ଭୁବନେଶ୍ବର: ନୀଳଗିରି ସାମ୍ବାଦିକ ଲୋକନାଥ ଦଳେଇଙ୍କ ଗୋଡ଼ରେ ବେଡ଼ି ପକାଯିବାି ଘଟଣାର ପ୍ରତିବାଦ ଜଣାଇ ଆଜି ପୁଲିସ ମହାନିର୍ଦେଶକ ସୁନୀଲ ବଂଶଲଙ୍କୁ ଉତ୍କଳ ସାମ୍ବାଦିକ ସଂଘର ସଦସ୍ୟମାନେ ସାକ୍ଷାତ କରି ଦାବିପତ୍ର ଦେଇଛନ୍ତି। ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ନୀଳଗିରି ଆଇଆଇସି ଦ୍ରୌପଦୀ ଦାସଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଡିଜିପିଙ୍କ ଆଗରେ ଦାବି କରାଯାଇଛି। ସେପଟେ ଘଟଣାରେ ତୁରନ୍ତ ପଦକ୍ଷେପ ନ ନେଲେ ରାଜ୍ୟବ୍ୟାପୀ ସାମ୍ବାଦିକମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇବା ଘଟଣାରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ସାମ୍ବାଦିକମାନେ ମିଳିତ ଭାବେ ପ୍ରତିବାଦ କରିଛନ୍ତି।
ସୂଚନାଯୋଗ୍ୟ, ନିଜ ପଦ ଓ କ୍ଷମତାର ଦୁରୁପଯୋଗ କରି ସବୁ ନିୟମକୁ ଦଳିମକଚି ଦେଇଛନ୍ତି ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଆଇଆଇସି ଦ୍ରୌପଦୀ ଦାସ। ପୂର୍ବ ଆକ୍ରୋଶରୁ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ର ନୀଳଗିରି ପ୍ରତିନିଧି ଲୋକନାଥ ଦଳେଇଙ୍କୁ ମାରପିଟ୍ କରି ଗିରଫ କରିବାପରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଭଳି ତାଙ୍କ ଗୋଡ଼ରେ ବେଡ଼ି ପକାଇ ମାନବିକତାର ସମସ୍ତ ସୀମା ଉଲ୍ଲଂଘନ କରିଛନ୍ତି। ପୁଲିସ ଅଧିକାରୀଙ୍କ ଏହି କାରନାମା ଆଜି ପଦାକୁ ଆସିବାପରେ ବୁଦ୍ଧିଜୀବୀ, ଆଇନଜୀବୀ, ରାଜନେତା, ସାଧାରଣ ଜନତା ପୁଲିସକୁ ଖାଲି ଭର୍ତ୍ସନା କରିନାହାନ୍ତି; ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ମଧ୍ୟ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବାଲେଶ୍ବର ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ, ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା, ବିଧାୟକ ସୁକାନ୍ତ ନାୟକ, ଓୟୁଜେର ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତିଙ୍କ ସମେତ ଗଣମାଧ୍ୟମ ସହ ଜଡ଼ିତ ପ୍ରମୁଖ ବ୍ୟକ୍ତିବିଶେଷ ଏହି ଘଟଣାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି।