ପୁରୀ: ଶ୍ରୀମନ୍ଦିର ରକ୍ଷଣାବେକ୍ଷଣରେ ଗୁରୁତର ଅବହେଳା ଦେଖିବାକୁ ମିଳିଛି। ସିଂହଦ୍ବାର ସମ୍ମୁଖରେ ଲଙ୍ଗୁଳି ମଠ ଧୂନିକୁଣ୍ଡଠାରୁ ରାମଦୟା ପରିଷଦ ପର୍ଯ୍ୟନ୍ତ ପ୍ରାୟ ୫୦ରୁ ୬୦ ଫୁଟ ଓସାରରେ ମେଘନାଦ ପାଚେରିରେ ଏକାଧିକ ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ଫଳସ୍ବରୂପ ମେଘନାଦ ପାଚେରିର ପଥରକାନ୍ଥରୁ ୫୦ରୁ ଅଧିକ ସ୍ଥାନରୁ ଝରଣା ଭଳି ଅନର୍ଗଳ ପାଣି ଗଳୁଥିବା ଦେଖିବାକୁ ମିଳିଛି। ଏପରିକି ସିଂହଦ୍ବାର ସମ୍ମୁଖ ରାମଦୟା ପରିଷଦ ନିକଟରେ ମେଘନାଦ ପାଚେରି ବାହାରପାର୍ଶ୍ବକୁ ଠେଲି ହୋଇଯିବା(ପେଟେଇ ଗଲା) ଭଳି ଦୃଶ୍ୟମାନ ହେଉଛି। ଯାହା ମେଘନାଦ ପାଚେରିକୁ ଭୁଶୁଡ଼ାଇଦେବା ଆଶଙ୍କା ସୃଷ୍ଟି କରିଛି।

Advertisment

ବଡ଼କଥା ହେଉଛି, ଏଭଳି ଫାଟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟନ ଫଳକ ପଛ ପାର୍ଶ୍ବରେ ଦେଖିବାକୁ ମିଳିଛି। ତଥାପି ଆଜି ପର୍ଯ୍ୟନ୍ତ ଏହା ଉପରେ କାହାରି ନଜର ପଡ଼ିନାହିଁ। ଯଦି ଏଭଳି ସ୍ଥିତି ସୃଷ୍ଟି ହୁଏ, ତେବେ ଏହା ଉଭୟ ମେଘନାଦ ପାଚେରି ଓ ଶ୍ରୀମନ୍ଦିର ପାଇଁ ବିପଦ।
ଶ୍ରୀମନ୍ଦିର ସହ ଏହାର ଭିତର ଓ ବାହାର ବେଢ଼ାକୁ ସୁରକ୍ଷା ଦେଇ ଆସୁଛି ସୁଦୃଢ଼ ମେଘନାଦ ପାଚେରି। କିନ୍ତୁ ଯେବେଠୁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ) ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ନେଲାଣି, ସେବେଠୁ କିଛି ନା କିଛି ଅଘଟଣ ନଜରକୁ ଆସୁଛି। କେତେବେଳେ ଶ୍ରୀମନ୍ଦିରରୁ ପଥର ଖସିବାକୁ ନେଇ ତ ଆଉ କେତେବେଳେ ଶ୍ରୀମନ୍ଦିରରେ ଫାଟ ସୃଷ୍ଟି ପ୍ରସଙ୍ଗ ଭକ୍ତଙ୍କୁ ଆନ୍ଦୋଳିତ କରୁଛି। ଏଭଳି ସ୍ଥିତିରେ ସିଂହଦ୍ବାର ସମ୍ମୁଖରେ ମେଘନାଦ ପାଚେରିରେ ଏଭଳି ଫାଟ ସୃଷ୍ଟି ହେବା, ଶ୍ରୀମନ୍ଦିର ପ୍ରଶାସନ ଓ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥାର ଗୁରୁତର ଅବହେଳାକୁ ଧରା ପକାଇଦେଇଛି।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ୭୫ ମିଟର ପରିଧିରେ ଉଚ୍ଛେଦ ବେଳେ ସିଂହଦ୍ବାର ସମ୍ମୁଖ ମେଘନାଦ ପାଚେରି ଆଘାତପ୍ରାପ୍ତ ହୋଇଥିଲା। ଉଚ୍ଛେଦ ବେଳେ ଜେସିବି ମାଡ଼ରେ ଏକାଧିକ ସ୍ଥାନରେ ଗର୍ତ୍ତ ସୃଷ୍ଟି ହୋଇଥିଲା। ସେହି ଗର୍ତ୍ତର ଆକାର ବୃଦ୍ଧି ପାଇ ବିପଦ ସୃଷ୍ଟି କଲାଣି। ଏହି ବାଟ ଦେଇ ସଦାସର୍ବଦା ପାଣି ଗଳୁଛି ଓ ପାଚେରି ସଂଲଗ୍ନ ଚଟାଣ ଓଦା କରୁଛି। ମିଳିଥିବା ସୂଚନା ମୁତାବକ, ଶ୍ରୀମନ୍ଦିର ଭିତର ଓ ବାହାର ବେଢ଼ାରେ ଚଟାଣ ତଳେ ଏକାଧିକ ନାଳ ରହିଛି। ସେହିଭଳି ଏକ ନାଳ ଉତ୍ତରଦ୍ବାର ପାର୍ଶ୍ବରୁ ଆନନ୍ଦବଜାର, ସ୍ନାନବେଦି ଦେଇ ଆସି ଲଙ୍ଗୁଳି ମଠ ଧୂନିକୁଣ୍ଡ ନିକଟରେ ଥିବା ନାଳରେ ମିଶୁଛି।

