ଜିଲ୍ଲାପାଳଙ୍କୁ ଭେଟିଲେ ବିଭିନ୍ନ ସଂଗଠନ ସଦସ୍ୟ: ‘ଦେବାଳୟର ବିକାଶ ହେଉ’

ବଲାଙ୍ଗୀର : ପୂର୍ବାଞ୍ଚଳରେ ଦେବାଳୟଗୁଡ଼ିକୁ ନୂଆ ରୂପ ଦିଆଯାଇ ଏହାର ଉନ୍ନତୀକରଣ ଓ ସୌନ୍ଦର୍ଯ୍ୟକରଣ କରାଯାଉଛି। ପଶ୍ଚିମାଞ୍ଚଳର ବଲାଙ୍ଗୀର ଭଳି ପୁରାତନ ସହରରେ ଦେବାଳୟ ଭିତରକୁ ମଇଳା ନାଳ ପାଣି ପଶୁଛି। ଅନେକ ମନ୍ଦିର ନିର୍ମାଣର ଶତକ ପୂର୍ଣ୍ଣ କରିଥିବା ବେଳେ ମନ୍ଦିର ଛାତ ଓ ଚାରିକାନ୍ଥରୁ ପାଣି ଝରୁଛି। ଦେବଦେବୀ ମନ୍ଦିର ସବୁର ସୁରକ୍ଷା ଓ ପୁନରୁଦ୍ଧାର ଦାବିରେ ଗୁରୁବାର ବିଭିନ୍ନ ସଂଗଠନର ସଦସ୍ୟ ଜିଲ୍ଲାପାଳଙ୍କୁ ଭେଟି ୮ ଦଫାର ଦାବିପତ୍ର ପ୍ରଦାନ କରିଛନ୍ତି।

ବଲାଙ୍ଗୀର ଆରାଧ୍ୟ ଦେବୀ ୧୮୭୨ ମସିହାରୁ ପାଟଣେଶ୍ୱରୀ ମନ୍ଦିର ଓ ୧୯୧୫ ମସିହାରୁ ପ୍ରତିଷ୍ଠିତ ହୋଇଥିବା ସମଲେଶ୍ୱରୀ ମନ୍ଦିର ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। ଅନ୍ୟପଟେ ସରକାର ଉପକୂଳବର୍ତ୍ତୀ ମନ୍ଦିରଗୁଡ଼ିକ ଓ ପଶ୍ଚିମାଞ୍ଚଳର କିଛି ହାତଗଣତି ମନ୍ଦିରର ଉନ୍ନତୀକରଣ ଓ ସୌନ୍ଦର୍ଯ୍ୟକରଣ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଆମ ଅଂଚଳରେ ଏହି ବହୁ ଐତିହପୂର୍ଣ୍ଣ ମନ୍ଦିରକୁ ଏବେ ମଧ୍ୟ ଅଣଦେଖା କରାଯାଉଛି। ତେଣୁ ଏ ଅଂଚଳର ପୁରୁଣା କୀର୍ତ୍ତିରାଜି ଓ ମନ୍ଦିରଗୁଡ଼ିକୁ ତୁରନ୍ତ ଉଦ୍ଧାର କରାଯାଇ ଏହାର ସୌନ୍ଦର୍ଯ୍ୟକରଣ ନକଲେ ବଲାଙ୍ଗୀରବାସୀ ଓ ଭକ୍ତ ଏକ ହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି। ବଲାଙ୍ଗୀରର ବିଭିନ୍ନ ମନ୍ଦିରର ଉନ୍ନତୀକରଣ ସହିତ ଜନସାଧାରଣଙ୍କ ସୁବିଧା ପାଇଁ ଏକ ୮ ଦଫା ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି।

ଏହି ଦାବିପତ୍ରରେ ମନ୍ଦିର ଭିତରେ କିଭଳି ପାଣି ନ ପଶି ଓ ତାହାର ଡ୍ରେନର ବ୍ୟବସ୍ଥା, ଉଭୟ ମନ୍ଦିରରେ ଜବରଦଖଲ ଉଚ୍ଛେଦ, ଭକ୍ତଙ୍କ ପାଇଁ ପାର୍କିଂ ବ୍ୟବସ୍ଥା, ସ୍ୱତନ୍ତ୍ର ରୋଷେଇ ଘର ବ୍ୟବସ୍ଥା, ମନ୍ଦିରରରେ ନୂତନ ଗେଟ ନିର୍ମାଣ, ମନ୍ଦିରର ହୁଣ୍ଡିରେ ଦାନର ସବିଶେଷ ବିବରଣୀ ସର୍ବସାଧାରଣରେ ପ୍ରକାଶ କରିବା, ବିପଦସଙ୍କୁଳ ଅବସ୍ଥାରେ ଥିବା ମନ୍ଦିରର ପୂନରୁଦ୍ଧାର କରିବା ଓ ସମସ୍ତ ମନ୍ଦିର ପାଇଁ ଏକ ଟ୍ରଷ୍ଟ ନିର୍ମାଣ କରିବା ଆଦି ଦାବି ରହିଛି। ୟୁଥ୍‌ ଏକ୍ସନ କମିଟି ସଭାପତି ବିନୋଦ କାଲସାଏ, ବିଙ୍ଗ ହ୍ୟୁମାନର ବିବେକା ପଟେଲ, ପଶ୍ଚିମ ଓଡ଼ିଶା ଯୁବାମଞ୍ଚ ଅଭିଶେକ ଦାଶ, ମାହେଶ୍ୱରୀରୁ ଅଙ୍କୁଶ ପାଣ୍ଡିଆ, ଯାଦବ ସାମାଜରୁ ପ୍ରଶାନ୍ତ ମହାକୁର, କୁଲତା ସମାଜରୁ ସୁରଥ ପ୍ରଧାନ, ମିଡିଆ ସେଲରୁ ନୂତନ ମିଶ୍ର, ରମ୍ୟରଞ୍ଜନ ସାହୁ, ସଞ୍ଜୀବନ ଠାକୁର, ଖଗେଶ୍ୱର ପ୍ରଧାନ, ଶାନ୍ତନୁ ଭୋଇ, ସୁଦର୍ଶନ ସାହୁ, ସୁନୀଲ ମାଝୀ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର