ଭୁବନେଶ୍ବର: ରାଜ୍ୟର ୧୪ଟି ବିଭିନ୍ନ ଅନୁଷ୍ଠାନ ଓ ସଂଘର କର୍ମକର୍ତ୍ତାମାନେ ନବୀନ ନିବାସଠାରେ ଆଜି ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟି ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନାଯୋଗ୍ୟ ଯେ ସମ୍ପୃକ୍ତ କର୍ମକର୍ତ୍ତାମାନେ ପୂର୍ବରୁ ଶ୍ରୀ ପାଣ୍ଡିଆନଙ୍କୁ ଭେଟି ତାଙ୍କ ଅନୁଷ୍ଠାନ ଓ ସଂଘର ସମସ୍ୟା ବିଷୟରେ ଅବଗତ କରାଇଥିଲେ। ଶ୍ରୀ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟିକୁ ଆଣି ଏହି ସବୁ ସମସ୍ୟାଗୁଡିକ ତୁରନ୍ତ ଏହାର ପ୍ରତିକାର କରିଥିଲେ। ଏଥିପାଇଁ ଆଜି କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷଙ୍କୁ କୃତଜ୍ଞତା ଜଣାଇବା ସହିତ ଧନ୍ୟବାଦ ଅର୍ପଣ କରିଛନ୍ତି।

Advertisment

କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇ ୫ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଏକ ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶା ଗଠନ ପାଇଁ ଉଦ୍ୟମ କରୁଛନ୍ତି। ଆପଣମାନେ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କ ଏହି ଆକାଂକ୍ଷିତ ଓଡ଼ିଶା ଗଠନ ଦିଗରେ ସହଭାଗୀ ହୋଇ କାମ କରନ୍ତୁ ବୋଲି ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ।

ସେମାନଙ୍କ ଅନୁରୋଧ ମୁତାବକ ଭୁବନେଶ୍ୱର ପୋଲିସ୍‌ ଲାଇନ ମସଜିଦର ଲିଜ ପ୍ରିମିୟମ ଛାଡ, କ୍ୟାପିଟାଲ ମସ୍କ କମିଟିର ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଥିବା ଜମିର ପ୍ରିମିୟମ ଛାଡ, ଭୁବନେଶ୍ୱର ଚନ୍ଦ୍ରଶେଖର ମୌଜାର ସ୍ୱଭାବ କବି ଗଙ୍ଗାଧର ମେହେର ଭବନର ଲିଜ ପ୍ରିମିୟମ ଛାଡ, ଚନ୍ଦ୍ରଶେଖରପୁର ଅଞ୍ଚଳରେ ଓଡିଶା ଅଗ୍ରଗାମୀ ଅଘରିଆ ସମାଜ ଜମି ଉପରେ ଲିଜ ପ୍ରିମିୟମ ଛାଡ, ଚନ୍ଦ୍ରଶେଖରପୁରଠାରେ ଗୋଣ୍ଡ ଭବନ ନିର୍ମାଣ ପାଇଁ ଲିଜ ପ୍ରିମିୟମ ଛାଡ, ଭୁବନେଶ୍ୱର ଡୁମୁଡୁମା ଅଞ୍ଚଳର ସନ୍ଥ ଭୀମଭୋଇ ମହିମା ଅଲେଖ ଟ୍ରଷ୍ଟର ଲିଜ୍‌ ପ୍ରିମିୟମ ଛାଡ, ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଏବଂ ଓଡିଶା କେନ୍ଦୁପତ୍ର କର୍ମଚାରୀ ଓ ତୋଳାଳୀ ମହାସଂଘ କୁ ଆର୍ଥିକ ସହାୟତା, କର୍ମଚାରୀଙ୍କ ଦରମା ବୃଦ୍ଧି, କେନ୍ଦୁପତ୍ର ବିଡା ମୂଲ୍ୟ ବୃଦ୍ଧି, ୫୦ ପ୍ରତିଶତ ବୋନସ ପ୍ରଦାନ ଏବଂ ସାମାଜିକ ସୁରକ୍ଷା ଯୋଜନାରେ ବୟସ ସୀମା ୨ ବର୍ଷ ବୃଦ୍ଧି, ନିଖିଳ ଓଡିଶା ଗ୍ରାମ ରୋଜଗାର ସେବକ ସଂଘକୁ ୫ ବର୍ଷ ପରେ ଚାକିରୀ ନିୟମିତ ଓ Odisha Sub-ordinate Staff Selection Commission ଦ୍ୱାରା ନିଯୁକ୍ତିରେ ୩୦ ପ୍ରତିଶତ ସ୍ଥାନ ସଂରକ୍ଷଣ, ଓଡିଶା ଶିଳ୍ପି ମହାସଂଘକୁ ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟକ ଯୋଜନାରେ ସହାୟତା ପ୍ରଦାନ, ଖଣ୍ଡଗିରିଠାରେ ରାଜ୍ୟ ହସ୍ତଗୃହ ଓ ହସ୍ତଶିଳ୍ପ ବିକାଶ ଉନ୍ନୟନ ପରିଷଦ ରାଜ୍ୟ କାର୍ଯ୍ୟାଳୟ ନିର୍ମାଣ ପାଇଁ ଜମି ପ୍ରଦାନ, କୁଲତା ସମାଜକୁ ପୁରୀ ତାଳବଣିଆଠାରେ ଜମି ପ୍ରଦାନ, ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ଓ ଫାର୍ମାସିଷ୍ଟଙ୍କୁ ସ୍ୱତନ୍ତ୍ର ଭତ୍ତା ପ୍ରଦାନ, ଶ୍ରୀ କେନ୍ଦ୍ରାପଡା ବଳଦେବଜୀଉ ମନ୍ଦିରର ରୂପାନ୍ତର ପାଇଁ ଆର୍ଥିକ ଅନୁଦାନ ପ୍ରଦାନ ଏବଂ ଏକାମ୍ର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ମୁସଲିମ କମ୍ୟୁନିଟି ପାଇଁ ୩ଟି କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ସହାୟତା ପ୍ରଦାନ କରାଯାଇଛି। ଖୁବ୍ କମ୍ ସମୟ ମଧ୍ୟରେ ୫ଟି ଉପକ୍ରମରେ ଏସବୁ ସମସ୍ୟାର ସମାଧାନ କରାଯାଇଛି। ଏହା ଦ୍ୱାରା ସମ୍ପୃକ୍ତ ସଦସ୍ୟ ସଦସ୍ୟାମାନଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି।