ଯୋଡା : ରାଷ୍ଟ୍ରୀୟ ଅନୁସୂଚିତ ଜନଜାତି ଆୟୋଗ ସଦସ୍ୟ ଅନନ୍ତ ନାୟକଙ୍କ ୫ ଜଣିଆ କମିଟି ସଦସ୍ୟ ଶୁକ୍ରବାର ଦିନ ଯୋଡ଼ା ବ୍ଳକର ବାସୁଦେବପୁରଠାରେ ନିର୍ମାଣାଧୀନ କାନପୁର ବୃହତ ଜଳସେଚନ ପ୍ରକଳ୍ପର ବିସ୍ଥାପିତ ଅଂଚଳ ପରିଦର୍ଶନ କରି କଡ଼ା ଆଭିମୁଖ୍ୟ ଆଣିଛନ୍ତି। ଭିଟାମାଟି ହରେଇଥିବା ବିସ୍ଥାପିତଙ୍କ ଜୀବନଜୀବିକା, ଅର୍ଥନୈତିକ ବିକାଶ ନେଇ କ’ଣ କାର୍ଯ୍ୟ କରିଛନ୍ତି ସେ ନେଇ ପ୍ରକଳ୍ପ ଅଧିକାରୀଙ୍କୁ ଶ୍ରୀ ନାୟକ ପଶ୍ନ କରିଛନ୍ତି। ଥଇଥାନ ନ କଲାଯାଏ ଗାଁ ଉଚ୍ଛେଦ ନ କରିବାକୁ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି।
ପ୍ରକଳ୍ପରେ ସଂପୂର୍ଣ୍ଣ କ୍ଷତଗ୍ରସ୍ତ ହେଉଥିବା ୧୦ ଟି ଗ୍ରାମକୁ ପ୍ରକଳ୍ପ କର୍ତ୍ତୃପକ୍ଷ ଓ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ମୁରୁସୁଆଁ ଗ୍ରାମର ୪ ଜଣ ବିସ୍ଥାପିତଙ୍କୁ ଚାଷ ଜମି ପ୍ରଦାନ ଓ ଥଇଥାନ ପରେ ଘର ଭାଙ୍ଗିବା ପାଇଁ ଉଚ୍ଚ ନ୍ୟାୟାଳୟ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କୁ ଆଦେଶ ଦେଇଥିଲେ। ଏହାର ଅବମାନନା କରି ପ୍ରକଳ୍ପ କର୍ତ୍ତୃପକ୍ଷ ଓ ପ୍ରଶାସନ ପକ୍ଷରୁ ମୁରୁସୁଆଁ ଗ୍ରାମର ଏହି ୪ ଜଣ ବିସ୍ଥାପିତଙ୍କ ଘରକୁ ଜୋର ଜବରଦସ୍ତ ଭାଙ୍ଗି ଦିଆଯାଇଛି। ଅଭିଯୋଗ ପାଇବା ପରେ ରାଷ୍ଟ୍ରୀୟ ଅନୁସୂଚିତ ଜନଜାତି ଆୟାଗ ସଦସ୍ୟ ଶ୍ରୀ ନାୟକ ମୁରୁସୁଆଁ ଗ୍ରାମ ପରିଦର୍ଶନରେ ଯାଇଥିଲେ। ବିସ୍ଥାପିତଙ୍କ ଘର ଭାଙ୍ଗିଦେବା ପରେ ସେଠାରେ କିପରି ପାଲ ଟାଙ୍ଗି ଅତି ଦୟନୀୟଭାବେ ଲୋକେ ରହୁଛନ୍ତି ଦେଖିବାକୁ ପାଇଥିଲେ। ଏହି ବିସ୍ଥାପିତ ପରିବାର ମଧ୍ୟରେ ଜଣେ ଗର୍ଭବତୀ ମହିଳା ତାଙ୍କର ଶିଶୁକୁ ଜନ୍ମଦେବା ପରେ ପାଲ ଟାଙ୍ଗି ଖୋଲା ଆକାଶ ତଳେ ରହୁଥିବା ଦେଖି ଅତ୍ୟନ୍ତ ମର୍ମାହତ ହୋଇଥିଲେ। ଏ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ସେ କହିଛନ୍ତି।
