କ୍ୟାଟ୍‌ କଟକ ବେଞ୍ଚ୍‌ରେ ସଦସ୍ୟ ପଦ ଖାଲି

ଅଚଳାବସ୍ଥା: କୋଲକାତା ବେଞ୍ଚରେ ହେବ ମାମଲା

କଟକ : କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବୁନାଲ (କ୍ୟାଟ) କଟକ ବେଞ୍ଚରେ ବର୍ତ୍ତମାନ ସମସ୍ତ ସଦସ୍ୟ ପଦ ଖାଲି ପଡିଛି। ଏପରି ପରିସ୍ଥିତିରେ ସେପ୍ଟେମ୍ବର ୨୨ରୁ କଟକ ବେଞ୍ଚକୁ କୋଲକାତା ବେଞ୍ଚ ସହିତ ସଂଯୁକ୍ତ କରି ଦିଆଯାଇଛି। କଟକ ବେଞ୍ଚ ପାଇଁ ଯଦି କୌଣସି ଆବେଦନକାରୀଙ୍କ ଜରୁରି ମାମଲା ଥାଏ ସେ କୋଲକତା ବେଞ୍ଚରେ ତାହା ଦାୟର କରି ପାରିବେ। ଏଥି ସହିତ ଜରୁରି ମାମଲାର ଶୁଣାଣି ପାଇଁ ପକ୍ଷମାନେ କୋଲକାତା ବେଞ୍ଚକୁ ଯାଇ ପାରିବେ ବୋଲି ନୂଆଦିଲ୍ଲୀସ୍ଥିିତ କ୍ୟାଟ୍‌ ପ୍ରନ୍ସିପାଲ ବେଞ୍ଚ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟାଦେଶ ପର୍ଯ୍ୟନ୍ତ ଏପରି ଆଦେଶ ବଳବତ୍ତର ରହିବ ବୋଲି କ୍ୟାଟ୍‌ କଟକ ବେଞ୍ଚ ପକ୍ଷରୁ ଜାରି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ ଜୁନ ୩୦ରେ କଟକ ବେଞ୍ଚର ଜଣେ ବିଚାରବିଭାଗୀୟ ସଦସ୍ୟ ଅବସର ଗ୍ରହଣ କରିଥିଲେ। ଏହା ପରେ ପ୍ରଶାସନିକ ସଦସ୍ୟ ଡକ୍ଟର ମୃତ୍ୟୁଞ୍ଜୟ ଷଡଙ୍ଗୀ ଏକୁଟିଆ କଟକ କ୍ୟାଟ୍‌ ବେଞ୍ଚରେ ମାମଲା ଗୁଡିକ ଶୁଣାଣି କରୁଥିଲେ। ଅନ୍ୟପକ୍ଷରେ ବହୁ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ଦୁଇ ଜଣିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣି ହେବାର ନିୟମ ରହିଛି। କିନ୍ତୁ ବିଚାରବିଭାଗୀୟ ସଦସ୍ୟଙ୍କ ଅବସର ପରେ ଦୁଇ ଜଣିଆ ଖଣ୍ଡପୀଠ ଆଉ ବସି ପାରି ନଥିଲା। ଅନ୍ୟପକ୍ଷରେ ସେପ୍ଟେମ୍ବର ୨୧ରେ ପ୍ରଶାସନିକ ସଦସ୍ୟ ଡକ୍ଟର ଷଡଙ୍ଗୀ ଅବସର ନେଇଥିଲେ। ଏହା ପରେ କଟକ ବେଞ୍ଚରେ ଅଚଳାବସ୍ଥା ସୃଷ୍ଟି ହୋଇଛି। କଟକ ବେଞ୍ଚରେ ନୂଆ ସଦସ୍ୟଙ୍କୁ ନିଯୁକ୍ତି ଦିଆ ନ ଯାଇ କୋଲକାତା ବେଞ୍ଚ ସହିତ ସଂଯୋଗ କରାଯାଇଛି। ବର୍ତ୍ତମାନ ପକ୍ଷମାନଙ୍କୁ ମାମଲା ଦାୟରଠାରୁ ଶୁଣାଣି ପର୍ଯ୍ୟନ୍ତ କୋଲକାତା ଯିବାକୁ ପଡିବ। ନିକଟରେ କ୍ୟାଟର ବିଭିନ୍ନ ବେଞ୍ଚରେ ସଦସ୍ୟ ପଦ ପୂରଣ ପାଇଁ ପଦକ୍ଷେପ ନିଆଯାଇଥିବା ବେଳେ କଟକକୁ କିନ୍ତୁ ଅବହେଳା କରାଯାଉଛି ବୋଲି ଅଭିଯୋଗ ହୋଇଛି। ଏପରି ପରିସ୍ଥିତିକୁ ନେଇ ଆଇନଜୀବୀଙ୍କ ମଧ୍ୟରେ ମଧ୍ୟ ଅସନ୍ତୋଷ ଦେଖା ଦେଇଛି। କ୍ୟାଟ୍‌ ବାର ଆସୋସିଏସନର ପୂର୍ବତନ ସଂପାଦକ ଡକ୍ଟର ଜିତେନ୍ଦ୍ର କୁମାର ଲେଙ୍କା, ଆଇନଜୀବୀ ଶିଶିଭୂଷଣ ଜେନା, ଭାରତୀ ଦାସ, ପ୍ରଦୀପ କୁମାର ଧଳ, ସୁଜ୍ୟୋତି ଦାସ ପ୍ରମୁଖ କହିଛନ୍ତି ଯେ ମହକିଲମାନଙ୍କୁ ଏବେ ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡିବ। କଟକ ବେଞ୍ଚରେ ବିଚାରବିଭାଗୀୟ ଓ ପ୍ରଶାସନିକ ସଦସ୍ୟ ପଦ ଯଥା ଶୀଘ୍ର ପୂରଣ କରାଯାଉ ନଚେତ ମହକିଲମାନେ ତ୍ୱରିତ ନ୍ୟାୟ ପାଇବାରୁ ବଞ୍ଚିତ ହେବେ। କ୍ୟାଟ୍‌ରେ ୪ ହଜାରରୁ ଅଧିକ ମାମଲା ବିଚାରାଧୀନ ରହିଥିବା ବେଳେ ଏଥି ପ୍ରତି କେନ୍ଦ୍ର ସରକାର ଧ୍ୟାନ ଦେବା ଆବଶ୍ୟକ ବୋଲି ଆଇନଜୀବୀମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର