେନିଫିକେସନ୍ ପ୍ଲାଣ୍ଟ କେନ୍ଦୁଝରରେ ହେବ। ସେ ଆହୁରି କହିଥିଲେ ଯେ ଓଡ଼ିଶା ସରକାରଙ୍କ ତ୍ବରିତ ପଦକ୍ଷେପ ତାଙ୍କୁ ଆଚମ୍ବିତ କରିଛି; ଯାହା ସେ ବିଶ୍ବର ବିଭିନ୍ନ ସ୍ଥାନରେ ବ୍ୟବସାୟ କରିବା ସମୟରେ ଦେଖିନାହାନ୍ତି। ରାଜ୍ୟ ସରକାର ପ୍ରସ୍ତାବିତ ଏହି ପ୍ରକଳ୍ପ ପାଇଁ ସମସ୍ତ ପ୍ରକାର ସହଯୋଗ କରିବେ ଓ ଆବଶ୍ୟକ ଭିତ୍ତିଭୂମି ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତାଙ୍କ କଂପାନି ଓଡ଼ିଶା ସରକାରଙ୍କ ସହଯୋଗୀ ହେବାକୁ ବଦ୍ଧପରିକର ବୋଲି ମିତ୍ତଲ କହିଥିଲେ।

ମହାକାଳପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଥିଲେ ଯେ ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲ୍ଲାପାଇଁ ମୁଖ୍ୟମନ୍ତ୍ରୀ ଆଜି ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ବାରା ଜିଲ୍ଲାବାସୀଙ୍କ ଅନେକ ଦିନର ସ୍ବପ୍ନ ସାକାର ହେବ। ବିଜୁ ବାବୁଙ୍କ ୧୦୫ତମ ଜନ୍ମ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ାବାସୀଙ୍କୁ ଯେଉଁ ଭେଟି ଦେଇଛନ୍ତି, ଏଥିରେ ଜିଲ୍ଲାବାସୀ ଆନନ୍ଦିତ। ପ୍ରକଳ୍ପ ପାଇଁ ସମସ୍ତ ଲୋକପ୍ରତିନିଧି ଓ ଜିଲ୍ଲାବାସୀ ସହଯୋଗ କରିବେ ବୋଲି ଶ୍ରୀ ନାୟକ କହିଥିଲେ।

ପୂର୍ବରୁ ୨୦୦୫ ମସିହାରେ ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ସ୍ବାକ୍ଷର କରିଥିବା ପୋସ୍କୋ କଂପାନି ଜମି ଅଧିଗ୍ରହଣ ଓ ଖଣି ସମସ୍ୟା ଯୋଗୁଁ ମୁହଁ ଫେରାଇଥିଲା। ସଂପୃକ୍ତ କଂପାନି ବାର୍ଷିକ ୧୨ ନିୟୁତ ଟନ୍ ବିଶିଷ୍ଟ ଇସ୍ପାତ ଉତ୍ପାଦନ କରିବା ଭଳି କଂପାନି ପ୍ରତିଷ୍ଠା କରିଥାନ୍ତା, ଯେଉଁଥିରେ ୫୨ହଜାର କୋଟି ପୁଞ୍ଜିନିବେଶ ହୋଇଥାନ୍ତା। ପରେ ମିତ୍ତଲ କଂପାନି ୨୦୦୬ ଡିସେମ୍ବରରେ କେନ୍ଦୁଝର ପାଟଣାରେ ୧୨ନିୟୁତ୍ ଟନ୍ ବିଶିଷ୍ଟ ସମନ୍ବିତ ଇସ୍ପାତ ପ୍ରକଳ୍ପ ଲାଗି ବୁଝାମଣାପତ୍ର ସ୍ବାକ୍ଷର କରିଥିଲା। କଂପାନି ସେବେ ୪୦ ହଜାର କୋଟି ବିନିଯୋଗ କରିବ ବୋଲି କହିଥିଲା। ହେଲେ ଜମି ଅଧିଗ୍ରହଣକୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ଖଣି ପ୍ରଦାନ ନେଇ ସବୁଜ ସଙ୍କେତ ମିଳିପାରିନଥିଲା। ଏଣୁ ମିତ୍ତଲ କଂପାନି ମଧ୍ୟ ଏମଓୟୁ ସ୍ବାକ୍ଷର ପରେ ବି ଶିଳ୍ପ ପ୍ରତିଷ୍ଠାରୁ ଓହରିଯାଇଥିଲା।

ଉଲ୍ଲେଖଯୋଗ୍ୟ ଯେ ଗତ ୨ ତାରିଖ ଦିନ ଶ୍ରୀ ମିତ୍ତଲ ନୂଆଦିଲ୍ଲୀରେ ପ୍ରଥମେ ପ୍ରଧାନମନ୍ତ୍ରୀ ଓ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଥିଲେ। ଏହାର ୪୮ ଘଣ୍ଟା ପରେ ଏହି ବିଶିଷ୍ଟ ଶିଳ୍ପପତି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବା ସହିତ ଶିଳ୍ପ ସ୍ଥାପନ ପାଇଁ ଏମ୍‌ଓୟୁ କରିଛନ୍ତି।

ସମ୍ବନ୍ଧିତ ଖବର