ଜୋତା ପାଲିସରୁ ଜୋତା କାରଖାନା : ବାପାଙ୍କ ସ୍ବପ୍ନ ପୂରଣ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ପୁଅ

ପୁଣି ଚାଲିଲା ମେହେରଙ୍କ ଜୋତା କାରଖାନା

ଟିଟିଲାଗଡ଼ : ଟିଟିଲାଗଡ଼ ନିବାସୀ ଗଙ୍ଗାଧର ମେହେରଙ୍କ ଦ୍ବାରା ଆରମ୍ଭ ହୋଇ କିଛି ବର୍ଷ ଧରି ଚାଲିବା ପରେ ବନ୍ଦ ହୋଇ ଯାଇଥିବା ମେହେର ଫୁଟୱେର ଇଣ୍ଡଷ୍ଟ୍ରିଜ୍ ପୁଣି କାମ ଆରମ୍ଭ କରିଛି। ବାପାଙ୍କ ଦେହାନ୍ତ ପରେ ତାଙ୍କ ଅଧୁରା ସ୍ୱପ୍ନକୁ ପୂରା କରିବା ପାଇଁ ପୁଅ ବିଜୟ ପୁଣି ଆରମ୍ଭ କରିଛନ୍ତି ସ୍କୁଲ ଜୋତା ତିଆରି କାମ। ପୁଅଙ୍କ ଏହି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।

ଟିଟିଲାଗଡ଼ ପୌର ପରିଷଦର ୱାର୍ଡ ନଂ ୨ ମେହେରପଡ଼ାର ବାସିନ୍ଦା ଥିଲେ ଗଙ୍ଗାଧର ‌ମେହେର। ବର୍ତ୍ତମାନ ମଧ୍ୟ ତାଙ୍କ ପରିବାର ସେହି ସ୍ଥାନରେ ବସବାସ କରନ୍ତି। ସେ ପିଲାଦିନେ ଟିଟିଲାଗଡ଼ ସହରର ବିଭିନ୍ନ ସ୍ଥାନ, ରେଳ ଷ୍ଟେସନ ଏମିତିକି ଟ୍ରେନରେ ଜୋତା ପାଲିସ କରୁଥିଲେ। ସେଥିରୁ ଯାହା ଆୟ କରୁଥିଲେ ସେଥିରେ ପରିବାର ପ୍ରତିପୋଷଣ କରୁଥିଲେ। ବଳକା ଟଙ୍କା ନିଜ ପାଠପଢ଼ା ପାଇଁ ଖର୍ଚ୍ଚ କରୁଥିଲେ। ସେ ବାଳକ ଉଚ୍ଚ ବିଦ୍ୟାଳୟରୁ ପାଠପଢ଼ା ସାରି ଡିଏଭି ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ। ଶିକ୍ଷା ସମାପ୍ତ କଲା ପରେ କୌଣସି ଚାକିରି ନକରି ନିଜେ କାମ କରି ଅନ୍ୟମାନଙ୍କୁ ମଧ୍ୟ ରୋଜଗାରର ବାଟ ଦେଖାଇବାକୁ ଚିନ୍ତା କରିଥିଲେ। ସେ ସାମାଜିକ ସଂଗଠନ ସାହାଯ୍ୟରେ ବ୍ୟାଙ୍କରୁ ୧୫୦୦ ଟଙ୍କା ଋଣ ନେଇ ନିଜ କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରଥମେ ସେ ସହର ମଧ୍ୟରେ ମାଉସୀ ମନ୍ଦିର ପାଖରେ ଏକ ଡବା ଦୋକାନ କରି ସେଠାରେ ଜୋତା ତିଆରି କରିବା ଆରମ୍ଭ କରିଥିଲେ। ପରେ ସେ ପାରାଡାଇଜ୍‌ ସିନେମା ହଲ ସାମ୍ନାରେ ଏକ ଷ୍ଟଲ୍ ଭଡ଼ା ନେଇ କିଛି କାରିଗରଙ୍କୁ ରୋଜଗାର ଦେଇ ପାରିଥିଲେ।

