ଭୁବନେଶ୍ବର: ଓଡ଼ିଶାର ସର୍ବଶ୍ରେଷ୍ଠ ସମ୍ରାଟ୍ ବୀରଶ୍ରୀ ଗଜପତି କପିଳେନ୍ଦ୍ର ଦେବ। ଉଦ୍ଧାର ହେଲା କପିଳେନ୍ଦ୍ର ଦେବଙ୍କ ପ୍ରାଚୀନ ପ୍ରତିମା । ଐତିହ୍ୟପ୍ରେମୀ ପାଳନ କଲେ ଗଜପତି କପିଳେନ୍ଦ୍ର ଦେବଙ୍କ ରାଜ୍ୟାଭିଷେକ ଦିବସ । ଜୁନ ମାସ ୨୯ ତାରିଖ। ଓଡିଶା ଇତିହାସର ଏକ ସ୍ମରଣୀୟ ଦିବସ । ୧୪୩୫ ଖ୍ରୀଷ୍ଟାବ୍ଦ ଆଜିର ଦିନରେ ରାଜ୍ୟାଭିଷେକ ହୋଇଥିଲେ ଗଜପତି କପିଳେନ୍ଦ୍ର ଦେବ । ୧୪୩୫ ରୁ ୧୪୬୬ ପର୍ଯ୍ୟନ୍ତ ଏହି ସୂର୍ଯ୍ୟବଂଶୀ ଗଜପତିଙ୍କର ଶାସନ କାଳ ଥିଲା କଳିଙ୍ଗ ଇତିହାସର ସ୍ବର୍ଣ୍ଣିମ ଅଧ୍ୟାୟ। ଏହି ସମୟରେ କଳିଙ୍ଗ ରାଜ୍ୟର ସୀମା ଉତ୍ତରରେ ଗଙ୍ଗାଠାରୁ ଦକ୍ଷିଣରେ କାବେରୀ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଯାଇଥିଲା। କପିଳେନ୍ଦ୍ର ଦେବଙ୍କ ପୁତୁରା ରଘୁଦେବ ମହାପାତ୍ରଙ୍କ ରଘୁଦେବପୁରମ୍ ତାମ୍ର ଅଭିଲେଖରୁ ଜଣାଯାଏ ଯେ, କଟକ ସହର ଥିଲା ସେ ସମୟରେ କଳିଙ୍ଗର ରାଜଧାନୀ ।
କଟକ ଗଡଗଡ଼ିଆ ମନ୍ଦିର ପରିସରରେ ରିଡିସ୍କଭର ଲଷ୍ଟ ହେରିଟେଜ ଗ୍ରୁପ୍ ଏବଂ ସିଲଭର ସିଟି କଟକ ପବ୍ଲିକ ଚାରିଟେବଲ ଟ୍ରଷ୍ଟ ତରଫରୁ ଆଜି କପିଳେନ୍ଦ୍ରଦେବଙ୍କ ରାଜ୍ୟାଭିଷେକ ଦିବସ ପାଳନ କରାଯାଇଛି । ବର୍ଷେ ତଳେ ମନ୍ଦିର ପରିସରରେ ଅତ୍ୟନ୍ତ ଅବହେଳିତ ଅବସ୍ଥାରେ ପଡିରହିଥିବା କପିଳେନ୍ଦ୍ର ଦେବଙ୍କ ଏହି ମୂର୍ତ୍ତିକୁ ଇନଟାକ୍ର ଐତିହ୍ୟ ଗବେଷକ ଦୀପକ ନାୟକ ଚିହ୍ନଟ କରିଥିଲେ। ଭୁବନେଶ୍ବର କପିଳେଶ୍ୱର ମନ୍ଦିର ପରିସରରେ ଥିବା କପିଳେନ୍ଦ୍ର ଦେବଙ୍କ ମୂର୍ତ୍ତି ସହିତ ଏହି ମୂର୍ତ୍ତିର ଅନେକ ସାମଞ୍ଜସ୍ୟ ରହିଛି । ଗଡଗଡ଼ିଆ ମନ୍ଦିରରେ ସେବାୟତମାନେ ଯଥାରୀତି ଅଭିଷେକ କଲା ପରେ ମୂର୍ତିକୁ ମନ୍ଦିର ପରିସରରେ ଥିବା ତ୍ରିନାଥ ମନ୍ଦିରକୁ ସ୍ଥାନାନ୍ତରିତ କରାଯାଇଛି ।
ଏହି ଅବସରରେ ସିଲଭର ସିଟି ଟ୍ରଷ୍ଟର ସଦସ୍ୟ ଆକାଶ ପଟ୍ଟନାୟକ କହିଥିଲେ ଯେ, କପିଳେନ୍ଦ୍ରଦେବଙ୍କ ପ୍ରତିମାକୁ ସୁରକ୍ଷିତ କରିଥିବାରୁ ଗର୍ବିତ । ଇତିହାସରେ ଶିବାଜୀ, ମହାରଣା ପ୍ରତାପଙ୍କ ପରି ବୀରପୁରୁଷମାନଙ୍କ କାହାଣୀ ଶୁଣୁଛେ, କିନ୍ତୁ କଳିଙ୍ଗ ମାଟିର ଗୌରବ ବଢାଇଥିବା ମହାନ ସମ୍ରାଟ କପିଳେନ୍ଦ୍ର ଦେବଙ୍କୁ ଇତିହାସ ଉପଯୁକ୍ତ ସମ୍ମାନ ଦେଇନାହିଁ । କଟକରେ କପିଳେନ୍ଦ୍ର ଦେବଙ୍କର ଏକ ବୃହତ ପ୍ରତିମୂର୍ତ୍ତି ନିର୍ମାଣ କରିବାକୁ ଇନ୍ଟାକର ବରିଷ୍ଠ ସଦସ୍ୟ ଅନୀଲ ଧୀର ଓ ବିଶ୍ଵଜିତ ମହାନ୍ତି ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/7f18b9b0-ed27-486e-b47a-afc4eb085e9e.jpg)