ଆନନ୍ଦବଜାର ଏକାଧିକ ସ୍ଥାନର ହାତଧୁଆ ପାଣି, ଶୌଚ ପାଣି ଏହି ବାଟ ଦେଇ ନିଷ୍କାସିତ ହେଉଛି। କିନ୍ତୁ ଏହି ନାଳର ଆବଶ୍ୟକ ସଫେଇ ଓ ମରାମତି କରାଯାଉ ନ ଥିବାରୁ ଜାମ୍‌ ହୋଇ ଏହାର ପାଣି ମେଘନାଦ ପାଚେରିର ସୁଦୃଢ଼ ପଥରବାଡ଼ାକୁ ଫଟାଇ ଅନର୍ଗଳ ଗଳୁଛି। ଲଙ୍ଗୁଳି ମଠର ବାବା ବୈଷ୍ଣବ ପୁରୀ କହିଛନ୍ତି, ଏହି ସମସ୍ୟା ବହୁଦିନରୁ ଲାଗି ରହିଛି। ଆଗରୁ ଅଳ୍ପ ଅଳ୍ପ କିଛି ଜାଗାରୁ ପାଣି କାନ୍ଥରେ ଭେଦୁଥିଲା। ଏବେ ଫାଟ ସଂଖ୍ୟା ବଢ଼ିଗଲାଣି ଓ ଏଥିରୁ ଝରଣା ଭଳି ପାଣି ଗଳୁଛି। ଏକାଧିକ ସ୍ଥାନରୁ ପାଣିର ସ୍ରୋତ ଛୁଟିଛି। ତୁରନ୍ତ ଏହାର ଆବଶ୍ୟକ ମରାମତି ଓ ରକ୍ଷଣାବେକ୍ଷଣ କରାଯାଉ ବୋଲି ଶ୍ରୀ ପୁରୀ କହିଛନ୍ତି। ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଦେବବ୍ରତ ସାହୁ ଅଭିଯୋଗ ପାଇବା ପରେ ଶ୍ରୀମନ୍ଦିର ଇଂଜିନିୟରିଂ ବିଭାଗର ଅଧିକାରୀଙ୍କୁ ଏହାର ସ୍ଥିତି ଅନୁଧ୍ୟାନ ନିର୍ଦ୍ଦେଶ ଦେଇଛନ୍ତି।