ଥଇଥାନ କାର୍ଯ୍ୟ ସଂପୂର୍ଣ୍ଣ ନ କରି କିପରି ପ୍ରଶାସନ ବିସ୍ଥାପିତଙ୍କ ନାମରେ ୧୦୭ ଦଫା ଲଗାଇ ବଳପୂର୍ବକ ଗାଁ ଉଚ୍ଛେଦ କରୁଛି ସେ ନେଇ ବିସ୍ଥାପିତମାନେ ଅଭିଯୋଗ କରିଥିଲେ। ଏହାପରେ କମିଟି ସଦସ୍ୟମାନେ ବିରିକଳା, ଦଡୁଆଁ ଓ ଗୋବିନ୍ଦପୁର ଗ୍ରାମକୁ ଥଇଥାନ କରିବା ପାଇଁ ନିର୍ମାଣ ଚାଲିଥିବା ଧୁବୁଲାବେଡା ପରିଦର୍ଶନ କରିଥିଲେ। ଉକ୍ତ ବିସ୍ଥାପିତ କଲୋନୀରେ ବିସ୍ଥାପିତଙ୍କୁ ଉପଯୁକ୍ତ ମୌଳିକ ସୁବିଧା ନ ଦେଇ ଓ ବିସ୍ଥାପିତଙ୍କୁ ଘର ଡିହ ପାଇଁ ଜମି ପଟ୍ଟା ନ ଦେଇ ଗାଁ ଉଚ୍ଛେଦ କରିବା ପାଇଁ ପ୍ରକଳ୍ପ ପକ୍ଷରୁ ଧମକ ଦିଆଯାଉଥିବା ନେଇ ଗ୍ରାମବାସୀ କମିଟି ଆଗରେ ଅଭିଯୋଗ କରିଥିଲେ।
ପରିଦର୍ଶନ ପରେ କାନପୁର ପ୍ରକଳ୍ପ ଆଇବିଠାରେ ପ୍ରକଳ୍ପର ଅଧିକାରୀଙ୍କୁ ନେଇ ବୈଠକରେ ପ୍ରକଳ୍ପ ଅଗ୍ରଗତି ଓ ଆଦିବାସୀ ବିସ୍ଥାପିତଙ୍କ ଥଇଥାନ କାଯ୍ୟ କାର୍ଯ୍ୟ ଓ ସେମାନଙ୍କର ସାମାଜିକ, ଆର୍ଥିକ ଓ ଜୀବନଜୀବିକାର ଉନ୍ନତି ନେଇ କିମିଟି ପ୍ରଶ୍ନ ଉଠାଇଥିଲା। ପ୍ରକଳ୍ପ ନିର୍ମାଣ ସମୟରେ ଜମି ଅଧିଗ୍ରହଣ କରିବା ପୂର୍ବରୁ ଗ୍ରାମଗୁଡିକରେ କରାଯାଇଥିବା ପଲ୍ଲିସଭା ରିପୋର୍ଟ ପ୍ରକଳ୍ପ କର୍ତ୍ତୃପକ୍ଷ ଆୟୋଗଙ୍କ ନିକଟରେ ଦାଖଲ କରିବା ସହିତ ବିସ୍ଥାପିତ କଲୋନୀ ନିର୍ମାଣ ସଂପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଆଉ ଗାଁ ଉଚ୍ଛେଦ ନ କରିବା ପାଇଁ ପରାମର୍ଶ ଦେଇଥିଲେ।
କମିଟି ବିସ୍ଥାପିତ ଅଂଚଳରେ ଆଦିବାସୀମାନଙ୍କର ଏହି ସମସ୍ୟା ନେଇ ଅନୁସୂଚିତ ଜନଜାତି ରାଷ୍ଟୀୟ ଆୟୋଗଙ୍କ ନିକଟରେ ଏକ ରିପାର୍ଟ ପ୍ରଦାନ କରିବା ସହିତ ସରକାରଙ୍କୁ ଏ ନେଇ ଅବଗତ କରିବ। ଏହି ବୈଠକରେ କାନପୁର ପ୍ରକଳ୍ପ ନିଦେର୍ଶକ କୁଶଳ ଚନ୍ଦ୍ର ନାଏକ, ଜୋନ ଅଧିକାରୀ ଚରଣ ନାଏକ, ମୁଖ୍ୟ ଯନ୍ତ୍ରୀ ପ୍ରସନ୍ନ କୁମାର ପାଣି, ଯୋଡା ବ୍ଳକର ମଙ୍ଗଳ ସଂପ୍ରସାରଣ ଅଧିକାରୀ ସୁଲତା ପ୍ରଧାନ ଓ ବିସ୍ଥାପିତ ଗ୍ରାମବାସୀ ପ୍ରତିନିଧି ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/0b371ebc-e385-48a5-8e84-49ad0df8b87c.jpg)