ଓପିଏସ୍‌ସିର ସଦସ୍ୟ ହେଲେ ସରିତା, ସନତ

ଭୁବନେଶ୍ବର : ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ସରିତା ସୂପକାର ଓ ପୂର୍ବତନ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି)ର ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ଓପିଏସ୍‌ସି(କଣ୍ଡିସନ୍‌ ଅଫ୍‌ ସର୍ଭିସ୍‌) ନିୟମ ୧୯୫୨ ଅନୁଯାୟୀ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଉଭୟଙ୍କୁ ନିଯୁକ୍ତ କରିଛନ୍ତି। ୬୨ବର୍ଷ ବୟସ ପର୍ଯ୍ୟନ୍ତ ଦୁହେଁ ଏହି ଦାୟିତ୍ବରେ ରହିବେ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକା‌ଶିତ ବିଜ୍ଞପ୍ତିରେ କୁହାଯାଇଛି।

ଶ୍ରୀମତୀ ସୂପକାର ଯୁବ ରେଡକ୍ରସ୍‌ର ରାଜ୍ୟସ୍ତରୀୟ ଅଧିକାରୀ ଭାବେ ୨୦୧୧ରୁ ୨୦୧୩ ପର୍ଯ୍ୟନ୍ତ ଦାୟିତ୍ବ ନିର୍ବାହ କରିଥିଲେ। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଅଧ୍ୟାପନା ସାଙ୍ଗକୁ ଛାତ୍ର ମଙ୍ଗଳ ଅଧିକାରୀ, ପିଜି କାଉନସିଲ୍‌ ଅଧ୍ୟକ୍ଷ ଭାବେ ମଧ୍ୟ ସଫଳତାର ସହ ଦାୟିତ୍ବ ତୁଲାଇଛନ୍ତି। ଏବେ ସେ ପରୀକ୍ଷା ନିୟନ୍ତ୍ରକ ଭାବେ କାର୍ଯ୍ୟରତ ଅଛନ୍ତି। ନୂତନ ନିଯୁକ୍ତି ପାଇବା ପରେ ଶ୍ରୀମତୀ ସୂପକାର ଭିଆରଏସ୍‌ ପାଇଁ ଆବେଦନ କରିଛନ୍ତି। ଆସନ୍ତା ସପ୍ତାହରେ ଓପିଏସ୍‌ସିର ସଦସ୍ୟ ଭାବେ ଦାୟିତ୍ବ ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ସେହିପରି ଶ୍ରୀ ମହାନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ପଦରେ ଅବସ୍ଥାପିତ ଥିବା ବେଳେ ଜିଲ୍ଲାର ବହୁ ଉନ୍ନତିମୂଳକ କାର୍ଯ୍ୟ କରିଥିଲେ। ସେ ଓଡ଼ିଶା ପ୍ରଶାସନିକ ସେବାରୁ ଅବସର ନେଇଛନ୍ତି।

ସମ୍ବନ୍ଧିତ ଖବର