ତାଙ୍କ ହାତ ତିଆରି ଜୋତା ଚପଲ ଘରେ ଘରେ ପରିଚିତ ହେଲା। ଶିଳ୍ପାନୁଷ୍ଠାନ, ବିଭିନ୍ନ କାରଖାନା, ଖଣି ଠିକାଦାରମାନଙ୍କ ପାଖରୁ ଶହ ଶହ ଜୋତା ଅର୍ଡର ଆସିବାକୁ ଲାଗିଥିଲା। ଏଥିରୁ ସେ ବେଶ୍ ଉତ୍ସାହିତ ହୋଇ ପ୍ରଥମେ ୨୦୦୫ରେ ମେହେର ସୁ ଇଣ୍ଡଷ୍ଟ୍ରି ଓ ପରେ ତାଙ୍କ ପତ୍ନୀ ଅନୁସୟା ମେହେରଙ୍କ ମାଲିକାନାରେ ମେହେର ଫୁଟୱେର୍ ଇଣ୍ଡଷ୍ଟ୍ରିଜ୍ ଆରମ୍ଭ କରିଥିଲେ। ସେତେବେଳେ ସ୍ୱର୍ଗତ ମେହେରଙ୍କ ଦ୍ଵାରା ପ୍ରାୟ ଶହେରୁ ଅଧିକ କାରିଗର ରୋଜଗାର ପାଇ ପାରିଥିଲେ। ରାଜ୍ୟ ପୁଲିସ, ଗୃହରକ୍ଷୀ ବାହିନୀ, ଅଗ୍ନିଶମ ବିଭାଗ ତଥା ବିଭିନ୍ନ କାର୍ଯ୍ୟାଳୟରୁ ହଜାର ହଜାର ଜୋତା ତିଆରି ପାଇଁ ଅର୍ଡର ଆସୁଥିଲା। କିନ୍ତୁ ସମୟ ବଦଳିବା ସହ ପୁଲିସ ବିଭାଗର ଜୋତା ମଡେଲ ମଧ୍ୟ ବଦଳିଥିଲା। ନୂଆ ମଡେଲର ଜୋତା ଓ ଆଧୁନିକ ବିଶ୍ବସ୍ତରୀୟ କମ୍ପାନିମାନଙ୍କ ସହ ପ୍ରତିଯୋଗିତା କରିବା ପାଇଁ ଶ୍ରୀ ମେହେରଙ୍କୁ ନୂତନ ଓ ଅତ୍ୟାଧୁନିକ ଯନ୍ତ୍ରପାତିର ଆବଶ୍ୟକତା ରହିଲା। କିନ୍ତୁ ଏ ସବୁରେ ବାଧକ ସାଜିଥିଲା ଅର୍ଥ। ଅନେକ ଚେଷ୍ଟାକରି ବିଫଳ ହେଲା ପରେ ୨୦୧୫ ମସିହାରେ ସେ ତାଙ୍କ ଜୋତା କାରଖାନାକୁ ବନ୍ଦ କରିବା ପାଇଁ ବାଧ୍ୟ ହେଇଥିଲେ। ସମୟ ସହିତ ମାନସିକ ଚାପ ଓ ଶାରୀରିକ ଅସୁସ୍ଥତାରେ ରହି ଗତ ନଭେମ୍ବର ମାସରେ ସେ ମୃତ୍ୟୁବରଣ କରିଥିଲେ।

ପ୍ରାୟ ୬ ବର୍ଷ ବନ୍ଦ ରହିବା ପରେ ଏବେ ତାଙ୍କ ସ୍ବପ୍ନର କାରଖାନାକୁ ପୁଣି ଥରେ ଆଗେଇ ନେବାକୁ ପାଦ କାଢ଼ିଛନ୍ତି ମଝିଆ ପୁଅ ବିଜୟ ମେହେର। ଗତ ଦୁଇ ମାସ ହେଲା ସେ ବାପାଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଅଚଳ ମେହେର ଫୁଟୱେର ଇଣ୍ଡଷ୍ଟ୍ରିଜ୍‌କୁ ସଚଳ କରି ଜୋତା ତିଆରି କରିବା ଆରମ୍ଭ କରିଛନ୍ତି। ୨୦ ଜଣ ବାହାର ରାଜ୍ୟର ଓ ୧୦ ଜଣ ସ୍ଥାନୀୟ କାରିଗରଙ୍କୁ ନେଇ ପୁଣି ଥରେ କାରଖାନା ଆରମ୍ଭ କରିଛନ୍ତି ବିଜୟ। ବିଜୟ କହନ୍ତି, ‘ବାପାଙ୍କ ସ୍ବପ୍ନ ପୂରା କରିବା ସହ, ଆଗାମୀ ଦିନରେ ୧୦୦ରୁ ୫୦୦ ବେକାରଙ୍କୁ ରୋଜଗାର ଦେବ ଏ କାରଖାନା। ଉନ୍ନତ ମାନର ଜୋତା ତିଆରି କରିବା ସହ କେବଳ ଟିଟିଲାଗଡ଼ କିଂବା ବଲାଙ୍ଗୀର ଜିଲ୍ଲା ନୁହେଁ, ଧୀରେ ଧୀରେ ପଶ୍ଚିମ ଓଡ଼ିଶା, ଓଡ଼ିଶା ଓ ଦିନେ ସାରା ଭାରତରେ ଜୋତା ସପ୍ଲାଏ କରିବା ପାଇଁ ଉଦ୍ୟମ କରିବୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର